ଟ୍ରେନ ଟିକେଟ କନଫର୍ମ ନହେଲେ ରେଲୱେ ଦେବ ଫ୍ଲାଇଟ୍ ଟିକେଟ୍

63

ଯଦି ଆପଣ ବି ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଆପଣ ମଧ୍ୟ ଅଧିକାଂଶ ସମୟରେ ଏହି ସମସ୍ୟାର ସାମ୍ନା ନିଶ୍ଚୟ କରିଥିବେ । ସେ ହେଲା ଠିକ୍ ସମୟରେ ହିଁ ଟ୍ରେନ୍ ଟିକେଟ୍ କନଫର୍ମ ହୋଇନପାରିବା । କାରଣ ଟିକେଟ୍ ବୁକ୍ କରିବା ସମୟରେ ଯଦି ସାମାନ୍ୟତମ ବିଳମ୍ବ ହୋଇଯାଏ ତେବେ ଟିକେଟଟି ୱେଟିଂ ଲିଷ୍ଟକୁ ଚାଲି ଆସିଥାଏ ଆଉ ଯେ ପର୍ଯ୍ୟନ୍ତ ଟିକେଟ୍ କନଫର୍ମ ନହୋଇଛି ସେ ପର୍ଯ୍ୟନ୍ତ ଯାତ୍ରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ । ଏବେ କିନ୍ତୁ ଆପଣଙ୍କୁ ଏହି ସମସ୍ୟାର ସାମ୍ନା କରିବାକୁ ନପଡିପାରେ । କାରଣ ଯଦି କୌଣସି ଯାତ୍ରୀଙ୍କର ଟିକେଟ୍ କନଫର୍ମ ନହେଉଛି ତେବେ ସେମାନଙ୍କୁ ନିଜର ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଫ୍ଲାଇଟ୍ ଟିକେଟ୍ ମିଳିବାର ସମ୍ଭାବନା ରହିଛି ।

ସୂଚନା ମୁତାବକ, ଗତ ବର୍ଷ ଅଶ୍ୱିନୀ ଲୋହାନି ଯେତେବେଳେ ଏୟାର୍ ଇଣ୍ଡିଆର୍ ଅଧ୍ୟକ୍ଷ ଥିଲେ ସେ ସେତେବେଳେ ଏହି ଯୋଜନା ସଂପର୍କରେ ରେଳବାଇକୁ ପ୍ରସ୍ତାବ ଦେଇଥିଲେ । ମାତ୍ର ରେଳ ମନ୍ତ୍ରାଳୟ ଏହା ଉପରେ ସେଭଳି କୌଣସି ସକରାତ୍ମକ ପ୍ରତିକ୍ରିୟା ଦେଖାଇ ନଥିଲା । ଏବେ ଲୋହାନି ରେଳ ମନ୍ତ୍ରାଳୟ ବୋର୍ଡର ଅଧ୍ୟକ୍ଷ ହେବା ପରେ ମତ ଦେଇଛନ୍ତି ଯେ, ଯଦି ଏୟାର୍ ଇଣ୍ଡିଆ ପକ୍ଷରୁ ଏପରି ପ୍ରସ୍ତାବ ପୁନର୍ବାର ଆସେ ତେବେ ଏହା ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରିବେ ।

ତେବେ ପ୍ରତିଦିନ ଅନେକ ଯାତ୍ରୀଙ୍କର ରାଜଧାନୀ ଏକ୍ସପ୍ରେସର ଏସି-୨ ଶ୍ରେଣୀରେ ଟିକେଟ୍ କନଫର୍ମ ହୋଇପାରି ନଥାଏ । ଯଦି ଲୋହାନି ପ୍ରସ୍ତାବ ଦେଇଥିବା ଯୋଜନାଟି ଲାଗୁ ହୁଏ ତେବେ ଯାତ୍ରୀମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଟିକେଟ୍ ଆପେ ଆପେ ଏୟାର୍ ଇଣ୍ଡିଆରେ ନିଶ୍ଚିତ ହୋଇଯିବ ବୋଲି ମିଳିଥିବା ସୂଚନାରୁ ଯାହା ଜଣାପଡିଛି ।
ସୌଜନ୍ୟ: ଆଜତକ୍