ଗୋଟିଏ ଦିନରେ ଜିଓ ମାଲିକଙ୍କ ସମ୍ପତ୍ତି ୭୧୫୦ କୋଟି ଟଙ୍କା ବଢ଼ିଲା

42

ସୋମବାର ମୋବାଇଲ୍ ସେବା ପ୍ରଦାନ କରୁଥିବା କଂପାନିଗୁଡ଼ିକର ମାଲିକ ଏବଂ ନିବେଶକଙ୍କ ପାଇଁ ଥିଲା ଏକ ସ୍ୱତନ୍ତ୍ର ଦିନ । ଏହି ଗୋଟିଏ ଦିନରେ ଦେଶର ଦୁଇ ପ୍ରମୁଖ ଟେଲିକମ୍ ଶିଳ୍ପପତି ମୁକେଶ ଅମ୍ବାନି ଏବଂ ସୁନୀଲ ମିତ୍ତଲଙ୍କ ସମ୍ପତ୍ତି ପରିମାଣ ୯୭୫୦ କୋଟି ଟଙ୍କା ବଢ଼ିଛି । ମୁକେଶ ଅମ୍ବାନି ହେଉଛନ୍ତି ରିଲାଏନ୍ସ ଜିଓର ମାଲିକ। ସୋମବାର ଦିନ ଜିଓର ସେୟାର ମୂଲ୍ୟ ବଢ଼ିଯିବାରୁ ମୁକେଶଙ୍କ ସମ୍ପତ୍ତି ପରିମାଣ ୭୧୫୦ କୋଟି ଟଙ୍କା ବୃଦ୍ଧି ପାଇଛି । ଜିଓର ସେୟାର ମୂଲ୍ୟ ୩%ରୁ ଅଧିକ ବଢ଼ିଛି ।

ସେହିପରି ଭାରତୀ ଏୟାରଟେଲ୍ର ମୁଖ୍ୟ ସୁନୀଲ ମିତ୍ତଲଙ୍କ ସମ୍ପତ୍ତି ପରିମାଣ ସୋମବାର ୨୬୦୦ କୋଟି ଟଙ୍କା ବଢ଼ିଛି । ଏୟାରଟେଲ୍ ସେୟାର ମୂଲ୍ୟରେ ପାଖାପାଖି ୫% ବୃଦ୍ଧି ହୋଇଛି। ଜିଓ ପକ୍ଷରୁ ପ୍ଲାନ୍ ମୂଲ୍ୟ ବୃଦ୍ଧି କରାଯିବା ପରେ ଟେଲିକମ୍ କଂପାନିଗୁଡ଼ିକର ସେୟାର ମୂଲ୍ୟ ପୁଣି ଥରେ ଆକର୍ଷଣୀୟ ହୋଇଛି । ଜିଓ ପକ୍ଷରୁ ସୁଲଭ ମୂଲ୍ୟରେ ଏବଂ ମାଗଣାରେ ଅନେକ ପ୍ରକାର ସେବା ପ୍ରଦାନ କରାଯିବା ପରଠାରୁ ଟେଲିକମ୍ ଶିଳ୍ପ ଏକ ପ୍ରକାର ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଛି । ଅନ୍ୟ କଂପାନିଗୁଡ଼ିକ ରାଜସ୍ୱ ବଢ଼ାଇବା ପାଇଁ ସଂଘର୍ଷ କରୁଛନ୍ତି । କିଛି କଂପାନି ବ୍ୟବସାୟରେ ତିଷ୍ଠି ରହିବାକୁ ପରସ୍ପର ସହ ମିଶିଗଲେଣି । ଅନ୍ୟମାନେ ଏହି ବ୍ୟବସାୟ ଛାଡ଼ିବାର ବାଟ ଖୋଜୁଛନ୍ତି ।

ଏଭଳି ପରିସ୍ଥିତିରେ ଜିଓ ପକ୍ଷରୁ ପ୍ଲାନ୍ ଦର ବୃଦ୍ଧି କରାଯିବ ଦ୍ୱାରା ଅନ୍ୟ କଂପାନିଗୁଡ଼ିକର ବ୍ୟବସାୟ ବଞ୍ଚି ରହିବା ପ୍ରତି ଏକ ପ୍ରକାର ନୂତନ ସମ୍ଭାବନା ସୃଷ୍ଟି ହୋଇଛି । ଫୋର୍ବସ ଅନୁଯାୟୀ, ମୁକେଶ ଅମ୍ବାନିଙ୍କ ମୋଟ ସମ୍ପତ୍ତି ପରିମାଣ ହେଉଛି ୪୧୩୦ କୋଟି ଡଲାର । ସେହିପରି ସୁନୀଲ ମିତ୍ତଲଙ୍କ ସମ୍ପତ୍ତି ପରିମାଣ ହେଉଛି ୧୦୧୦ କୋଟି ଡଲାର । ସୁନୀଲଙ୍କ କଂପାନି ଭାରତୀ ଏୟାରଟେଲର ପୁଞ୍ଜି ବଜାରରେ ମୂଲ୍ୟ ୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବା ଭଳି ସ୍ତରରେ ପହଞ୍ଚିଯାଇଛି ।