ବାହୁଡ଼ା ଯାତ୍ରାର ମହାତ୍ମ୍ୟ! କାହିଁକି ବାହୁଡ଼ା ଯାତ୍ରାକୁ ଦକ୍ଷିଣାଭିମୂଖୀ ଯାତ୍ରା କୁହାଯାଏ?

176

ଶ୍ରୀବିଗ୍ରହମାନଙ୍କର ଫେରନ୍ତା ରଥଯାତ୍ରାକୁ ବାହୁଡ଼ା ଯାତ୍ରା ବା ଦକ୍ଷିଣାଭିମୂଖୀ ଯାତ୍ରା କୁହାଯାଏ । ନବମ ଦିବସରେ ଦେବତାମାନଙ୍କୁ ରଥରେ ଅଧିଷ୍ଠିତ କରାଇବେ । ଉକ୍ତ ଦିନ ପ୍ରାତଃ କାଳ ଅତ୍ୟନ୍ତ ସମୃଦ୍ଧବାନ ଅଟେ । ସେଦିନ ବିଷ୍ଣୁଙ୍କର ପାଳିତ ହେଉଥିବା ଦକ୍ଷିଣାଭିମୂଖୀ ଯାତ୍ରା ଅତ୍ୟନ୍ତ ଦୁର୍ଲଭ ବୋଲି ସ୍କନ୍ଧ ପୁରାଣରେ ବର୍ଣ୍ଣିତ ଅଛି ।

ଶ୍ରୀବିଗ୍ରହ ବାହୁଡ଼ା ଯାତ୍ରାରେ ଦକ୍ଷିଣାଭିମୁଖ ହୋଇ ଯାତ୍ରା କରୁଥିବାବେଳ ଠାକୁରମାନଙ୍କୁ ଦର୍ଶନ କଲେ ଗୁଣ୍ଡିଚାଯାତ୍ରା ଦିନ କରିଥିବା ଉତ୍ତରାଭିମୁଖ ଦର୍ଶନର ଫଳ ମିଳିଥାଏ ବୋଲି ପୁରାଣରେ ବର୍ଣ୍ଣିତ ଅଛି । ଏପରିକି ଭକ୍ତମାନେ ଏହି ଦୁର୍ଲଭ ଦର୍ଶନରେ ଅଶ୍ୱମେଧ ଯଜ୍ଞର ଫଳ ଲାଭ କରି ଅନ୍ତକାଳରେ ବୈକୁଣ୍ଠ ପ୍ରାପ୍ତି ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ । ନବମୀ ଦିନ ରାତ୍ରିରେ ବଡ଼ସିଂହାର, ପୁଡ଼ ଆଳତି ସରିବା ପରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖରେ ଖଣ୍ଡୁଆ ପକାଇ ପୁଷ୍ପାଳକମାନେ ଗମ୍ଭୀରାରୁ ବାହାରି ଆସିଥାନ୍ତି । ଏହାପରେ ଦଇତାପତିମାନେ ଠାକୁରମାନଙ୍କ ଅନ୍ୟାନ୍ୟ ଗୁପ୍ତସେବା କରିବା ସହିତ କୋଠ ସୁଆଁସିଆମାନେ ସିଂହାସନକୁ ଲଗାଇ ଚାରମାଳ ବାନ୍ଧିଥାନ୍ତି । ରାଘବଦାସ ମଠ ଦେଇଥିବା ଶୁକ୍ଳ ସଜକୁ ଦଇତା ସେବକମାନେ ଠାକୁରମାନଙ୍କୁ ଲାଗି ରାଇଥାନ୍ତି । ବାହୁଡ଼ା ଯାତ୍ରା ଦିନ ସକାଳ ସମୟରେ ମଙ୍ଗଳ ଆଳତି, ଅବକାଶ ଇତ୍ୟାଦି ନୀତି ଭିତରଚ୍ଛ ମହାପାତ୍ର ଓ ପାଳିଆ ପୁଷ୍ପାଳକମାନେ ବଡ଼ାଇବା ପରେ ଗୋପାଳ ବଲ୍ଲଭ ଓ ସକାଳ ପୂଜାପଣ୍ଡା ଓ ଅନ୍ୟାନ୍ୟ ନୀତି ସଂପୃକ୍ତ ସେବକମାନଙ୍କ ସହାଯ୍ୟରେ ପୂଜା ସମାପନ କରିଥାନ୍ତି ।

ଏହାପରେ ଦଇତାପତିମାନେ ଶ୍ରୀବିଗ୍ରହମାନଙ୍କର ସେନାପଟା ଲାଗି ଗୁପ୍ତ ନୀତି କରିଥାନ୍ତି । ଉକ୍ତ କାର୍ଯ୍ୟ ଶେଷ ହେବା ପରେ ଶ୍ରୀଗୁଣ୍ଡିଚା ଦିନ ପରି ପୂଜା ପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକଙ୍କ ଦ୍ୱାରା ତିନିବାଡ଼ରେ ମଙ୍ଗଳାର୍ପଣ ହୋଇଥାଏ । ଏହାପରେ ମୁଦିରସ୍ତ ଡୋରଲାଗି ଓ ପୁଷ୍ପାଞ୍ଜଳି ନୀତି ସମାପନ କରିବାପରେ ବିଜେ କାହାଳୀ ବାଜେ ଓ ଠାକୁରମାନଙ୍କର ବାହୁଡ଼ା ପହଣ୍ଡି ଆରମ୍ଭ ହୋଇଥାଏ । ଶ୍ରୀବିଗ୍ରହମାନେ ଜଗମୋହନ ଦୁଆର ପାଖେ ପହଁଚିବା କ୍ଷଣି ରାଘବଦାସ ମଠ ପ୍ରଦତ୍ତ ଟାହିୟା, ଶ୍ରୀମସ୍ତକରେ ଲାଗି କରାଯିବା ସହିତ, ପତି ମହାପାତ୍ର ପ୍ରସାଦ ( ଧଣ୍ଡି ଓ ଚନ୍ଦନ) ବନ୍ଦାପନା, କର୍ପୂର ଆଳତି, ସାତବତୀ ସଞ୍ଜ କାହାଳି ଓ ଘସା, ବିଡ଼ିଆ ମାଣୋହି କରିଥାନ୍ତି । ଏହି ସମୟରେ ପୁଷ୍ପାଳକ ମହାଜନମାନେ ତୁଳି ଲାଗି ବଢ଼ାଇଥାନ୍ତି । ଏହି ନୀତି ପରେ ଠାକୁରମାନେ ଧାଡ଼ି ପହଣ୍ଡିରେ ସ୍ୱ ସ୍ୱ ରଥକୁ ବିଜେ କରିଥାନ୍ତି ।

ଏହାପରେ ଘଣ୍ଟ, ଛତା, କାହାଳୀ ସହ ମଦନମୋହନ ଓ ରାମ, କୃଷ୍ଣ ଯଥାକ୍ରମେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ରଥକୁ ବିଜେ ହୋଇଥାନ୍ତି । ସମସ୍ତ ବିଗ୍ରହ ପହଣ୍ଡି ବିଜେ ହୋଇ ରଥାରୂଢ଼ ହେବାପରେ ରୁନ୍ଧା କାର୍ଯ୍ୟ ବଢିଥାଏ । ଠାକୁରମାନେ ରଥାରୂଢ଼ ହେବାପୂର୍ବରୁ ବିଶ୍ୱକର୍ମା ମହାରଣା, ଦରଜୀ ସେବକ, କୋଠ ସୁଆଁସିଆ ପ୍ରଭୃତି ସେବକ ତିନି ରଥର ଆବଶ୍ୟକୀୟ ମରାମତି କାର୍ଯ୍ୟ ପୂର୍ବ ଦିନରୁ କରି ଦେଇଥାନ୍ତି । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବିଭିନ୍ନ ପଦାଧିକାରୀ, କର୍ମଚାରୀ ଓ ସରକାରୀ ପୋଲିସ ଫୋର୍ସ ଏସକର୍ଟ ଗାଡି ସହ ଛେରାପହଁରା ନିମିତ୍ତ ଗୁଣ୍ଡିଚା ମନ୍ଦିରଠାରୁ ଶ୍ରୀନଅର ଅଭିମୂଖେ ଯାଇଥାନ୍ତି । ପୂର୍ବରୁ ଶ୍ରୀନଅର ତାମଯାନ, କାହାଳିଆ, ଭାରୁଆ ( କାନେ୍ଧାଉଥିବା ଲୋକ) ବଡ଼ଶଙ୍ଖ ଠାରେ ପହଞ୍ଚିଥାନ୍ତି । ଶ୍ରୀନଅରରୁ ଶ୍ରୀମନ୍ଦିର କାର ଯୋଗେ ଗଜପତି ମହାରାଜା ରଥ ଉପରେ ଛେରାପହଁରା କରିବା ନିମିତ୍ତ ବାହାରିଥାନ୍ତି । ବଡ଼ଶଙ୍ଖ ଠାରେ ସମସ୍ତ ଗାଡ଼ି ପହଁଚିବା ପରେ ସେଠାରୁ ହସ୍ତୀ, ଛତି, କାହାଳୀ ସହ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଗଜପତି ତାମଯାନରେ ବସି ଗୁଣ୍ଡିଚାଘର ନାକଚଣା ଦ୍ୱାରଠାରେ ରହିଥିବା ରଥ ନିକଟକୁ ଆସିଥାନ୍ତି । ସେଠାରେ ଶ୍ରୀଗୁଣ୍ଡିଚା ଦିନ ପରି ତିନି ରଥକୁ ଛେରାପହଁରା କରିଥାନ୍ତି । ଛେରାପହଁରା ନୀତି ସରିବା ପରେ ଭୋଇ ସେବକମାନେ ରଥରୁ ଚାରମାଳ ଖୋଲିବା ସଂଗେ ସଂଗେ ରୂପକାର ସେବକମାନେ ରଥରେ ଘୋଡ଼ା ବାନ୍ଧିଥାନ୍ତି ।

ମହାରଣା ଓ ଭୋଇ ସେବକମାନେ ରଥ ଦଉଡ଼ି ଲଗାଇବା ପରେ ରଥ ନିର୍ଦ୍ଦେଶକଦଳଙ୍କ ପରାମର୍ଶରେ ରଥଟଣା ହୋଇଥାଏ । ରଥଟଣା ସମୟରେ କେତେକ ଅନୁଷ୍ଠାନ ବ୍ୟକ୍ତିବିଶେଷଙ୍କ ତରଫରୁ ଉକ୍ତ ଦିନ ଠାକୁରମାନଙ୍କ ଉଦ୍ଦେଶ୍ୟରେ ପନ୍ତିଭୋଗ ହୋଇଥାଏ । ଯାହାକି ପୂର୍ବରୁ ଉଲ୍ଲେଖ କରାଯାଇଛି । ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥଟଣା ହୋଇ ସିଂହଦ୍ୱାରକୁ ଆସିଥାଏ । ବାହୁଡା ଯାତ୍ରା କାଳରେ ଦକ୍ଷିଣାଭିମୂଖୀ ରଥସ୍ଥ ଦେବଦର୍ଶନ ଅତ୍ୟନ୍ତ ପୂଣ୍ୟପ୍ରଦ ଓ ପାପତାପ ସଂହାରକ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି । ଜଗନ୍ନାଥ ମହାପ୍ରଭୁଙ୍କ ରଥ ମାରିଚିକୋଟ ନିକଟସ୍ଥ ଶ୍ରୀନଅର ଠାରେ ପହଁଚିବା ପରେ ‘ଲକ୍ଷ୍ମୀନାରାୟଣ ଭେଟ’ ହୋଇଥାଏ ।

ମହାଜନ ସେବକମାନେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଟବସ୍ତ୍ର,ମାଳଫୁଲ, ଅଳଙ୍କାରରେ ବେଶ କରାଇ ସାତ ପାହାଚ ଦ୍ୱାର ଠାରେ ଥିବା ପାଲିଙ୍କି ଚାହାଣୀ ମଣ୍ଡପକୁ ନିଆଯାଏ । ଚାହାଣୀ ମଣ୍ଡପରେ ଲକ୍ଷ୍ମୀ ବିଜେ ହୋଇ ନନ୍ଦିଘୋଷ ରଥରେ ବିରାଜମାନ କରିଥିବା ଶ୍ରୀଜଗନ୍ନାଥଙ୍କ ସହିତ ଭେଟ ହୁଅନ୍ତି । ତତ୍ପରେ ରଥ ପ୍ରଦକ୍ଷିଣ ଓ ମହାପ୍ରଭୁଙ୍କ ଆଜ୍ଞାମଳ ପାଇ ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବା ସଙ୍ଗେ ସଙ୍ଗେ ଶ୍ରୀନଅର ଠାରୁ ନନ୍ଦିଘୋଷ ରଥ ଟଣାଯାଇ ସିଂହଦ୍ୱାର ଠାରେ ଲାଗେ ।