ଚିପ୍ସ ବିକ୍ରିକରି ପୋଷୁଛନ୍ତି ପରିବାର ! ୮୮ବର୍ଷରେ ବି ହାର ମାନିନି ସିଲାଙ୍କ ମନୋବଳ । ପଚାରିଲେ କୁହନ୍ତି, ଭୋକିଲା ଶୋଇବି ପଛେ ମାଗିବି ନାହିଁ ଭିକ

59

ଗରୀବି ଏବଂ ଭୋକ ମେଂଟାଇବା ପାଇଁ ଅନେକ ଲୋକଙ୍କୁ ପରିସ୍ଥିତି ଭିକ୍ଷାବୃତି କରିବାକୁ ବାଧ୍ୟ କରିଦେଇଥାଏ । କିନ୍ତୁ କିଛି ଲୋକ ଏଭଳି ବି ଅଛନ୍ତି, ଯେଉଁମାନେ କି ଅନେକ ଦୁଃଖକଷ୍ଟ ସହ୍ୟ କରି ସୁଦ୍ଧା ନିଜର ଆତ୍ମସମ୍ମାନକୁ ତଳେ ପକାଇବାକୁ ଦେଇନାହାଁନ୍ତି । ସେମାନେ ଭୋକିଲାରେ ଶୋଇପାରନ୍ତି ହେଲେ କେବେ କାହା ପାଖରେ ହାତ ପତେଇବାକୁ ଚାହାଁନ୍ତି ନାହିଁ ।  ଏଭଳି ହିଁ ଜଣେ ହେଲେ ସିଲା ଘୋଷ । ବୟସ ୮୮ ବର୍ଷ । ଜଣେ ଅସହାୟ ବୃଦ୍ଧା ହେବା ସତ୍ୱେ ତାଙ୍କୁ ଭିକ୍ଷାବୃତି କରିବା ଆଦୌ ମଂଜୁର ନୁହେଁ । ସେ ନିଜ ପରିବାର ପୋଷିବା ପାଇଁ ବହୁତ ସଂଘର୍ଷ କରିଛନ୍ତି । କିନ୍ତୁ ଏଥିପାଇଁ ସେ ନିଜ ଅତ୍ମସମ୍ମାନ ସହିତ କୌଣସି ପ୍ରକାରର ବୁଝାବଣା କରିନାହାଁନ୍ତି ।

ପଶ୍ଚିମବଙ୍ଗରେ ରହୁୁଥିବା ୮୮ ବର୍ଷୀୟ ସିଲା ଘୋଷ ପ୍ରତିଦିନ ସଂଧ୍ୟାରେ ରାସ୍ତା କଡରେ ନିଜ ହାତ ତିଆରି ଚିପ୍ସ ବିକ୍ରି କରି ପରିବାର ଚଳାନ୍ତି । ସିଲାଙ୍କୁ ବହୁତ କମ ବୟସରେ ବିବାହ କରିଦିଆଯାଇଥିଲା । ଯେଉଁ କାରଣରୁ ସେ ଅଧିକ ପାଠପଢିପାରିନଥିଲେ । ସ୍ୱାମୀଙ୍କ ଚାକିରି କାରଣରୁ ସିଲା ଅନେକ ଦେଶ ଭ୍ରମଣ କରିପାରିଥିଲେ ସତ ହେଲେ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ଅବସ୍ଥା ସଂପୂର୍ଣ୍ଣ ରୂପେ ବଦଳିଯାଇଥିଲା । ସିଲା ନିଜ ତିନି ଝିଅ ଏବଂ ଗୋଟିଏ ପୁଅକୁ ଉଚ୍ଚ ଶିକ୍ଷିତ କରିବାକୁ ଚାହୁଁଥିଲେ ହେଲେ ତାଙ୍କ ଉପରେ ସତେ ଯେପରି ଛିଣ୍ଡିପଡିଥିଲା ସଂକଟର ପାହାଡ । ସିଲାଙ୍କ ସବୁଠାରୁ ବଡ ଝିଅଙ୍କର ଅଚାନକ୍ ମୃତ୍ୟୁ ହୋଇଗଲା ଆଉ ସାନଝିଅର ମାନସିକ ଅବସ୍ଥା ବି ଖରାପ ହୋଇଗଲା ।

କେବଳ ମଝିଆ ଝିଅ ହିଁ କଲେଜ ଯାଏଁ ପହଂଚିପାରିଥିଲା , ହେଲେ ତାଙ୍କର ମଧ୍ୟ କୌଣସି କାରଣରୁ ଦେହ ଅସୁସ୍ଥ୍ୟ ହେବା ଦ୍ୱାରା ପାଠପଢା ଅଧାରେ ଛାଡିବାକୁ ପଡିଥିଲା । ତେବେ ଘର ଅବସ୍ଥାକୁ ଦେଖି ସିଲା ଘରର ସମସ୍ତ ଦାୟିତ୍ୱ ନେବାକୁ ନିଷ୍ପତି ନେଲେ । ଏବେ ସିଲା ୮୮ ବର୍ଷରେ ପାଦଦେଇଛନ୍ତି । ତଥାପି ହାର ମାନିନାହିଁ ସିଲାଙ୍କର ମନୋବଳ । ଆଜି ବି ସେ ରାସ୍ତା କଡରେ ନିଜ ହାତ ପ୍ରସ୍ତୁତ ଚିପ୍ସ ବିକ୍ରିକରି ନିଜ ପରିବାର ପାଳୁଛନ୍ତି । ସିଲା ଗୋଟିଏ ଆଶାରେ ରହିଥିଲେ କି, ତାଙ୍କ ପୁଅ ତାଙ୍କର ବୃଦ୍ଧାବସ୍ଥାରେ ସାହାରା ପାଲଟିବ ହେଲେ ଦଇବକୁ ଅନ୍ୟ କିଛି ଇଚ୍ଛା ଥିଲା । ସିଲା ନିଜ ପୁଅକୁ ପାଠପଢାଇ ରେଳବିଭାଗରେ ଚାକିରି ପାଇଁ ଯୋଗ୍ୟର କରିଥିଲେ ହେଲେ ୧୯୯୩ରେ ହଠାତ୍ ତାଙ୍କ ପୁଅର କୌଣସି କାରଣରୁ ମୃତ୍ୟୁ ଘଟିଥିଲା ।

ସିଲା ଭିକ୍ଷାବୃତି କରିବାକୁ ଚାହୁଁନଥିଲେ, ଏଥିପାଇଁ ସେ କିଛି ଦିନ ମୋହମବତି ବିକ୍ରି କରିଥିଲେ । କିନ୍ତୁ ଏଥିରୁ ତାଙ୍କୁ କିଛି ଲାଭ ମିଳିନଥିଲା । ଏହାପରେ ସେ ଘରେ ନିଜ ହାତରେ ଚିପ୍ସ ତିଆରି କରି ତାକୁ ବିକ୍ରି କରିବା ଆରମ୍ଭ କରିଥିଲେ । ଆଜି ୮୮ ବର୍ଷରେ ସିଲା ପୂର୍ବପେକ୍ଷା ଆହୁରୀ ବାହାଦୁର, ସ୍ୱାଧିନ ତଥା ଭିନ୍ନ ଓ ନିଜ ପରିବାର ଭଲଭାବରେ ପ୍ରତିପୋଷଣ କରିପାରୁଛନ୍ତି । ତେବେ ସିଲାଙ୍କର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଲୋକେ ସିଲାଙ୍କ ସାହସୀକତାକୁ ସଲାମ କରୁଛନ୍ତି । ଯଦି ଜଣେ ବୃଦ୍ଧା ମହିଳା କରି ଘର ଚଳାଇପାରନ୍ତି, ତେବେ ଭିକ୍ଷାବୃତି କରୁଥିବା ଲୋକଙ୍କୁ ତାଙ୍କଠାରୁ ନିଶ୍ଚୟ ପ୍ରେରଣା ନେବା ଆବଶ୍ୟକ ।