ଭିଡ଼ ବଢିଲେ ଭଡ଼ା ବଢିବ ! ରେଳ ମନ୍ତ୍ରାଳୟର ନୂଆ ନିୟମ, ଜାଣନ୍ତୁ କେବେଠାରୁ ଲାଗୁ ହେବ ଏହି ବ୍ୟବସ୍ଥା

40

ଆଉ ମାତ୍ର କେଇଟା ଦିନ ପରେ ଶେଷ ହେବ ବର୍ଷ ୨୦୧୭ । ନୂତନ ଆଶା ଏବଂ ଅଭିଳାଷ ନେଇ ଆଗମନ କରିବ ବର୍ଷ ୨୦୧୮ । ନୂଆ ବର୍ଷର ଆଗମନ ସହିତ ଅନେକ ନୂଆ ନିୟମ ମଧ୍ୟ ଆରମ୍ଭ ହୋଇଯିବ । ଯାହାକୁ ମାନିବାକୁ ସମସ୍ତେ ବାଧ୍ୟ ଅଟନ୍ତି । ଇତି ମଧ୍ୟରେ ୨୦୧୮ରେ ଛୁଟି ଅବସରରେ ରେଳରେ ଯାତ୍ରା କରିବା ଲୋକଙ୍କୁ ମହଙ୍ଗା ପଡିପାରେ । କାରଣ ନୂଆ ବର୍ଷଠାରୁ ରେଳ ବିଭାଗ ‘ରେଲୱେ ଡାଇନାମିକ ପ୍ରାଇସିଂ’ ନାମକ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହି ନୂତନ ବ୍ୟବସ୍ଥା ଆଧାରରେ ଟ୍ରେନରେ ଯାତ୍ରା କରିବା ମହଙ୍ଗା ହୋଇଯିବ । ଯେଉଁ ଟ୍ରେନଗୁଡିକରେ ପାର୍ବଣ ଋତୁ ସମୟରେ ଅଧିକ ଲୋକ ଯାତ୍ରା କରିବେ । ଏଥିସହିତ ଏହି ବ୍ୟବସ୍ଥା ଦ୍ୱାରା ଯେଉଁ ଟ୍ରେନଗୁଡିକ ଫାଙ୍କାରେ ଚାଲୁଥିବ ସେହି ଟ୍ରେନଗୁଡିକର ଯାତ୍ରୀଙ୍କୁ ଏକପ୍ରକାରେ ଆଶ୍ୱସ୍ତି ମିଳିବ ।

ସୂଚନା ମୁତାବକ, ହୋଲି, ଦୀପାବଳି, ଛଟ ପୂଜା ଭଳି ପାର୍ବଣ ଋତୁ ଅବସରରେ ଟ୍ରେନଗୁଡିକରେ ଅଧିକ ଭଡି ଦେଖାଦେଇଥାଏ । ଯାହାକୁ ଦୃଷ୍ଟିରେ ରଖି ରେଳମନ୍ତ୍ରାଳୟ ଫ୍ଲାଇଟ୍ ଆଧାରରେ ଡାଇନାମିକ ପ୍ରାଇସିଂ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି । ଅର୍ଥାତ୍ ଯେଉଁ ଟ୍ରେନର ଡିମାଣ୍ଡ ଯେତେ ବଢିବ ସେହି ଟ୍ରେନର ଭଡା ମଧ୍ୟ ସେତେ ଅଧିକ ହେବ । ଏଥିପାଇଁ ପଶ୍ଚିମ-ମଧ୍ୟ ରେଲୱେ ସମେତ ତିନୋଟି ଜୋନରେ ଟ୍ରେନ ଟିକେଟର ଭଡାକୁ ବଢାଇବାର ଯୋଜନା କରାଯାଇଛି । ନିକଟରେ ରେଳ ମନ୍ତ୍ରୀ ପିୟୁଷ ଗୋଏଲ ଏକ ସମ୍ମିଳନୀରେ ଯୋଗ ଦେଇ ଫ୍ଲେକସି ଫେୟର ସିଷ୍ଟମର ସମୀକ୍ଷା କରିଥିଲେ । ଯେଉଁଥିରେ ସାମ୍ନାକୁ ଆସିଥିଲା କି ୨୫୦ରୁ ଅଧିକ ଟ୍ରେନ ଏଭଳି ରହିଛି କି ଯେଉଁଗୁଡିକର ସିଟ୍ ପାଖାପାଖି ୫୦ ପ୍ରତିଶତ ଖାଲି ପଡିଥାଏ ।

ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ଡାଇନାମିକ୍ ପ୍ରାଇସିଂ ବ୍ୟବସ୍ଥା ଜରିଆରେ ସିଟକୁ ଆଧାର କରି ଟିକେଟର ମୂଲ୍ୟ ଧାର୍ଯ୍ୟ କରାଯିବ । ତେବେ ଏହି ବ୍ୟବସ୍ଥା ଦ୍ୱାରା ଯାତ୍ରୀଙ୍କୁ ଟିକେଟ ଉପରେ ପାଖାପାଖି ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମଧ୍ୟ ମିଳିପାରେ । ସେହିପରି ଯଦି ଲୋଡ ଅଧିକ ରହିବ ତେବେ ଟିକେଟର ଭଡା ୧୦ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ମଧ୍ୟ ବଢାଇ ଦିଆଯିବ ।

ବର୍ତ୍ତମାନ ରେଳ ମନ୍ତ୍ରାଳୟ କ୍ରିସ୍ (ରେଳବିଭାଗକୁ କମ୍ପ୍ୟୁଟର ସଫ୍ଟୱୟାର ଦେଉଥିବା କଂପାନୀ)କୁ ପ୍ରତିଟି ମଣ୍ଡଳର ଚୟନ କରାଯାଇଥିବା ଟ୍ରେନଗୁଡିକ ପାଇଁ ଟିକେଟିଂ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ କୁହାଯାଇଛି । ମିଳିଥିବା ସୂଚନାରୁ ଯାହା ଜଣା ପଡିଛି କି, ଏହି ବ୍ୟବସ୍ଥାକୁ ଜାନୁଆରୀ ମାସର ଶେଷ ସପ୍ତାହ କିମ୍ବା ଫେବୃଆରୀ ପହିଲାରୁ ଲାଗୁ କରିଦିଆଯିବ ।