ଆସୁଛି ନୀଳ ରଙ୍ଗର ଆଧାର କାର୍ଡ ! ୟୁଆଇଡିଏଆଇ ଦେଲା ସୂଚନା, ଜାଣନ୍ତୁ କେଉଁ କ୍ଷେତ୍ରରେ କାମ କରିବ ଏହି ବ୍ଲୁ ଆଧାର କାର୍ଡ

37

ଖୁବ୍ ଶୀଘ୍ର ଆସୁଛି ବ୍ଲୁ ଆଧାର କାର୍ଡ । ୟୁଆଇଡିଏଆଇ ପକ୍ଷରୁ ଖୁବ୍ ଶୀଘ୍ର ଜାରି ହେବାକୁ ଯାଉଛି ଏହି ନୀଳ ରଙ୍ଗର ଆଧାରକାର୍ଡ । ତେବେ ଏହି ଆଧାରକାର୍ଡର କଣ ବିଶେଷତ୍ୱ ରହିଛି ସେନେଇ ଆମେ ନିମ୍ନରେ ବିସ୍ତାର ଭାବେ ଆଲୋଚନା କରିଛୁ । ଆସନ୍ତୁ ଜାଣିବା ସେ ସଂପର୍କରେ. . .

ଆଧାର ୧୨ ଅଙ୍କ ବିଶିଷ୍ଟ ନମ୍ବର ହୋଇଥାଏ । ଯାହାକି ୟୁଆଇଡିଏଆଇ ଦ୍ୱାରା ଜାରି କରାଯାଇଛି । ଆଧାର କାର୍ଡ ଦେଶର ନାଗରିକଙ୍କ ପାଇଁ ଏକ ବାଧ୍ୟତାମୂଳକ ପରିଚୟ ପତ୍ର ଭାବେ ଏବେ ପରିଗଣିତ । ୟୁଆଇଡିଏଆଇ ଏକ ଟୁଇଟରେ ସ୍ପଷ୍ଟ କରିଛି କି, ଦେଶର କୌଣସି ବି ନାଗରିକ ଆଧାର କାର୍ଡ ପାଇଁ ନାମାଙ୍କନ କରିପାରିବେ । ଏପରିକି ଏକ ନବଜାତ ଶିଶୁର ମଧ୍ୟ ଆଧାର କାର୍ଡ ତିଆରି କରାଯାଇପାରିବ । ଏଥିସହିତ ଏହା ମଧ୍ୟ କହିଛି କି, ନୀଳ ରଙ୍ଗର ‘ବାଲ୍ ଆଧାର’ ଜାରି କରାଯିବା ନେଇ ଯୋଜନା ଚାଲିଛି, ଯାହାକି ୫ ବର୍ଷରୁ କମ ବୟସର ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ । ଶିଶୁର ଜନ୍ମ ପ୍ରମାଣପତ୍ର ଏବଂ ବାପାମାଆଙ୍କ ମଧ୍ୟରୁ କୌଣସି ଜଣଙ୍କର ଆଧାର କାର୍ଡର ନମ୍ବର ଜରିଆରେ ‘ବାଲ୍ ଆଧାର’ ତିଆରି କରାଯାଇପାରେ ।

ଏଠାରେ ଆମେ କହି ରଖୁଛୁ କି, ‘ବାଲ୍ ଆଧାର’ ତିଆରି କରିବା ପାଇଁ ବାୟୋମେଟ୍ରିକର ଆବଶ୍ୟକତା ପଡିବ ନାହିଁ । ପିଲାଟିକୁ ଯେତେବେଳେ ୫ ବର୍ଷ ଅତିକ୍ରମ କରିବ ସେତେବେଳେ ଯାଇ ତାର ବାୟୋମେଟ୍ରିକ ଅପଡେଟ କରିଦିଆଯିବ ।

ଏବେ ନଜର ପକାନ୍ତୁ କିଭଳି ତିଆରି କରାଯିବ ବାଲ୍ ଆଧାର

• ସର୍ବପ୍ରଥମେ ନାମାଙ୍କନ କେନ୍ଦ୍ରକୁ ଯାଇ ଏକ ଫର୍ମ ଆଣିବାକୁ ପଡିବ ।

• ଏହି ଫର୍ମରେ ଶିଶୁର ଜନ୍ମ ପ୍ରମାଣପତ୍ର ଏବଂ ବାପାମାଆଙ୍କ ମଧ୍ୟରୁ ଜଣଙ୍କର ଆଧାର ନମ୍ବର ଦେବାକୁ ପଡିବ ।

• ଏଥିସହିତ ଏହି ଫର୍ମରେ ମୋବାଇଲ ନମ୍ବର ମଧ୍ୟ ଦେବାକୁ ପଡିବ ।

• ଯଦି ଆବେଦକଙ୍କର ବୟସ ୫ବର୍ଷରୁ କମ୍ ରହିଛି, ତେବେ ତାର ବାୟୋମେଟ୍ରିକର ଆବଶ୍ୟକତା ପଡିବ ନାହିଁ । କେବଳ ଫଟୋର ଆବଶ୍ୟକତା ପଡିବ ଆଉ ଯେତେବେଳେ ପିଲାଟିକୁ ୫ବର୍ଷ ହୋଇଯିବ ସେତେବେଳେ ତାର ବାୟୋମେଟ୍ରିକ୍ ନିଆଯିବ ।

• ବାୟୋମେଟ୍ରିକ୍ ସ୍ଥାନରେ ଶିଶୁଟିର ଏକ ଫଟୋ କ୍ଲିକ୍ କରାଯିବ ।

• ଶିଶୁର ଆଧାର ତାର ବାପାମାଆଙ୍କର ୟୁଆଇଡି ତଥା ଆଧାର କାର୍ଡ ନମ୍ବରରୁ ଲିଙ୍କ କରାଯିବ ।

• କନଫର୍ମେସନ ପରେ ସ୍ୱୀକୃତି ପର୍ଚି ରଖିବାକୁ ହେବ ।

• ଯେତେବେଳେ ରେଜିଷ୍ଟ୍ରେସନ ଏବଂ ଭେରିଫିକେସନ ପ୍ରକ୍ରିୟା ଶେଷ ହୋଇଯିବ ସେତେବେଳେ ଆପଣ କରିବାଥିବା ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ଏସଏମଏସ ଆସିବ ଏବଂ ଏହି ଏସଏମଏସ ଆସିବାର ୬୦ ଦିନ ଭିତରେ ଶିଶୁଟିର ଆଧାର କାର୍ଡ ତିଆରି ହୋଇଯିବ ।