ସୃଷ୍ଟିର ସ୍ରଷ୍ଟା କିଏ ? ଜାଣନ୍ତୁ ଏହି ରହସ୍ୟମୟୀ କାହାଣୀର ଇତିହାସ

455

ଭଗବାନ ଶିବ ଯଦି ଏହି ବ୍ରହ୍ମାଣ୍ଡର ଆଦି ଓ ଅନ୍ତ ଅଟନ୍ତି ତେବେ ତାଙ୍କର ପିତାମାତା କିଏ ? ଅନ୍ୟ ରୂପରେ କହିବାକୁ ଗଲେ ଭଗବାନ ଶିବ ହିଁ ଏହି ସୁନ୍ଦର ସୃଷ୍ଟିର ଆରମ୍ଭ କରିଥିଲେ ଏବଂ ତାଙ୍କରି ହାତରେ ହିଁ ଏହାର ବିନାଶ ହେବ । ତେବେ ଏବେ ପ୍ରଶ୍ନ ଉଠୁଛି ଯଦି ଭଗବାନ ଶିବଙ୍କଠାରୁ ଏ ସଂପୂର୍ଣ୍ଣ ଜୀବଜଗତ ସୃଷ୍ଟି ହୋଇପାରିଛି ତେବେ ତାଙ୍କୁ ମଧ୍ୟ କେହି ଜନ୍ମ ଦେଇଥିବେ ନିଶ୍ଚୟେ । ଯଦି କେହି ତାଙ୍କୁ ଜନ୍ମ ଦେଇ ନାହାଁନ୍ତି ତେବେ ଏହି ସୃଷ୍ଟିର ଜୀବଜଗତର ପ୍ରାରମ୍ଭ କିପରି ଘଟିଲା ?

ପୌରାଣିକ ମାନ୍ୟତା ଅନୁସାରେ, ଭଗବାନ ଶିବଙ୍କ ପିତାମାତାଙ୍କ ସହ ଜଡିତ ରହସ୍ୟ ଜାଣିବା ପାଇଁ ଏକଦା କିଛି ମୁନୀଋଷି ସ୍ୱୟଂ ଭଗବାନ ଶିବଙ୍କ ନିକଟକୁ ଯାଇ ଏନେଇ ପ୍ରଶ୍ନ କରିଥିଲେ । ଆଉ କହିଥିଲେ ହେ ମହାଦେବ ଆପଣଙ୍କ ପିତାମାତା କିଏ ? ଋଷିଙ୍କ ଜିଜ୍ଞାସା ଦେଖି ଭଗବାନ ଉତ୍ତର ଦେଇ କହିଥିଲେ କି, ମୋତେ ଏହି ସୁନ୍ଦର ପୃଥିବୀର ଆରମ୍ଭ କରିବା ଉଦ୍ଦେଶ୍ୟରେ ପ୍ରଜାପତି ବ୍ରହ୍ମା ଜନ୍ମ ଦେଇଛନ୍ତି । ଏକଥା ଶୁଣି ସାରିବା ପରେ ମୁନୀଋଷିଙ୍କ ମନ ବୁଝି ନଥିଲା ସେ ପୁଣି ଥରେ ପ୍ରଶ୍ନ କଲେ ଯଦି ଆପଣଙ୍କ ପିତା ବ୍ରହ୍ମା ଅଟନ୍ତି ତେବେ ଆପଣଙ୍କ ଜେଜେବାପା କିଏ ? ଭଗବାନ ଶିବ କହିଥିଲେ କି ତାଙ୍କ ଜେଜେବାପା ବିଷ୍ଣୁ ଅଟନ୍ତି । ଏହା ପରେ ପୁଣି ଥରେ ମୁନୀଋଷି ଗଣ ପ୍ରଶ୍ନ କଲେ ହେ ମହାଦେବ ଯଦି ଆପଣଙ୍କ ବାପା ବ୍ରହ୍ମା ଅଟନ୍ତି ଏବଂ ଜେଜେବାପା ବିଷ୍ଣୁ ଅଟନ୍ତି ତେବେ ଆପଣଙ୍କ ଜେଜେବାପାଙ୍କ ବାପା କିଏ ? ମୁନୀଋଷିଙ୍କ ଏଭଳି ପ୍ରଶ୍ନରେ ଭଗବାନ ଟିକେ ହସି ଦେଇ କହିଲେ, ମୋର ଜେଜେବାପାଙ୍କ ବାପା ଖୋଦ୍ ଶିବ ହିଁ ଅଟନ୍ତି ।

ଶ୍ରୀମଦଦେବୀ ମହାପୁରାଣ ଅନୁସାରେ, ଦିନେ ନାରଦ ତାଙ୍କ ପିତା ବ୍ରହ୍ମାଙ୍କୁ ପ୍ରଶ୍ନ କରିଥିଲେ କି ଏହି ବିଶ୍ୱବ୍ରହ୍ମାଣ୍ଡର ସୃଷ୍ଟି କର୍ତ୍ତା କିଏ ? ଆପଣ ନା ଭଗବାନ ବିଷ୍ଣୁ ନା ପୁଣି ସ୍ୱୟଂ ମହାଦେବ । ତଥା ଏହି ତ୍ରୀଦେବଙ୍କୁ କିଏ ଜନ୍ମ ଦେଇଛନ୍ତି ? ଅର୍ଥାତ୍ ଆପଣଙ୍କ ପିତାମାତା କିଏ ଅଟନ୍ତି ? ଏହାପରେ ପରମପିତା ବ୍ରହ୍ମା ତ୍ରୀଦେବଙ୍କ ଜନ୍ମଗାଥା ବର୍ଣ୍ଣନା କରିବାକୁ ଯାଇ କହିଥିଲେ କି, ପ୍ରକୃତି ସ୍ୱରୂପ ମାତା ଦୁର୍ଗା ଏବଂ କାଳ ତଥା ସଦାଶିବ ସ୍ୱରୂପ ବ୍ରହ୍ମା ହିଁ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କୁ ଜନ୍ମ ଦେଇଛନ୍ତି । ଏହାର ଅର୍ଥ ହେଲା ପ୍ରକୃତି ସ୍ୱରୂପ ଦେବୀ ଦୁର୍ଗା ହିଁ ମାଆ ଅଟନ୍ତି ଏବଂ ବ୍ରହ୍ମା ବା କାଳ ତଥା ସଦାଶିବ ହିଁ ପିତା ଅଟନ୍ତି ।