ମୋବାଇଲରୁ ଟଙ୍କା ଚୋରି କରୁଛି ଭାଇରସ୍‌

45

ଲୋକମାନଙ୍କୁ ମୋବାଇଲ୍ ଫୋନରୁ ଟଙ୍କା ଚୋରି କରୁଥିବା ଏକ ଭାଇରସକୁ ଚିହ୍ନଟ କରାଯାଇଛି । ଏହି ଭାଇରସ୍ ନାମ ହେଉଛି ‘ଜାଫେକପି ଟ୍ରୋଜାନ୍’ । କାସ୍କପରସ୍କାଏ ଲ୍ୟାବର ବିଶେଷଜ୍ଞମାନେ ଏହି ଭାଇରସକୁ ଚିହ୍ନଟ କରିଛନ୍ତି । ମାଲଓୟାର ବର୍ଗର ଏହି ଟ୍ରୋଜାନ୍ ଲୋକମାନଙ୍କ ଅଜାଣତରେ ଟଙ୍କା ଚୋରି କରୁଛି । ଡବଲ୍ୟୁପିଏ ବିଲିଂ ପଦ୍ଧତିକୁ ଟାର୍ଗେଟ୍ କରି ଏହା ଟଙ୍କା ଚୋରି କରୁଛି ।

ବ୍ୟାଟେରି ମାଷ୍ଟର୍ ଭଳି ବ୍ୟବହାର ଉପଯୋଗୀ ଆପ୍ ଜରିଆରେ ଜାଫେକପି ଟ୍ରୋଜାନ୍ ମୋବାଇଲ୍ ଫୋନରେ ଲୁଚି ରହୁଛି । ଏହା ପରେ ଅତି ଗୋପନରେ ଏହା ମୋବାଇଲରେ କୋଡ୍ ଲୋଡ୍ କରୁଛି । ଯେଉଁ ଆପ୍ ଭିତରେ ଏହି ଟ୍ରୋଜାନ୍ ଲୁଚି ରହିଥାଏ ମୋବାଇଲର ବ୍ୟବହାରକାରୀ ସେହି ଆପ୍ ଖୋଲିବା ମାତ୍ରେ ଜାଫେକପି ଟ୍ରୋଜାନ୍ ମୋବାଇଲ୍ ପେମେଣ୍ଟରେ ବ୍ୟବହାର ହେଉଥିବା ଓୟାରଲେସ୍ ଆପ୍ଲିକେସନ୍ ପ୍ରୋଟୋକଲ୍ (ଡବ୍ଲ୍ୟୁଏପି)ର ୱେବ୍ ପେଜରେ ପହଞ୍ଚିଯାଏ । ଏହା ପରେ ଅତି ଗୋପନରେ ଭାଇରସ୍ ଫୋନକୁ ବିଭିନ୍ନ ପ୍ରକାର ସେବା ସବସ୍କ୍ରାଇବ୍ କରିବାରେ ବ୍ୟବହାର କରିଥାଏ । ଏହି ପ୍ରକ୍ରିୟାରେ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ପଞ୍ଜୀକରଣ କରିବାକୁ ପଡ଼େ ନାହିଁ ।

କୌଣସି ଆଇଡି ଏବଂ ପାସଓ୍ଵାର୍ଡ ମଧ୍ୟ ଖୋଲିବା ଦରକାର ନାହିଁ । ବ୍ୟବହାରକାରୀଙ୍କ ପାଇଁ ରହିଥିବା ‘କାପଚା’ ପ୍ରକ୍ରିୟାକୁ ଏକ ସ୍ୱତନ୍ତ୍ର ପ୍ରଯୁକ୍ତି ବ୍ୟବହାର କରି ଏହି ଭାଇରସ୍ ଏଡ଼ାଇ ଯାଏ । ମାସକ ଭିତରେ ୪୭ଟି ରାଷ୍ଟ୍ରରେ ଏହି ମାଲଓୟାର ୪୮୦୦ରୁ ଅଧିକ ଲୋକଙ୍କୁ ଆକ୍ରମଣ କରିଛି । ସେଥି ମଧ୍ୟରୁ ୩୭.୫% ଆକ୍ରମଣକୁ କାସପରସ୍କାଏ ଲ୍ୟାବ୍ ଚିହ୍ନଟ କରିବା ସହିତ ଅଟକାଇବାରେ ସଫଳ ହୋଇଛି । ଏହି ଆକ୍ରମଣ ମଧ୍ୟରୁ ୪୦% ଭାରତରେ ଚିହ୍ନଟ କରାଯାଇଛି । ରୁଷିଆ, ତୁର୍କୀ ଏବଂ ମେକ୍ସିକୋ ଏହା ଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି ।

କାସ୍ପରସ୍କାଏ ଲ୍ୟାବର ବରିଷ୍ଠ ମାଲଓୟାର ଆନାଲିଷ୍ଟ୍ ରୋମାନ୍ ଉନୁଚେକ୍ କହିଛନ୍ତି ଯେ, ଏହି ଭାଇରସ୍ ଗୋପନରେ ଟେକ୍ସଟ୍ ମେସେଜ୍ ପଠାଇ ପାରୁଛି ଏବଂ ବ୍ୟବହାରକାରୀଙ୍କ ଅଜାଣତରେ ଇନକମିଂ (ଆସିଥିବା) ମେସେଜକୁ ଡିଲିଟ୍ ମଧ୍ୟ କରିପାରୁଛି । କଂପାନିର ପରିଚାଳନା ନିର୍ଦେଶକ-ଦକ୍ଷିଣ ଏସିଆ ଅଲତାଫ୍ ହାଲଦେ କହିଛନ୍ତି ଯେ, ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାରକାରୀମାନେ ଆପ୍ ଡାଉନଲୋଡ୍ କରିବା ବେଳେ ଅତ୍ୟଧିକ ସାବଧାନତା ଅବଲମ୍ବନ କରିବା ଦରକାର। ତୃତୀୟ ପକ୍ଷ ଆପ୍ ଉପରେ ବିଶ୍ୱାସ ନ କରିବାକୁ ସେ କହିଛନ୍ତି । ଏହା ବ୍ୟତୀତ ମୋବାଇଲ୍ ଫୋନ୍ରେ ଆଣ୍ଟି ଭାଇରସ୍ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି ।