ଗଡିଲା ସୌର ଚାଳିତ ପ୍ରଥମ ଟ୍ରେନ୍ !

63

ପ୍ରଥମ ଥର ପାଇଁ ଭାରତୀୟ ରେଳବାଇ ପକ୍ଷରୁ ସୌରଶକ୍ତି ଯୁକ୍ତ ଡିଏମୟୁ ଟ୍ରେନର ଶୁଭାରମ୍ଭ ଶୁକ୍ରବାର ହୋଇଛି । ଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ଏହି ଟ୍ରେନ୍ ଗଡିଛି । ଦିଲ୍ଲୀର ସରାଇ ରୋହିଲ୍ଲା ଷ୍ଟେସନରୁ ହରିୟାଣାର ଫାରୁକ୍ ନଗର ଷ୍ଟେସନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟ୍ରେନରେ ୮ଟି ଡବା ଥିବାବେଳେ ୧୬ଟି ସୋଲାର୍ ପ୍ୟାନେଲ୍ ଲାଗିଛି ।

ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅନ୍ତର୍ଗତ ଏହି ସୋଲାର ପ୍ୟାନେଲ୍ ବାବଦରେ ଖର୍ଚ୍ଚ ହୋଇଛି ୫୪ ଲକ୍ଷ ଟଙ୍କା । ଏହି ଟ୍ରେନରେ ପାୱାର ବ୍ୟାକଅପ୍ ସୁବିଧା ମଧ୍ୟ ରହିଛି । ବ୍ୟାଟେରୀ ମାଧ୍ୟମରେ ୭୨ ଘଂଟା ପର୍ଯ୍ୟନ୍ତ ଯାତ୍ରା ଏହି ଟ୍ରେନ୍ କରିପାରିବ । ଗତ ବର୍ଷ ରେଳ ବଜେଟରେ ରେଳମନ୍ତ୍ରୀ ସୁରେଶ ପ୍ରଭୁ ଘୋଷଣା କରିଥିଲେ ଯେ, ସୌରଶକ୍ତି ମାଧ୍ୟମରେ ଆସନ୍ତା ୫ ବର୍ଷ ମଧ୍ୟରେ ଏକ ହଜାର ମେଗାୱାଟ୍ ବିଦ୍ୟୁତ୍ ଶକ୍ତି ଉତ୍ପନ ହେବ । ଏହି ଟ୍ରେନର ଉଦଘାଟନ ପରେ ପ୍ରଭୁ କହିଛନ୍ତି କି ଭାରତୀୟ ରେଳବାଇ ସ୍ୱଚ୍ଛତା ଓ ଅକ୍ଷୟଶକ୍ତିର ଉପଯୋଗ ନେଇ ପ୍ରତିଶ୍ରୃତିବଦ୍ଧ ।

ଆସନ୍ତା ୨୫ ବର୍ଷ ମଧ୍ୟରେ ଟ୍ରେନରେ ସୋଲାର୍ ପ୍ୟାନେଲର ଉପଯୋଗ କାରଣରୁ ପ୍ରତି ଟ୍ରେନରେ ବାର୍ଷିକ ୫.୨୫ ଲକ୍ଷ ଡିଜେଲ୍ ସଂଚୟ କରାଯାଇ ପାରିବ । ସେହିଭଳି ରେଳବାଇ ମଧ୍ୟ ୩ କୋଟି ଟଙ୍କାର ସଂଚୟ କରିପାରିବ । ପରିବେଶକୁ ଦୃଷ୍ଟିରେ ରଖି ଆଗାମୀ ଦିନମାନଙ୍କରେ ଅଧିକରୁ ଅଧିକ ଟ୍ରେନରେ ଏହି ସୁବିଧା ଆରମ୍ଭ ହେବ ବୋଲି ରେଳମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି ।

ସୌଜନ୍ୟ: ଦ ଇକୋନୋମିକ୍ ଟାଇମ୍ସ