ମେକ୍ସିକୋରୁ ଆସିଛି ମକ୍କା, ଚୀନରୁ ଚାଉଳ ! ଜାଣନ୍ତୁ କେଉଁଠୁ ଆସିଛି କେଉଁ ଖାଦ୍ୟ

42

ସାରା ବିଶ୍ୱରେ ବିଶେଷ କରି ଖାଦ୍ୟରେ ରୁଚି ରଖୁଥିବା ଲୋକଙ୍କ ସଂଖ୍ୟା କହିବାକୁ ଗଲେ କିଛି କମ୍ ନାହିଁ । ଏହି ଖାଦ୍ୟକୁ ଆହୁରି ସ୍ୱାଦିଷ୍ଟ କରିବାକୁ ହେଲେ ଏଥିପାଇଁ ଆବଶ୍ୟକ ପଡିଥାଏ ଅନେକ ସାରା ଫଳ, ପନିପରିବା ଏବଂ ଚାଉଳ । ଆପଣଙ୍କୁ ଜଣାଥିବ କି ରୋଷେଇରେ ବ୍ୟବହୃତ ଫଳ, ପନିପରିବା ଓ ଚାଉଳ ଆଦି ଫସଲ କରାଯାଇଥାଏ କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଏହିସବୁ ଜିନିଷ ଅସଲରୁ କେଉଁଠୁ ଆସିଲା ଅର୍ଥାତ୍ ଏସବୁ ଜିନିଷର ଜନ୍ମସ୍ଥାନ କେଉଁଠି ବୋଲି ? ତେବେ ଆସନ୍ତୁ ଜାଣିବା ।

ଧାନ

ପ୍ରଥମେ ଧାନ ପରେ ଚାଉଳ ଏବଂ ଶେଷରେ ଭାତ । ତେବେ ଭାତ ହେଇଛି ଏକ ଏଭଳି ଖାଦ୍ୟ ଯାହା କେବଳ ଭାରତରେ ନୁହେଁ ବରଂ ଅନେକ ଦେଶରେ ମଧ୍ୟ ସବୁଠୁ ବିଶେଷ ଖାଦ୍ୟ ଅଟେ । କହିବାକୁ ଗଲେ ଭାରତର ମୁଖ୍ୟ ତଥା ପ୍ରଧାନ ଫସଲମାନଙ୍କରେ ଚାଉଳ ବା ଧାନ ଚାଷ ବହୁଳ ମାତ୍ରା କରାଯାଇଥାଏ । କିନ୍ତୁ ଅସଲରେ ଚାଉଳ ମୂଳ ରୂପରେ ଚୀନରୁ ହିଁ ଆସିଛି । ବିଶ୍ୱରେ ବିଭିନ୍ନ ପ୍ରକାରର ଧାନ ଚାଷ କରାଯାଇଥାଏ ।

ଗହମ

ଗହମ ଏସିଆରେ ସବୁଠାରୁ ଅଧିକ ମାତ୍ରାରେ ବ୍ୟବହାର କରାଯାଇଥାଏ । ଭାରତ ସମେତ ଚୀନ, ଋଷ, ଆମେରିକା, ଫ୍ରାନ୍ସ ଆଦି ଗହମ ଉତ୍ପାଦକ ଦେଶ ଅଟନ୍ତି । କିନ୍ତୁ ବୋଧହୁଏ ଆପଣ ଜାଣିନଥିବେ କି ସର୍ବପ୍ରଥମେ ଗହମ ପୂର୍ବ ଇରାକ୍, ସିରିୟା ଏବଂ ତୁର୍କୀରୁ ହିଁ ଆସିଛି । ମିଳିଥିବା ଏକ ତଥ୍ୟରୁ ପ୍ରମାଣିତ ହୋଇଛି ଯେ, ପାଖାପାଖି ୭୦୦୦ ବର୍ଷ ପୂର୍ବରୁ ଏଠାରେ ଗହମ ଉତ୍ପାଦନ କରାଯାଉଥିଲା ।

ମକ୍କା

ମକ୍କାର ବ୍ୟବହାର ସମଗ୍ର ବିଶ୍ୱରେ ହୋଇଥାଏ କିନ୍ତୁ ଅସଲରେ ମକ୍କା ମେକ୍ସିକୋରେ ଜନ୍ମିତ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ମକ୍କାର ଉତ୍ପାଦନର କେବଳ ୧୫ ପ୍ରତିଶତ ଅଂଶ ମଣିଷଦ୍ୱାରା ହିଁ ଖାଦାରୂପେ ଗ୍ରହଣ କରାଯାଇଥାଏ ଏବଂ ବାକି ୮୫ ପ୍ରତିଶତ ମକ୍କା ପଶୁମାନଙ୍କୁ ଦିଆଯାଇଥାଏ ।

ଆଳୁ

ଭାରତ, ଚୀନ ଏବଂ ଋଷକୁ ଆଳୁ ଉତ୍ପାନକ ଦେଶ ବୋଲି କୁହାଯାଇଥାଏ । ମାତ୍ର ଏହାର ଜନ୍ମସ୍ଥାନ ବାସ୍ତବରେ ହେଉଛି ଦକ୍ଷିଣ ଆମେରିକାର ଏଣ୍ଡିଜ୍ ।

ଆଖୁ

ଆଖୁ ପୂର୍ବ ଏସିଆରୁ କେଉଁଠାରୁ ଆସିଛି ତାହା ସଂପର୍କରେ କୌଣସି ତଥ୍ୟ ମିଳି ପାରିନାହିଁ । ତେବେ ଏହାର ସ୍ୱାଦିଷ୍ଟ ତଥା ମିଠାପଣର ବ୍ୟବହାରର ଇତିହାସ ପାଖାପାଖି ୨,୫୦୦ ବର୍ଷରୁ ମଧ୍ୟ ପୁରୁଣା ଅଟେ । ଏହାକୁ ସବୁଠାରୁ ଅଧିକ ବ୍ରାଜିଲରେ ଅମଳ କରାଯାଇଥାଏ । ଏଥିରୁ ମୁଖ୍ୟତଃ ଚିନି ତିଆରି ହୋଇଥାଏ ।

ଚା’

ଚା’ ଆଜିକା ଦିନରେ ପ୍ରାୟତଃ ଅଧିକାଂଶ ଲୋକଙ୍କର ପ୍ରିୟ ଅଟେ । ବିଶେଷ କରି ଭାରତ, କେନିୟା ଏବଂ ଶ୍ରୀଲଙ୍କା ଭଳି ଦେଶମାନଙ୍କରେ ଏହାର ଚାଷ ଅଧିକ ମାତ୍ରାରେ କରାଯାଇଥାଏ । କିନ୍ତୁ ଅସଲରେ ଚା’ ଚୀନରୁ ଆସିଛି ।

ସୌଜନ୍ୟ: ଗାଁଓକନେକ୍ସନ