କାର୍ଗିଲ ବିଜୟ ଦିବସ ! ଶତ୍ରୁପକ୍ଷ ସହ ଲଢି ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଅଛନ୍ତି ଭଦ୍ରକ ଜିଲ୍ଲାର ନିରଂଜନ ବେହେରା

55

କନକ ବ୍ୟୁରୋ: ଆଜି କାର୍ଗିଲ ବିଜୟ ଦିବସ । ୧୯୯୯ ମସିହା ଜୁଲାଇ ଆଜିର ଦିନରେ ଭାରତ ଅପରେସନ ବିଜୟ ସଫଳ ହୋଇଥିବା ଓ ପାକିସ୍ତାନୀ ଅନୁପ୍ରବେଶକାରୀମାନେ କବଜା କରିଥିବା ସମସ୍ତ ଘାଟି ହରାଇଥିଲେ । କାରଗିଲ ବିଜୟ ଦିବସର ୧୮ ବର୍ଷ ପୁରଣ ଅବସରରେ କଶ୍ମୀରର ଦ୍ରାସ ଠାରେ ଦୀପ ପ୍ରଜ୍ୱଳନ କରି ବିଜୟ ଉତ୍ସବ ପାଳନ କରିଛନ୍ତି ଭାରତୀୟ ଯବାନ । ତେବେ କାର୍ଗିଲ ଯୁଦ୍ଧରେ ଦେଶର ୫୨୬ଜଣ ଯବାନ ସହିଦ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ଅଛନ୍ତି ଅନେକ ଓଡ଼ିଆ ଯବାନ । ଦେଶ ପାଇଁ ବଳିଦାନ ଦେଇଥିବା ଜଣେ ସହିଦ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପାଙ୍ଗୁଡ଼ା ଗାଁର ନିରଂଜନ ବେହେରା । ମ୍ୟାଟ୍ରିକ ପରେ ମାତ୍ର ୧୬ବର୍ଷ ବୟସରେ ଘରୁ ଲୁଚି ପଳାଇଥିବା ନିରଂଜନ ଜଣେ ଦକ୍ଷ ଯୋଦ୍ଧା ।

ଏଥିରେ ଯବାନମାନଙ୍କ ପରିବାର ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଅପରେସନ ବିଜୟ ଦିବସ ଅବସରରେ ଦ୍ରାସ ଠାରେ ସହିଦଙ୍କୁ ଶ୍ରଦ୍ଧାଂଜଳି ଦିଆଯାଇଛି । ଏଥିର ସହିଦଙ୍କ ପରିବାରଲୋକେ ସାମିଲ ହୋଇଥିବା ବେଳେ ଯବାନଙ୍କ ବୀର ଗାଥାର ଫଟୋ ପ୍ରଦର୍ଶନ ମଧ୍ୟ କରାଯାଇଛି ।

ଭାରତୀୟ ସେନାର ପଂଚମ ପାରା ରେଜିମେଂଟରେ ଜଣେ ସୈନିକ ଭାବରେ ଦୀର୍ଘ ୧୨ବର୍ଷ କାର୍ଯ୍ୟ କରିଛନ୍ତି ନିରଂଜନ । ୧୯୯୯ ଜୁଲାଇ ୨୧ ତାରିଖରେ ନିରଂଜନଙ୍କ ଚିଠି ପାଇ ପରିବାର ଲୋକ ଜାଣିବାକୁ ପାଇଥିଲେ ଯେ, ସେ ଭାରତୀୟ ସେନାର ଜଣେ ଯବାନ । ଠିକ୍ ସେହି ବର୍ଷ ଆଉ ସେହି ମାସ ୨୩ ତାରିଖରେ ଘରେ ଖବର ପହଂଚିଲା ଶତ୍ରୁପକ୍ଷ ସହ ଲଢି ସହିଦ ହୋଇଯାଇଛନ୍ତି ୨୮ ବର୍ଷିୟ ନିରଂଜନ ବେହେରା ।

ଆଉ ସେହି ସମୟରେ ପ୍ରଶାସନିକ ସ୍ତରରେ ସହିଦ ନିରଂଜନଙ୍କୁ ବିପୁଳ ଶ୍ରଦ୍ଧାଂଜଳି ଦିଆଯାଇଥିଲା । ବାସ୍ ତା ପରେ ସମସ୍ତଙ୍କ ପାଇଁ ସହିଦ ପାଲଟି ଯାଇଛନ୍ତି ଅଲୋଡା । ସବୁଠାରୁ ଅବହେଳିତ ସହିଦଙ୍କ ଜନ୍ମମାଟି । ପରିବାର ତ ଅବହେଳିତ ଗାଁ ମାଟି ବି ଅବହେଳିତ । ସବୁଠାରୁ କ୍ଷୋଭର ବିଷୟ ହେଉଛି, ୧୭ ବର୍ଷ ହେବ ସହିଦଙ୍କୁ ଶ୍ରଦ୍ଧାଂଜଳି ବି ଦିଆଯାଉନାହିଁ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।