ବଦଳିବ ନିୟମ: କାରରେ ପିଲାଙ୍କ ପାଇଁ ବୁଷ୍ଟର ସିଟ୍ ଏବଂ ହେଲମେଟ ପିନ୍ଧି ବାଇକ୍ ଚଲାଇବା ହେବ ବାଧ୍ୟତାମୂଳକ

ସାଇଲେନ୍ସ ଜୋନରେ ଅନାବଶ୍ୟକ ହର୍ଣ୍ଣ ବଜାଇଲେ ଲାଗିବ ଜରିମାନା

233

ସୋମବାର ସଡକ ଏବଂ ପରିବହନ ମନ୍ତ୍ରୀ ନିତିନ ଗଡକରୀ ମୋଟର ହ୍ୱିଲର ଅଧିନିୟମରେ ସଂଶୋଧନ ଆଣିବା ପାଇଁ ଏକ ବିଧେୟକ ଲୋକସଭାରେ ଉପସ୍ଥାପନା କରିଛନ୍ତି । ଏହି ନୂଆ ବିଧେୟକରେ ଛୋଟ ପିଲାଙ୍କୁ ହେଲମେଟ ପିନ୍ଧାଇବା ବାଧ୍ୟତାମୂଳକ କରିବା ବ୍ୟତୀତ କାର ପଛ ସିଟରେ ବସୁଥିବା ପିଲାଙ୍କ ପାଇଁ ବି Child Restraining System ଜରୁରୀ କରାଯିବ । Child Restraining System ଆଧାରରେ କାରରେ ଗୋଟିଏ ବୁଷ୍ଟର ତଥା ଚାଇଲ୍ଡ ସିଟ୍ ରହିଥାଏ , ଯେଉଁଥିରେ ପିଲାଙ୍କୁ ବସାଇ ତାଙ୍କ ଦେହରେ ବେଲ୍ଟ ଲଗାଯାଇଥାଏ । ଏହାବ୍ୟତୀତ ଏଥିରେ ନିୟମର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଜରିମାନା ବ୍ୟବସ୍ଥାକୁ ବି ଆହୁରୀ କଡାକଡି କରାଯାଇଛି ।

ଏହି ବିଲରେ ସରକାର ସଡକ ଦୁର୍ଘଟଣା କାରଣରୁ ହେଉଥିବା ଜୀବନହାନୀରେ ସାଧାରଣ ଲୋକଙ୍କୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଦେବାକୁ ପ୍ରସ୍ତାବ ଦେଇଛନ୍ତି । ସେହିପରି ଗୁରୁତର ଆହତଙ୍କୁ ଅଢେଇ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସୁପାରିସ୍ କରିଛନ୍ତି । ଲୋକସଭାରେ ଲିଖିତ ଉତ୍ତର ଦେଇ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି କି, ବିଲରେ ମୋଟର ହ୍ୱିଲର ଆକ୍ଟର ବ୍ୟବହାର ଦ୍ୱାରା ହେଉଥିବା କୌଣସି ବି ଦୁର୍ଘଟଣା ଯୋଗୁଁ ମୃତ୍ୟୁ ମାମଲାରେ ପିଡୀତଙ୍କୁ ବିନା ଦୋଷୀ ସାବ୍ୟସ୍ତ ଆଧାରରେ ୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯିବା ନେଇ ପ୍ରସ୍ତାବ ଦିଆଯାଇଛି ।

ଏଥି ସହିତ ହିଁ ଗୁରୁତର ଭାବେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଅଢେଇ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଦେବାକୁ ମଧ୍ୟ ସ୍ଥିର କରାଯାଇଛି । ମୋଟର ହ୍ୱିଲର (ସଂଶୋଧନ) ବିଲ ୨୦୧୯କୁ କିଛି ଦିନ ପୂର୍ବରୁ ହିଁ କ୍ୟାବିନେଟ ନିଜ ମଂଜୁରୀ ଦେଇଥିଲା । ଯାହାକୁ ବର୍ତ୍ତମାନ ଲୋକସଭାରେ ଉପସ୍ଥାପନା କରାଯାଇଛି ।

ସାଇଲେନ୍ସ ଜୋନରେ ହର୍ଣ୍ଣ ବଜାଇଲେ ହଜାରେ ଟଙ୍କା ଜରିମାନା

ବିଧେୟକରେ ନିୟମ ରଖାଯାଇଛି କି, ଯଦି କୌଣସି ବ୍ୟକ୍ତି ଗାଡି ଚଲାଇବା ସମୟରେ ସାଇଲେନ୍ସ ଜୋନରେ ଅନାବଶ୍ୟକ ଏବଂ ବାରମ୍ବାର ହର୍ଣ୍ଣ ବଜାନ୍ତି ତେବେ ତାଙ୍କ ଉପରେ ୧ ହଜାର ଟଙ୍କାର ଜରିମାନା ଲଗାଯିବ । ସେହିପରି ଦ୍ୱିତୀୟ ଥର କିମ୍ବା ବାରମ୍ବାର ଏଭଳି ଭୁୁଲ୍ ଦୋହରାଇଲେ ତାଙ୍କଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ।

ନୂଆ ବିଲ୍ ସଂପର୍କିତ ବିଶେଷ କଥା

• ନୂଆ ବିଲ ନିୟମାନୁସାରେ, ମଦ୍ୟପାନ କରି ଗାଡି ଚଳାଇଲେ ଜରିମାନା ବାବଦକୁ ୨ ହଜାର ଟଙ୍କାରୁ ସର୍ବାଧିକ ୧୦ ହଜାର ଟଙ୍କା ଆଦାୟ କରାଯିବାର ପ୍ରସ୍ତାବ ରଖାଯାଇଛି ।

• ସେହିଭଳି ବିନା ହେଲମେଟ ପିନ୍ଧି ଗାଡି ଚଲାଇଲେ ହଜାରେ ଟଙ୍କା ଜରିମାନା ସହ ତିନି ମାସ ପାଇଁ ଚାଳକଙ୍କ ଲାଇସେନ୍ସ ରଦ୍ଦ ମଧ୍ୟ କରିଦିଆଯିବ ।

• କୌଣସି ଆପତକାଳୀନ ଗାଡିକୁ ରାସ୍ତା ନଛାଡିଲେ ବ୍ୟକ୍ତିଙ୍କଠାରୁ ୧୦ ହଜାର ଟଙ୍କାର ଜରିମାନା ଆଦାୟ କରାଯିବାର ମଧ୍ୟ ନିୟମ ରଖାଯାଇଛି ।

• ବିନା ଲାଇସେନ୍ସରେ ଡ୍ରାଇଭିଂ କଲେ ୫୦୦ ଟଙ୍କା ବଦଳରେ ୫ ହଜାର ଟଙ୍କା ଜରିମାନା ବାବଦକୁ ଦେବାକୁ ହେବ ।

• ମୋବାଇଲ ଫୋନରେ କଥା ହୋଇ ଗାଡି ଚଲାଉଥିବାର ଧରାପଡିଲେ ୧୦୦୦ଟଙ୍କା ପରିବର୍ତ୍ତେ ୫ ହଜାର ଟଙ୍କାର ଜରିମାନା କରିବାର ପ୍ରସ୍ତାବ ରହିଛି ।

Source:
q8india.com

• ସେହିଭଳି ଦ୍ରୁତ ଗତିରେ ଗାଡି ଚଲାଇଲେ ୫ ହଜାର ଟଙ୍କା ଜରିମାନା ବାବଦକୁ ଦେବାକୁ ହେବ ।

• ବିନା ସିଟ୍ ବେଲ୍ଟ ଲଗାଇ ଡ୍ରାଇଭିଂ କରୁଥିବାର ଧରାପଡିଲେ ଜରିମାନା ବାବଦକୁ ହଜାରେ ଟଙ୍କା ଦେବାକୁ ପ୍ରସ୍ତାବ ରଖାଯାଇଛି ।

• ଏଣିକି ଲାଇସେନ୍ସ ନେବା କିମ୍ବା ଗାଡିର ରେଜିଷ୍ଟ୍ରେସନ ପାଇଁ ଆଧାର ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ ରଖାଯାଇଛି ।

• ସେହିଭଳି ଲାଇସେନ୍ସର ବୈଧତା ସରିବାର ବର୍ଷକ ପର୍ଯ୍ୟନ୍ତ ଲାଇସେନ୍ସ ରିନ୍ୟୁ ତଥା ପୁଣି ଥରେ ତିଆରି କରିହେବ ।

• ଯଦି ରାସ୍ତାର ଭୁଲ ଡିଜାଇନ କିମ୍ବା ରାସ୍ତା ନିର୍ମାଣ ଏବଂ ତାର ରକ୍ଷଣାବେକ୍ଷଣାରେ ଅନିୟମିତତା ଯୋଗୁ ଦୁର୍ଘଟଣାରେ କାହାର ଜୀବନ ଯାଏ ତେବେ ସଡକ ନିର୍ମାଣ କରିଥିବା ଠିକାଦାର, ପରାମର୍ଶ ଦାତାଙ୍କ ସମତେ ସିଭିକ୍ ଏଜେନ୍ସି ଏଥିପାଇଁ ଉତରଦାୟୀ ରହିବେ ଏବଂ ଏଭଳି ଦୁର୍ଘଟଣାରେ କ୍ଷତିପୂରଣ ଦାବିର ସମାଧାନ ୬ ମାସ ମଧ୍ୟରେ କରାଯିବ ।