ଏମିତି ବି ମା’ ! ରଙ୍ଗ ଧଳା କରିବା ପାଇଁ ୫ବର୍ଷର ଶିଶୁୁପୁତ୍ରକୁ ପ୍ରତିଦିନ ଘଷୁଥିଲେ ପଥରରେ

29

ରବିବାର ଦିନ ଚାଇଲ୍ଡ୍ ଲାଇନ୍ ଏବଂ ନିଶାତପୁର ପୁଲିସ ଉଦ୍ଧାର କରିଛନ୍ତି ଜଣେ ପାଞ୍ଚ ବର୍ଷିୟ ବାଳକକୁ । ବାଳକଟିକୁ ଉତ୍ତରାଖଣ୍ଡରୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିବା ଜଣେ ମହିଳା ଗୋଟାଏ ବିଚିତ୍ର ବିଶ୍ୱାସର ବଶବର୍ତ୍ତୀ ହୋଇ ଗୋରା କରିବା ପାଇଁ ତା’କୁ ପଥରରେ ଘଷିଥିବାର ଅଭିଯୋଗ ଆସିଥିଲା । ମହିଳାଙ୍କ ବଡ଼ ଭଉଣୀଙ୍କ ଝିଅ ଠାରୁ ଫୋନ୍ ପାଇବା ପରେ ଚାଇଲ୍ଡ୍ ଲାଇନ୍ ଟିମ୍ ତାକୁ ଉଦ୍ଧାର କରିଥିଲେ ଏବଂ ଘଟଣାଟି ସାମ୍ନାକୁ ଆସିଥିଲା ।

ଅଭିଯୋଗକାରିଣୀଙ୍କ ଅଭିଯୋଗ ରହିଥିଲା କି, ଅଭିଯୁକ୍ତ ନିଶାତପୁର ଅଞ୍ଚଳର ସରକାରୀ ସ୍କୁଲ୍ ଶିକ୍ଷୟତୀ ସୁଧା ତିଓ୍ଵାରି ଦେଢ଼ ବର୍ଷ ତଳେ ଉତ୍ତରାଖଣ୍ଡର ମାତୃଛାୟାରୁ ବାଳକଟିକୁ ପୋଷ୍ୟ ସନ୍ତାନ କରି ଆଣିଥିଲେ । ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଏକ ଘରୋଇ ଡାକ୍ତରଖାନାରେ ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ । ସେ ଦାବି କରିଛନ୍ତି ଯେ, ଭୋପାଳକୁ ଆସିବା ଦିନ ଠାରୁ ପିଲାଟିର ରଙ୍ଗ ପାଇଁ ମାଉସୀ ଅସନ୍ତୁଷ୍ଟ ଥିଲେ । ତା’ର ରଙ୍ଗ ଫିଟାଇବା ପାଇଁ ସେ ନାନାବିଧ ଉପଚାର କରୁଥିଲେ । ବର୍ଷେ ତଳେ କେହି ଜଣେ ପରାମର୍ଶ ଦେବାରୁ ସେ ପଥର ଚିକିତ୍ସା ଆରମ୍ଭ କରି ଖଣ୍ଡେ କଳା ପଥରେ ପିଲାଟିର ଦେହକୁ ମାଜିବା ଆରମ୍ଭ କରିଥିଲେ । ଫଳରେ ତା’ର କାନ୍ଧ, ପିଠି ଓ ଗୋଡ଼ରେ ଘା’ ହୋଇଯାଇଥିଲା ।

ତେବେ ଉଦ୍ଧାର କରାଯିବା ପରେ ତାକୁ ଚିକିତ୍ସା କରାଇବାକୁ ହମିଦିଆ ଡାକ୍ତରଖାନାରେ ଦାଖଲ କରାଯାଇଛି । ଆଜି ତାକୁ ସିଡବ୍ଲୁସିଙ୍କ ଆଗରେ ହାଜର କରାଯିବ । ଅଭିଯୋଗକାରିଣୀ କହିଛନ୍ତି: ନିୟମ ଅନୁସାରେ ପୋଷ୍ୟ ଗ୍ରହଣ ପରେ ମାତୃଛାୟା ମଝିରେ ମଝିରେ ପରବର୍ତ୍ତୀ ପରିସ୍ଥିତି ଯାଞ୍ଚ କରିବା କଥା, କିନ୍ତୁ ତାହା କରାଯାଇ ନାହିଁ ।