ନାରୀ ଇଶ୍ୱରଙ୍କର ଅନବଦ୍ୟ ସୃଷ୍ଟି । ଭଗବାନଙ୍କ ଦ୍ୱାରା ଏକ ସୃଜିତ ସୃଜନଶୀଳତା । ଯୁଗେ ଯୁଗେ ନାରୀକୁ ନେଇ ରଚିତ ଅନେକ ଗଳ୍ପ ,କାବ୍ୟ ଓ କବିତା । ସ୍ଥାନ ,କାଳ ,ପାତ୍ର ବିଶଷରେ ନାରୀର ବଦଳିଥାଏ ଦାୟିତ୍ୱ ।

ବାସ୍ନାମୟ କଅଁଳ ପୁଷ୍ପ ପରି ,ନାରୀ ବି ଦିନେ କଢିଟିଏ ପରି ଅନେକ ସମ୍ଭାବନାକୁ ସାଥି କରି ଜନ୍ମ ନିଏ ଏ ଦୁନିଆଁ ବଗିଚାରେ । ସେଥିପାଇଁ କୁହାଯାଏ ‘ଝିଅଟିଏ ଫୁଲଟିଏ’ । ଦୁଇ କୂଳକୁ ହିତା । ବଗିଚାରୁ ମନ୍ଦିର ଫୁଲର ଯାତ୍ରା ପରି ଝିଅର ଯାତ୍ରା ବାପ ଘରୁ ଶାଶୂଘର । ଏ ଯାତ୍ରାରେ ତା’ର ଅନେକ ଦୃଶ୍ୟ ଓ ଖୁବ୍ ନିଷ୍ଠା । ସ୍ନେହ ,ପ୍ରେମ ଓ ଶ୍ରର୍ଦ୍ଧାର ଏକ ଚିରସ୍ରୋତା ନଦୀ । ଝିଅଟିଏ ଜନ୍ମ ହେଲେ ,ଘରେ ଖୁସିର ମାହୋଲ ତିଆରି ହୁଏ । ସାଥିରେ ଯେମିତି ସେ ସବୁ ଅନନ୍ଦକୁ ଧରି ଆସିଥାଏ । ତାର ଦରୋଟି ଓଠର କଥା ,ହସ ଓ ନିରୀହ ଚାହାଣୀରେ ଲେଖେ ଅନେକ ସଂପର୍କ ଓ ସମନ୍ୱୟର କାହାଣୀ । ଝିଅଟିଏ ହୋଇ ବାପା ,ମାଙ୍କ ସେବା କରେ , ଭଉଣୀ ହୋଇ ଭାଇକୁ ଦିଏ ସ୍ନେହ ଓ ଆଦର ; ପାଠ ପଢି କୂଳର ଟେକ ରଖେ । କୂଳର ପ୍ରତୀମା ବୋଲାଏ ।

ସମୟ କ୍ରମେ ଯୌବନର ଉପବନରେ ଲେଖେ ନୂଆ ଅଧ୍ୟାୟ , ସଂପର୍କର ପରିଭାଷାକୁ ବଢାଇ ଦିଏ ଆଉ ଜଣେ ଅଜଣା ଲୋକକୁ ନିଜର କରି । ନିଜର ପରିବାର ସହ ଆଉ ଏକ ପରିବାରର କରେ ଯୋଗ ସୂତ୍ର । ଦୁହିତାରୁ ହୋଇଯାଏ ପତ୍ନୀ । ସକଳ ଆଶା ,ବିଶ୍ୱାସକୁ ସାଥୀ କରି ସେ ପତ୍ନୀ ସାଜି ପୂଜା ,ବ୍ରତ ମାନସିକ କରେ ନିଜର ପ୍ରିୟ ପୁରୁଷ ପାଇଁ । ଅର୍ଦ୍ଧାଙ୍ଗିନୀ ହୋଇ ସ୍ୱାମୀକୁ ଦିଏ ମନୋବଳ ,ସୁଖ ଓ ଶାନ୍ତି । ବୋହୁ ହୋଇ କରେ ସେବା ଶାଶୁ-ଶ୍ୱଶୁରଙ୍କ ସେବା । ଆଉ ମା ହୋଇ ଦୁନିଆଁର ସମସ୍ତ ଦୁଃଖକୁ ଛାତିରେ ଚାପି ,ପିଠରେ ପିଠେଇ ,ଚାଲେ ସଂସାର ବାଟ । ସେଥିପାଇଁ ତ କୁହାଯାଏ ମା ହିଁ ଏକ ଶିଶୁର ପ୍ରଥମ ଶିକ୍ଷକ । ଦୁନିଆକୁ ଜଣେ ଦକ୍ଷ ସେନାପତି ଭାବେ ପୁଅକୁ ଗଢେ ପ୍ରତିମା । ନିଜ ସନ୍ତାନକୁ କୋଟିଏରେ ଗୋଟିଏ କରି ଗଢି ତୋଳେ ।

ଏତେ ସବୁ ପରେ କଣ ବଦଳିଛି ଦୁନିଆଁ ? ଆଜି ବି କନ୍ୟା ସନ୍ତାନ ପ୍ରତି ନାକଟେକେ ଏ ସ୍ୱାର୍ଥବାଦୀ ସମାଜ । କଅଁଳ ଫୁଲ କଢିଟେ ଫୁଟିବା ଆଗରୁ ଛିଣ୍ଡେଇ ଦେବା ଭଳି , ମା ଗର୍ଭରୁ ଲିଙ୍ଗ ନିରୂପଣ କରାଯାଏ । କନ୍ୟାଭୂଣକୁ ମାରିଦିଆଯାଏ । ସମାଜ ଏତେ ସଭ୍ୟ ଶିକ୍ଷିତ ହେବାପରେ ବି ନାରୀ ଆଜି ବି ହୁଏ ହୀନ ମନ୍ୟତାର ଶିକାର । ଏହା କେତେଦୂର ଠିକ୍ ଆପଣ ବିଚାର କରନ୍ତୁ ।

ଆମେ ବି କିଛି କମ୍ ନୁହେଁ ନାରାରେ ନାରୀ ଆଜି ନଭକୁ ଛୁଇଁଛି । ପୁରୁଷ ସହ ହାତ ମିଳାଇ ମହାକାଶକୁ ଯାଉଛି , ସୀମାରେ ରହି ଦେଶ ମାତୃକାକୁ ସୁରକ୍ଷା ଦେଉଛି ।ଶିକ୍ଷା ,ସ୍ୱାସ୍ଥ୍ୟ ,ରାଜନୀତି ,ନୃତ୍ୟ, କଳା.ସଂଗୀତ ଓ ବାଣିଜ୍ୟ ବ୍ୟବସାୟ ସବୁଠି ନାରୀର ଅସରା ସଫଳତାର କାହାଣୀ । କୁହାଯାଏ ,ଯେଉଁଠି ପୁରୁଷ ହାରିଯାଏ ,ନାରୀ ସେ’ଠି ଜିତାପଟ ମାରେ । ନାରୀ ଧର୍ୟ୍ୟ ,କ୍ଷମା ,ବିଶ୍ୱାସ ଓ ସମ୍ବନ୍ଧର ଏକ ନିର୍ଲିପ୍ତ ପ୍ରତୀକ ।