ଆଡପ ମଣ୍ଡପରେ କାହଁକି ବିଜେ କରନ୍ତି ଚତୁର୍ଦ୍ଧାମୂରତି?

118

ପ୍ରଭୁ ଜଗନ୍ନାଥ ନିଳାଞ୍ଚଳ ଧାମରେ ବସି ନିଳାଖେଳା କରୁଛନ୍ତି । ତେବେ ୧୨ ମାସରେ ୧୩ ପର୍ବର ଆୟୋଜନ କରାଯାଇଥାଏ ଶ୍ରୀମନ୍ଦିରରେ । ତେଣୁ ଠାକୁରମାନଙ୍କ ଯାତ୍ରାମଧ୍ୟରେ ରଥଯାତ୍ରା ଏକ ବିଶେଷ ପର୍ବ । କାରଣ ଏହି ସମୟରେ ଠାକୁରମାନେ ଶ୍ରୀମନ୍ଦିର ବାହାରକୁ ବାହାରିଥାଆନ୍ତି । ଅନ୍ୟ ସମସ୍ତ ଯାତ୍ରାରେ ଠାକୁରମାନଙ୍କ ବିଜେ ପ୍ରତିମା ବା ଚଳନ୍ତି ପ୍ରତିମା ବିଜେ କରନ୍ତି । ବର୍ଷକୁ ଥରେ ମହାପ୍ରଭୁ ନିଜର ଭକ୍ତଙ୍କ ସହ ମିଶିବା ପାଇଁ ବାହାରି ଆସନ୍ତି । ଏହି ଯାତ୍ରା ସମୟରେ ଠାକୁରମାନେ ଗୁଣ୍ଡିଚା ମନ୍ଦିର ବା ଆଡପ ମଣ୍ଡପରେ ବିଜେ କରିବାର ବିଧି ରହିଛି । ସମସ୍ତେ ଭାବନ୍ତି ଏହା ଠାକୁରମାନଙ୍କ ମାଉସୀ ମା’ ଘର । କିନ୍ତୁ କହିରଖୁଛୁ ଏହା ଚତୁର୍ଦ୍ଧାମୂରତିଙ୍କ ଜନ୍ମ ବେଦୀ ।

ପୂରାଣଶାସ୍ତ୍ର ଅନୁସାରେ ମହାପ୍ରଭୁ ପ୍ରଥମେ ଗୁଣ୍ଡିଚା ମନ୍ଦିରରେ ଜନ୍ମ ନେଇଥିଲେ । ଅର୍ଥାତ୍ ସେଠାରେ ହିଁ ପ୍ରଥମେ ପ୍ରତିଷ୍ଠା ହୋଇଥିଲେ । ତେଣୁ ସେଠାକୁ ଥରେ ବୁଲିବାକୁ ଯାଆନ୍ତି ଠାକୁରମାନେ । ତେବେ କାହିଁକି ସେଠାକୁ ଯାଆନ୍ତି ? ପ୍ରଥମେ ଯେତେବେଳେ ଦାରୁରୁ ମହାପ୍ରଭୁମାନଙ୍କୁ ବିଗ୍ରହ ରୂପେ ଦିଆଗଲା ସେତେବେଳେ ବଢେଇଙ୍କ କହିବା ଅନୁସାରେ ମହାପ୍ରଭୁଙ୍କୁ ଯେଉଁଠାରେ ନିର୍ମାଣ କରାଯାଉଥିଲା ସେଠାର ପରିବେଶରେ ଭିତରର କୌଣସି ଶଦ୍ଦ ଯେପରି ବାହାରକୁ ଆସିବ ନାହିଁ । ତେଣୁ ବଢେଇଙ୍କ କହିବା ଅନୁସାରେ ରାଜା ଇନ୍ଦ୍ରଦୁମ୍ନ ସମସ୍ତ ବ୍ୟବସ୍ଥା କରିଥିଲେ । କିଛି ଦିନ ଗଲାପରେ ଭିତରର କୌଣସି ଶଦ୍ଦ ବାହାରକୁ ଆସିଲା ନାହିଁ ରାଣୀ ଗୁଣ୍ଡିଚା ଚିନ୍ତା ଗ୍ରସ୍ତ ହୋଇ ଦ୍ୱାର ଖୋଲ୍ିଥିଲେ । ତେବେ ଭିତରେ ଦେଖିବା ପରେ ଠାକୁରମାନେ ନିର୍ମାଣ ହୋଇ ରହିଥାଆନ୍ତି । ତେବେ ପାଦ ନାହିଁ କି ହାତ ନାହିଁ ଏପରି ବିଗ୍ରହ ଦେଖି ରାଜା ଓ ରାଣୀ ଆଚମ୍ବିତ ହେଲେ । ମହାପ୍ରଭୁଙ୍କୁ ଏପରି କେମିତି ହେଲା ବୋଲି ପଚାରିଲେ ସେଠାରେ ଭଗବାନ ରାଜାଙ୍କୁ କହିଥିଲେ ଆମେ ଏହି ରୂପରେ ହିଁ ପୂଜା ହେବୁ । ତେଣୁ ରାଜା ମଧ୍ୟ ଠାକୁରଙ୍କ କଥା ମାନିନେଲେ ।

ପରେ ରାଜା ଓ ରାଣୀ ଭଗବାନଙ୍କୁ ଦର୍ଶନ କଲାପରେ ଭଗବାନ କଣ ବର ମାଗିବ ମାଗ ବୋଲି ରାଜା ଓ ରାଣୀଙ୍କୁ କହିଥିଲେ । ତେବେ ରାଜା କହିଥିଲେ ପ୍ରଭୁ ମୋର ପୁତ୍ର ନହେଉ । ଏହା ଶୁଣି ଭଗବାନ ପଚାରିଥିଲେ ଏପରି ବର କାହିଁକି ମାଗିଲ । ରାଜା ଉତ୍ତରରେ କହିଥିଲେ ମୋର ପୁଅ ହେଲେ ସେ କହିବ ଏହାକୁ ମୋ ବାପା ନିର୍ମାଣ କରିଥିଲେ । କିନ୍ତୁ ଏହା ସମସ୍ତଙ୍କ ଉଦ୍ଦେଶ୍ୟରେ ମନ୍ଦିରରେ ଆପଣଙ୍କୁ ପୂଜା କରାଯିବ । ତେଣୁ ଏପରି ବର ମାଗିଲି । ତେବେ ରାଣୀଙ୍କୁ ପଚାରିବାରୁ ସେ କହିଲେ ଯେ, ସ୍ୱାମୀତ ବର ମାଗିଲେ କୌଣସି ପୁତ୍ରମୋର ହେବନାହିଁ । ତେଣୁ ପ୍ରଭୁ ଆପଣ ମୋର ପୁଅ ହେଲେ ଏବଂ ପ୍ରତ୍ୟେକ ବର୍ଷ ଥରେ ମୋପାଖକୁ ଆସିବେ ଓ ମୋ ସାଙ୍ଗେ କିଛି ଦିନ ରହିବେ ଏହାହିଁ ମୋର ଇଚ୍ଛା । ଭଗବାନ ଏହାଶୁଣି ତଥାସ୍ତୁ ବୋଲି କହିଥିଲେ । ତେଣୁ ଗୁଣ୍ଡିଚା ରାଣୀଙ୍କୁ ଦେଇଥିବା ପ୍ରତିଶୃତି ଅନୁସାରେ ମହାପ୍ରଭୁ ବର୍ଷକୁ ଥରେ ଆଡପ ମଣ୍ଡପ ବା ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାଆନ୍ତି ।