କେନ୍ଦ୍ର ସରକାର ରେଳବାଇରେ ଚାଲିଥିବା ଫ୍ଲେକ୍ସି ଫେୟାର ବ୍ୟବସ୍ଥାର ଅନୁଧ୍ୟାନ କରିବେ। କେବଳ ରେଳ ଟିକଟର ମୂଲ୍ୟ ବୃଦ୍ଧି ହେବ ନାହିଁ, ହୋଟେଲ ଓ ଏୟାରଲାଇନ୍ସ ଗୁଡ଼ିକ ଯେଭଳି ଗ୍ରାହକଙ୍କୁ ଟିକଟରେ ରିହାତି ପ୍ରଦାନ କରୁଛନ୍ତି ରେଳଯାତ୍ରୀମାନଙ୍କୁ ମଧ୍ୟ ସେଭଳି ଟିକଟରେ ରିହାତି ଦିଆଯିବାର ଯୋଜନା ରହିଛି । କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ଏହି ସୂଚନା ଦେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ରେଳବାଇ ପକ୍ଷରୁ ସଂଯୋଗ, ସମନ୍ଵୟ ଓ ବିଚାରବିମର୍ଶ ଶୀଷର୍କରେ ଦିବସବ୍ୟାପୀ ମାନସ ମନ୍ଥନ ହୋଇଥିଲା । ଏହାପରେ ରେଳମନ୍ତ୍ରୀ ଶ୍ରୀ ଗୋୟଲ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି । ରେଳବାଇରେ ଫ୍ଲେକ୍ସି ଫେୟାର ବ୍ୟବସ୍ଥା କାହିଁକି ଟିକଟ ମୂଲ୍ୟ ବୃଦ୍ଧି ଲାଗି ଉପଯୋଗ କରାଯିବ ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ହୋଟେଲ ଏବଂ ଏୟାରଲାଇନ୍ସ ଗୁଡ଼ିକରେ ଯେଭଳି ଗ୍ରାହକ ଓ ଯାତ୍ରୀଙ୍କୁ ରିହାତି ପ୍ରଦାନ କରାଯାଉଛି ରେଳରେ ମଧ୍ୟ ସେଭଳି ରିହାତି ପ୍ରଦାନ କରାଯିବ । ଯେଉଁ ରୁଟ୍ରେ ରେଳରେ ଅପେକ୍ଷାକୃତ କମ୍ ଯାତ୍ରୀ ଯାତାୟତ କରୁଛନ୍ତି ସେଠାରେ ଏହି ସୁବିଧାର ପ୍ରଚଳନ କରାଯାଇ ପାରିବ ବୋଲି ମନ୍ତ୍ରୀ କହିଛନ୍ତି । ଏଥିପାଇଁ ଫ୍ଲେକ୍ସି ଫେୟାର ବ୍ୟବସ୍ଥାର ଅନୁଧ୍ୟାନ କରାଯାଉଛି ।
ରେଳବୋର୍ଡର ଅଧ୍ୟକ୍ଷ ଅଶ୍ୱିନୀ ଲୋହାନି ଏୟାର ଇଣ୍ଡିଆରୁ ଆସିଥିବାରୁ ଏଭଳି ପରୀକ୍ଷଣ କରାଯାଉଛି ବୋଲି ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ୨୦୧୮ରେ ରେଳବାଇ ନିରାପତ୍ତା ଉପରେ ଅଧିକ ଧ୍ୟାନ ଦେବ ବୋଲି ସେ କହିଛନ୍ତି। ଦେଶର ସବୁ ଟ୍ରେନ୍ରେ ସିସିଟିଭି ଲଗାଇବା ପାଇ ଆଲୋଚନା ଚାଲିଛି । ସବୁ ସିସିଟିଭିକୁ ସଂଯୋଗ କରିବା ଲାଗି ସବୁ ଷ୍ଟେସନ୍ରେ ଓ୍ଵାଇ-ଫାଇ ସୁବିଧା ଉପଲବ୍ଧ କରାଯିବ। ଦେଶର ୯୮୩ଟିରୁ ଅଧିକ ଷ୍ଟେସନ୍ରେ ସିସିଟିଭି ଲଗାଇବା ପାଇଁ ନିର୍ଭୟା ପାଣ୍ଠିର ବିନିଯୋଗ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ୨୦୧୮ ଡିସେମ୍ବର ସୁଦ୍ଧା ସିସିଟିଭି ସ୍ଥାପନ ହୋଇଯିବା ନେଇ ରେଳବାଇ ଆଶା ରଖିଛି।