ଜଣେ ଭୋକିଲା ମାଆର ଆକୁଳ ନିବେଦନ- ବାବୁ ! ଖଣ୍ଡିଏ ରୁଟି ଦିଅନ୍ତୁ ନଚେତ୍ ମୃତ୍ୟୁ ଦିଅନ୍ତୁ

88

ଭୋକିଲା ପେଟରେ ରହିବେ ନାହିଁ କେହି । ଅନାହାରରେ ମରିବେ ନାହିଁ କୌଣସି ବ୍ୟକ୍ତି । ସରକାରଙ୍କ ତରଫରୁ ଏଭଳି ବୟାନବାଜି ଜାରି ରହିଥିବା ବେଳେ ଏବେବି ଅନାହାର ଲୋକେ ମରୁଥିବାର ଖବର ସାମ୍ନାକୁ ଆସୁଛି । ତେବେ ଏଥରକ ଏଭଳି ଏହି ଘଟଣା ନବୀନଙ୍କ ଗଡରେ ନୁହେଁ ବରଂ ଯୋଗୀ ଆଦିତ୍ୟ ନାଥଙ୍କ ଶାସନ ଗଡରେ ଦେଖାଦେଇଛି ।

ଉତ୍ତରପ୍ରଦେଶ ସରକାର କାହାକୁ ବି ଭୋକିଲା ପେଟରେ ଶୁଆଇ ଦିଅନ୍ତି ନାହିଁ ବୋଲି ଯେତେ ସବୁ ଡେଙ୍ଗୁରା ବଜାଇଲେ ମଧ୍ୟ ସତ୍ୟ କିନ୍ତୁ ସବୁବେଳେ ସତ୍ୟ ଅଟେ । ଆଉ ଏହାର ସଦ୍ୟ ଉଦାହରଣ ହେଉଛି ନିକଟରେ ଝାନ୍ସିରେ ଘଟିଥିବା ଘଟଣା । ସୂଚନା ମୁତାବକ, ଝାନ୍ସିରେ ସରକାରୀ ବ୍ୟବସ୍ଥାରେ ହୋଇଥିବା ଭ୍ରଷ୍ଟାଚାରର ଶିକାର ହୋଇଛନ୍ତି ଜଣେ ମହିଳା । ଯିଏକି ନିଜ ପିଲାମାନଙ୍କ ସହିତ ଜିଲ୍ଲା ଅଧିକାରୀ କାର୍ଯ୍ୟାଳୟରେ ପହଂଚି ଆକୁଳ ନିବେଦନ କରିଥିଲେ ଗଣ୍ଡେ ଖାଇବା ପାଇଁ । ମହିଳା ଜଣକ ଗୁହାରୀ କରିଥିଲେ ଯେ ‘ ଖାଦ୍ୟ ଦିଅନ୍ତୁ ନହେଲେ ମୃତ୍ୟୁ’ । ପ୍ରକୃତ ଘଟଣାଟି ହେଲା, ରାସନ କାର୍ଡ଼ କରିଦେବା କଥା କହି ଦଲାଲ ମାନେ ଏହି ମହିଳାଙ୍କ ନିକଟରୁ ୪ ହଜାର ଟଙ୍କା ଠକି ନେଇଛନ୍ତି । ଶେଷରେ ସେ ଜିଲ୍ଲାପାଳଙ୍କର ଦ୍ୱାରସ୍ତ ହୋଇଛନ୍ତି କିନ୍ତୁ ମଣିମା ତାଙ୍କ ଗୁହାରୀ ଶୁଣିନଥିଲେ । ତେବେ ୪ ହଜାର ଟଙ୍କାର ଠକାମୀରେ ଶିକାର ହେବାପରେ ତାଙ୍କ ନିକଟରେ ଓଳିଏ ଖାଇବାକୁ ମଧ୍ୟ ଟଙ୍କାଟିଏ ବି ନାହିଁ । ସେଥିପାଇଁ ସେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଧାରଣାରେ ବସିଛନ୍ତି । ଯେଉଁଥିରେ ଲେଖା ଯାଇଛି ‘ ଖାଦ୍ୟ ଦିଅନ୍ତୁ ନହେଲେ ମୃତ୍ୟୁ’ ।

ଏହି ମହିଳାଙ୍କ ନାମ ହେଉଛି ‘ନର୍ଗିସ’ । ସ୍ୱାମୀ ତାଙ୍କର ଜଣେ ଦିନ ମୁଜୁରିଆ । କିନ୍ତୁ ଦି ଓଳି ଦି ମୁଠା ଖାଇବାକୁ ପାଆନ୍ତି ନାହିଁ ନର୍ଗିସଙ୍କ ପରିବାର । ମହଙ୍ଗା ଦୁନିଆରେ ଦୁଇ ଛୁଆଙ୍କ ସହିତ ଚଳିବା ତାଙ୍କ ପାଇଁ କଷ୍ଟକର ହୋଇପଡିଛି । ରାସନ କାର୍ଡ଼ ନଥିବାରୁ ସେ କଂଟ୍ରୋଲରୁ ରାସନ ମଧ୍ୟ ପାଇପାରୁ ନାହାଁନ୍ତି । ଆଉ କାର୍ଡ଼ ଖଣ୍ଡିଏ ପାଇବା ପାଇଁ ସେ ପଡିଯାଇଥିଲେ ଦଲାଲଙ୍କ ହାବୁଡରେ । ତେବେ କାର୍ଡ କରାଇଦେବାକୁ କହି ଦଲାଲ ତାଙ୍କଠାରୁ ୪ ହଜାର ଟଙ୍କା ଠକି ନେଇଥିଲେ । ଯାହାକୁ ଫେରି ପାଇବା ଏବଂ ରାସନ କାର୍ଡ ଦେବାକୁ ଦାବି କରି ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ଧାରଣାରେ ବସିଥିଲେ ନର୍ଗିସ୍ ଓ ତାଙ୍କ ପରିବାର ।

ମାତ୍ର ବୋଝ ଉପରେ ଲଳିତା ବିଡ଼ା ପରି ସରକାରୀ ବାବୁ ମଧ୍ୟ ତାଙ୍କ ଦୁଃଖ ଶୁଣିନଥିଲେ । ଯେଉଁଥିପାଇଁ ଶେଷରେ ସେ ଏହି ରାସ୍ତାକୁ ବାଛି ନେଇଛନ୍ତି । ପରେ ସେ ଜିଲ୍ଲା ପୂର୍ତ୍ତି କାର୍ଯ୍ୟାଳୟ ମଧ୍ୟ ଯାଇଥିଲେ । ସେଠାରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି ।

ସୌଜନ୍ୟ: ନ୍ୟୁଜ୍-୧୮