ପ୍ରଥମେ ଏମବିଏ, ପୁଣି ଚାକିରୀ ହେଲେ ଗେଣ୍ଡୁ ଚାଷ ବଦଲାଇ ଦେଲା ଭାଗ୍ୟ ! ପଢନ୍ତୁ ଜଣେ ଡିଗ୍ରୀଧାରୀ ସଫଳ ଚାଷୀଙ୍କ କାହାଣୀ

106

କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ ଆଉ ଯାହାକୁ ସଫଳ କରି ଦେଖାଇ ପାରିଛନ୍ତି ଜଣେ ୨୭ ବର୍ଷୀୟ ପଢୁଆ ଯୁବକ । ସାଧାରଣତଃ ଏହି ବୟସରେ ଯୁବକମାନେ ଗୋଟିଏ ଭଲ ଚାକିରୀ ପଛରେ ଦୌଡିଥାନ୍ତି ମାତ୍ର ଆମେ ଯେଉଁ ଯୁବକଙ୍କ ବିଷୟରେ ଆପଣଙ୍କୁ ଜଣାଇବାକୁ ଯାଉଛୁ ସେ ଏଭଳି ଅନେକ ହାଇପ୍ରୋଫାଇଲର ଚାକିରୀ ଛାଡି ଚାଷକୁ ହିଁ ଜୀବିକା ରୂପେ ଆଦରୀ ନେଇଛନ୍ତି । ମେନପୁରୀ ଜିଲ୍ଲା ସୁଲତାନଗଂଜ ବ୍ଲକର ପଦ୍ମାପୁର ଗାଁରେ ବାସକରୁଥିବା ରବି ପାଲ (୨୭ ବର୍ଷ) ୬ ମାସ ପୂର୍ବରୁ ନୋଇଡାର ଏକ ମଲ୍ଟିନ୍ୟାସନାଲ କଂପାନୀରେ କାମ କରୁଥିଲେ । ସେଠାରେ ତାଙ୍କୁ ଭଲ ଦରମା ମଧ୍ୟ ମିଳୁଥିଲା ମାତ୍ର ଏସବୁକୁ ତୁଛକରି ରବି ଚାଷକୁ ହିଁ ଚୟନ କରିଥିଲେ ଆଉ ଆଜି ସେ ପାଲଟିଯାଇଛନ୍ତି ଜଣେ ଉଚ୍ଚଶିକ୍ଷିତ ସଫଳ ଚାଷୀ ।

ସୂଚନା ମୁତାବକ, ରବି ପାଲ ମେନପୁରୀ ଜିଲ୍ଲା ସୁଲତାନଗଂଜ ବ୍ଲକର ପଦ୍ମାପୁର ଗାଁରେ ବାସକରନ୍ତି । ୨୦୧୧ରେ ଏମବିଏ କରିସାରିବା ପରେ ରବି ଏଲଏନଟି ଏବଂ କୋଟେକ୍ ମହିନ୍ଦ୍ରା ଭଳି କଂପାନୀରେ ଚାକିରୀ କରିସାରିଛନ୍ତି । ଯେଉଁଥିରେ ତାଙ୍କୁ ଭଲ ଦରମା ମଧ୍ୟ ମିଳୁଯାଉଥିଲା । ମାତ୍ର ଏହାସବୁ ସତ୍ୱେ ରବି ଏଥିରେ ଖୁସି ନଥିଲେ । ସେ ନିଜେ କିଛି କରିବାକୁ ଚାହୁଁଥିଲେ ଆଉ ତାଙ୍କର ଏହି ଇଚ୍ଛା ହିଁ ଆଜି ତାଙ୍କୁ ସଫଳତାର ଶୀର୍ଷରେ ପହଂଚେଇ ଦେଇଛି । ମେନପୁରୀ ଜିଲ୍ଲାର ସବଠାରୁ ବଡ ସମସ୍ୟା ହେଲା ନୀଳଗାଈ । ଏହି ଜିଲ୍ଲାରେ ନୀଳଗାଈଙ୍କର ଉପଦ୍ରବ ଖୁବ୍ ଅଧିକ । ଏମାନେ ଫସଲ ନଷ୍ଟ କରିଦେବା ସହ ଜନଜୀବନ ଅସ୍ତବ୍ୟସ୍ତ କରିପକାନ୍ତି । ଫଳରେ ଲୋକେ ଚାଷ କରିବାକୁ ଭୟ କରନ୍ତି ।

ରବି କୁହନ୍ତି କି, ଯେତେବେଳେ ସେ ଜାଣିବାକୁ ପାଇଥିଲେ ଗେଣ୍ଡୁ ଚାଷକୁ ନୀଳଗାଈ କିମ୍ବା ଅନ୍ୟ କୌଣସି ଜନ୍ତୁ ନଷ୍ଟ କରିନଥାନ୍ତି ବୋଲି ସେତେବେଳେ ସେ ଏହି ଚାଷ କରିବାକୁ ସ୍ଥିର କରିଥିଲେ । ଘର ଲୋକଙ୍କ ବାରଣ ସତ୍ୱେ ରବି ଚାକିରୀ ଛାଡି ଗାଁରେ ଗେଣ୍ଡୁ ଚାଷ ଆରମ୍ଭ କରିଥିଲେ । ମାତ୍ର ୩ରୁ ୪ ହଜାର ଟଙ୍କା ବିନିଯୋଗ କରି ରବି ରୋଜଗାର କରିଥିଲେ ପାଖାପାଖି ୩୦ରୁ ୪୦ ହଜାର ଟଙ୍କା ।ଖାଲିସେତିକି ନୁହେଁ ଗତବର୍ଷ ଦୀପାବଳୀକୁ ରବିଙ୍କ କ୍ଷେତରୁ ପାଖାପାଖି ୧୦ ପ୍ରଜାତିର ଗେଣ୍ଡୁ ଫୁଲ ବାହାରିଥିଲା । ଏବେ ଏହାଠାରୁ ଅଧିକ ପରିମାଣର ଏବଂ ଅଧିକ ପ୍ରଜାତିର ଗେଣ୍ଡୁ ଫୁଲ ଉତ୍ପାଦନ ହେବ ବୋଲି ରବି କହିଛନ୍ତି । ଏଥିସହିତ ରବିଙ୍କ କ୍ଷେତରୁ ଫୁଲ ଆଗ୍ରା, କାନପୁର ଏବଂ ଦିଲ୍ଲୀ ଭଳି ପ୍ରମୁଖ ସହରମାନଙ୍କୁ ଫୁଲ ପଠାଯାଇଥାଏ ।

ଏଥିସହିତ ରବି ମଧ୍ୟ ଅନ୍ୟ ଚାଷୀମାନଙ୍କୁ ଗେଣ୍ଡୁ ଚାଷ କରିବାକୁ ପ୍ରୋତ୍ସାହନ ଦେଉଛନ୍ତି । ରବି କୁହନ୍ତୁ, ମୁଁ ଏତେ ଖୁସି ମୋ ଚାକିରୀ କାଳରେ ପାଇନଥିଲି ଯେତିକି ଗୋଟେ ଚାଷୀ ହୋଇ ପାଇଛି । ଏବେ ମୋ ନିକଟକୁ ଜିଲ୍ଲାର ଅନେକ ଚାଷୀଙ୍କ ସହ ଅନ୍ୟ ଜିଲ୍ଲାର ଚାଷୀମାନେ ମଧ୍ୟ ଆସୁଛନ୍ତି । ତେବେ ମେନପୁରୀ ଜିଲ୍ଲାରେ ରବି ପାଲ ହେଉଛନ୍ତି ପ୍ରଥମ ଡିଗ୍ରୀଧାରୀ ଚାଷୀ । ରବିଙ୍କର ଏହି ଇଚ୍ଛଶକ୍ତିକୁ ଦେଖି ତାଙ୍କୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ଜିଲ୍ଲାଧିକାରୀଙ୍କ ପକ୍ଷରୁ ସମ୍ମାନୀତ କରାଯାଇଥିଲା ଆଉ ବର୍ତ୍ତମାନ ତାଙ୍କ ସହିତ ଯୋଡି ହୋଇଯାଇଛନ୍ତି ଶହ ଶହ ଚାଷୀ ।

ଏଠାରେ ଆମେ କହି ରଖୁଛୁ କି, ଗେଣ୍ଡୁ ଚାଷ ପାଇଁ ଖୁବ୍ କମ ସମୟର ଆବଶ୍ୟକତା ପଡିଥାଏ । ଏଥିପାଇଁ ଖୁବ୍ କମ୍ ଟଙ୍କା ବିନିଯୋଗ କରାଯାଇ ଅଧିକ ଟଙ୍କା ରୋଜାଗାର କରାଯାଇପାରିବ ।

ସୌଜନ୍ୟ: ଗାଁଓକନେକ୍ସନ