ସୋସିଆଲ ମିଡିଆ ଉପରେ ଟ୍ୟାକ୍ସ ଲଗାଇଲେ ସରକାର ! ଟଙ୍କା ଦେଇନପାରି ୨୫ ଲକ୍ଷ ଲୋକ ଛାଡିଲେ ଇଂଟରନେଟର ବ୍ୟବହାର 

150

ଏଭଳି ଅଜବ କଟକଣା ଲାଗୁ ହୋଇଛି ୟୁଗାଣ୍ଡରେ । ଆଫ୍ରିକାର ୟୁଗାଣ୍ଡରେ ସୋସିଆଲ ମିଡିଆର ବ୍ୟବହାର ଉପରେ ଟ୍ୟାକ୍ସ ଲଗାଇ ଦେଇଛନ୍ତି ସେଠିକାର ସରକାର । ଯାହା ଦ୍ୱାରା ଲକ୍ଷାଧିକ ଲୋକ ଇଂଟରନେଟ ବ୍ୟବହାର  କରିବା ପୂରା ପୁରି ବନ୍ଦ କରିଦେଇଛନ୍ତି । ତେବେ ବିଶ୍ୱର କୌଣସି ବି ଦେଶରେ ଏଭଳି ପ୍ରଥମ ଥର ଘଟିଛି । ୟୁଗାଣ୍ଡ ସରକାର ଫେସବୁୁକ ସମେତ ୬୦ଟି ସୋସିଆଲ ମିଡିଆ ପ୍ଲାର୍ଟଫର୍ମର ବ୍ୟବହାର ଉପରେ ଦୈନିକ ୬୬ ଟଙ୍କା ଟ୍ୟାକ୍ସ ଲଗାଇଛନ୍ତି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଇଂଟରନେଟ୍ ଉପରେ ଲଗାଯାଇଥିବା ଟ୍ୟାକ୍ସକୁ ନେଇ ଦେଶର ବହୁ ସଂଖ୍ୟକ ଲୋକେ ପ୍ରତିବାଦ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି । ଏପରିକି ସରକାରଙ୍କ ଏହି ନିଷ୍ପତିକୁ କୋର୍ଟରେ ମଧ୍ୟ ଚ୍ୟାଲେଂଜ କରାଯାଇଛି । କୁହାଯାଉଛି କି, ୟୁଗାଣ୍ଡ ସରକାରଙ୍କ ଏଭଳି ନିଷ୍ପତି ନେବା ପଛରେ ଏକମାତ୍ର ଉଦ୍ଦେଶ୍ୟ ହେଲା, ସୋସିଆଲ ମିଡିଆରେ ଘଂଟା ଘଂଟା ଧରି ସମୟ ବିତାଇବା ଦ୍ୱାରା ଲୋକଙ୍କର ବହୁମୂଲ୍ୟ ସମୟ ଅଜଥା ବରବାଦ ହେଉଛି । ଯେଉଁ କାରଣରୁ ସେଠାକାର ସରକାର ଏହି ନିଷ୍ପତି ନେଇଛନ୍ତି । ସେହିଭଳି ଆହୁରୀ ମଧ୍ୟ ଶୁଣା ଯାଉଛି କି, ସୋସିଆଲ ମିଡିଆର ବ୍ୟବହାର ଦ୍ୱାରା ଲୋକେ ସରକାରଙ୍କର ଅସଲୀ ଚେହେରା ଜାଣିବାକୁ ପାଉଛନ୍ତି । ଏଭଳି ପରିସ୍ଥିତିରେ ଏହି ପଦକ୍ଷେପ ଦ୍ୱାରା ଲୋକେ ଧିରେ ଧିରେ ଇଂଟରନେଟଠାରୁ ଦୁରେଇ ଯିବେ ଏବଂ ସଠିକ୍ ସୂଚନା ସେମାନଙ୍କ ନିକଟରେ ପହଂଚିପାରିବ ନାହିଁ ।

ଏବେବି ଦେଶର  ପାଖାପାଖି ୧୨ ଲକ୍ଷ ଲୋକ ଏଭଳି ରହିଛନ୍ତି, ଯେଉଁମାନେ କି ଟଙ୍କା ଦେଇ ସୋସିଆଲ ମିଡିଆ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ।  ସରକାରଙ୍କର ଏଭଳି କାର୍ଯ୍ୟାନୁଷ୍ଠାନ ଦ୍ୱାରା ଦେଶରେ ବ୍ୟାପକ ଜନଅସନ୍ତୋଷ  ସୃଷ୍ଟି ହୋଇଛି । ଖାଲି ଏତିକି ନୁହେଁ ଏହାଦ୍ୱାରା ଦେଶର ଆର୍ଥିକ ବ୍ୟବସ୍ଥା ଦୋହଲି ଯିବା ସହିତ  ଟେଲିକମ କଂପାନୀମାନଙ୍କୁ ବି ବହୁତ କ୍ଷତି ସହିବାକୁ ପଡିଛି ।