ମ୍ୟାଚ୍ ଜିତିଲା ଭାରତ ହେଲେ ଦର୍ଶକଙ୍କ ହୃଦୟ ଜିଣିଲେ ଶ୍ରୀଲଙ୍କାର ଜଣେ ବଢେଇର ପୁଅ ! ଜାଣନ୍ତୁ କିଏ ସେହି ଧନଞ୍ଜୟ

31

ପାଲେକେଲରେ ଗୁରବାର ଖେଳା ଯାଇଥିବା ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ ବେଶ୍ ରୋମାଞ୍ଚ ଭରା ରହିଥିଲା । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ଓ୍ଵିକେଟ୍ ବିନିମୟରେ ମାତ୍ର ୨୩୬ ରନ୍ କରିଥିଲା । ହେଲେ ବର୍ଷା ପାଇଁ ଦେଢ଼ ଘଣ୍ଟା ବାଧା ହେବାରୁ ଭାରତକୁ ୪୭ ଓଭରରେ ୨୩୧ ରନର ବିଜୟ ଲକ୍ଷ୍ୟ ମିଳିଥିଲା । ଭାରତ ଏହାକୁ ମହେନ୍ଦ୍ର ସିଂହ ଧୋନି (୪୫ଅପରାଜିତ) ଏବଂ ଭୁବନେଶ୍ୱର କୁମାର (୫୩ ଅପରାଜିତ)ଙ୍କ ଦାୟିତ୍ୱବାନ ବ୍ୟାଟିଂ ପାଇଁ ୪୪.୨ ଓଭରରେ ୭ ଓ୍ଵିକେଟ୍ ହରାଇ ହାସଲ କରି ନେଇଥିଲା । ତା’ ସହ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୨-୦ରେ ଆଗୁଆ ହୋଇ ଯାଇଥିଲା।

ଶ୍ରୀଲଙ୍କାର ଯୁବ ସ୍ପିନର ଅଖିଳ ଧନଞ୍ଜୟ ଗୋଟିଏ ଓଭରରେ ତିନିଟି ଓ୍ଵିକେଟ୍ ସହ ମୋଟ ୬ ଓ୍ଵିକେଟ୍ ନେଇ ଭାରତକୁ ଘାଇଲା କରି ଦେଇଥିଲେ । ହେଲେ ପିଚ୍ ଶୁଖିବା ସହ ତାଳ ଦେଇ ମ୍ୟାଚ୍ ପୁଣି ଥରେ ନାଟକୀୟ ମୋଡ଼ ନେଇଥିଲା । ଧୋନି ଏବଂ ଭୁବନେଶ୍ୱର କୁମାର ମିଶି ଅସମାପ୍ତ ଅଷ୍ଟମ ଓ୍ଵିକେଟରେ ୧୧୦ ରନ୍ ଯୋଡ଼ି ଶ୍ରୀଲଙ୍କା ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ । ଭୁବନେଶ୍ୱର ତାଙ୍କ ଦିନିକିଆ ଜୀବନର ପ୍ରଥମ ଅର୍ଦ୍ଧଶତକ ଅର୍ଜନ କରିଥିଲା ବେଳେ ବରଫ ଭଳି ଶାନ୍ତ ଥିବା ଧୋନି ତାଙ୍କୁ ସାଥୀ କରି ଭାରତକୁ ଆଉ ଏକ ସ୍ମରଣୀୟ ବିଜୟ ଉପହାର ଦେଇଥିଲେ ।

ଅନ୍ୟପଟେ ଶ୍ରୀଲଙ୍କା ପକ୍ଷରୁ ଅଫ୍ ବ୍ରେକ୍ ଖେଳାଳୀ ଅଖିଳ ଧନଞ୍ଜୟଙ୍କର ଦମଦାର ପ୍ରଦର୍ଶନ ଭାରତୀୟ ଦଳର ୬ଟି ୱିକେଟ୍ ନେବାରେ ସଫଳ ହୋଇଥିଲା । ସର୍ବ ପ୍ରଥମେ ଧନଞ୍ଜୟ ରୋହିତ୍ ଶର୍ମାଙ୍କୁ ଆଉଟ୍ କରିଥିଲେ ଆଉ ରୋହିତଙ୍କ ଆଉଟ୍ ହେବା ପରେ ପରେ ଭାରତୀୟ ଦଳର ଗୋଟିଏ ପରେ ଗୋଟିଏ ୱିକେଟ୍ ଯିବାକୁ ଲାଗିଥିଲା । ଖାଲି ସେତିକି ନୁହେଁ ଏହାପରେ ବିରାଟ୍ କୋହଲୀ, କେଦାର ଯାଦବ ଏବଂ କେଏଲ ରାହୁଲ ଭଳି ଘାତକ ଖେଳାଳିମାନଙ୍କୁ ଚକମା ଦେବାସହ ସେମାନଙ୍କୁ ଆଉଟ୍ କରିବାରେ ସଫଳ ହୋଇଥିଲେ ଧନଞ୍ଜୟ । ସବୁଠାରୁ ବଡ କଥା ହେଲା କି, ଧନଞ୍ଜୟ କୋହଲୀ, ଯାଦବ ଏବଂ ରାହୁଲଙ୍କୁ କ୍ଲିନ୍ ବୋଲ୍ଡ କରିଦେଇଥିଲେ । ଗୋଟିଏ ଓଭରରେ ଧନଞ୍ଜୟ ତିନି ତିନିଟି ୱିକେଟ୍ ନେବାରେ ସଫଳ ହେବା ସହ ନିଜର ପଂଚମ ଓଭରରେ ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ଧରାଶାୟୀ କରିପକାଇଥିଲେ । ପୁଣି ଏହାର ପରବର୍ତ୍ତି ଓଭରରେ ଅକ୍ସର ପଟେଲଙ୍କୁ ମଧ୍ୟ ଆଉଟ୍ କରିଦେଇଥିଲେ । ତେବେ ଧନଞ୍ଜୟ ୧୦ ଓଭରରେ ୫୪ରନ୍ ଦେଇ ୬ଟି ୱିକେଟ୍ ନେଇଥିଲେ ।

ଜଣେ ବଢେଇଙ୍କ ପୁଅ ହେଉଛନ୍ତି ଧନଞ୍ଜୟ

କଲମ୍ବୋଠାରୁ ପାଖାପାଖି ୩୦ କିଲୋମିଟର ଦୂରରେ ଥିବା ପଣ୍ଡୁରା ନାମକ ସହରରେ ହେଉଛି ଧନଞ୍ଜୟଙ୍କର ଜନ୍ମ । ଧନଞ୍ଜୟଙ୍କର ବାପା ପେଶାରେ ଜଣେ ବଢେଇ । ଧନଞ୍ଜୟଙ୍କର ପିଲାବେଳୁ ସ୍ୱପ୍ନ ଥିଲା କ୍ରିକେଟର ହେବାକୁ ମାତ୍ର ଆର୍ଥିକ ସମସ୍ୟା କାରଣରୁ କେବେ ଭାବି ନଥିଲେ କି ସେ କେବେ ଅନ୍ତଃରାଷ୍ଟ୍ରୀୟ କ୍ରିକେଟର ହୋଇପାରିବେ ବୋଲି । ଯେତେବେଳେ ଗାଁରେ କୌଣସି କ୍ରିକେଟ୍ ମ୍ୟାଚ୍ ଖେଳାଯାଏଁ ସେତେବେଳେ ଧନଞ୍ଜୟ ମଧ୍ୟ ଭାଗ ନିଅନ୍ତି । ଆଉ ତାଙ୍କର ଦମଦାର ପ୍ରଦର୍ଶନ ଜିତି ନେଉଥିଲା ସମସ୍ତଙ୍କର ହୃଦୟ । ଏପରିକି କ୍ରିକେଟ୍ ପ୍ରତି ଥିବା ପ୍ରବଳ ଆଗ୍ରହ ଏବଂ ଖେଳରେ ଭଲ ପ୍ରଦର୍ଶନକୁ ନେଇ ଚାରିଆଡେ ଖୁବ୍ ଚର୍ଚ୍ଚାରେ ଥିଲେ ଧନଞ୍ଜୟ । ତେବେ ଧନଞ୍ଜୟଙ୍କ ସବୁଠାରୁ ବଡ ଭଲ ଗୁଣ ହେଉଛି, ସେ ଗୋଟିଏ ଓଭରରେ ଚାରୋଟି ଭିନ୍ନ ଭିନ୍ନ ଢଙ୍ଗରେ ବୋଲିଂ କରିପାରନ୍ତି ଯେଉଁଥିରେ ଗୁଗୁଲୀ ଏବଂ ଅଫ୍ ବ୍ରେକ୍ ସାମିଲ ରହିଛି ।

ସ୍କୁଲରୁ ସିଧାସଳଖ ଶ୍ରୀଲଙ୍କା ଟିମ୍ ଯାତ୍ରା

ଶ୍ରୀଲଙ୍କା ଟିମକୁ ମନୋନ୍ନିତ ହେବା ପୂର୍ବରୁ ଧନଞ୍ଜୟ ଅନେକ ପ୍ରାରମ୍ଭିକ ମ୍ୟାଚମାନ ଖେଳିସାରିଥିଲେ । ଯେଉଁଥିପାଇଁ ଧନଞ୍ଜୟ ସିଧାସଳଖ ଭାବେ ସ୍କୁଲରୁ ଶ୍ରୀଲଙ୍କା ଟିମ୍ ପାଇଁ ଚୟନ ହୋଇପାରିଥିଲେ । ତେବେ ଧନଞ୍ଜୟଙ୍କ ଚୟନ ହେବା ପଛରେ ଯେଉଁ ଖେଳାଳିଙ୍କ ହାତ ଥିଲା ସେ ହେଉଛନ୍ତି ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟୱର୍ଦ୍ଧନେ । ଦିନେ ଅଭ୍ୟାସ ମ୍ୟାଚ୍ ଚାଲିଥିବା ସମୟରେ ଧନଞ୍ଜୟଙ୍କ ବୋଲିଂ କରିବାର ଶୈଳୀକୁ ଦେଖି ଜୟବର୍ଦନେ ପୁରା ଇମପ୍ରେସ୍ ହୋଇଯାଇଥିଲେ ଆଉ ତାଙ୍କ କହିବା କଥାରେ ଧନଞ୍ଜୟଙ୍କୁ ଏକାବେଳକେ ଶ୍ରୀଲଙ୍କା ପ୍ରିମିୟର ଲିଗରେ ସୁଯୋଗ ମିଳିଯାଇଥିଲା ଏବଂ ସେଠାରେ ମଧ୍ୟ ଧନଞ୍ଜୟଙ୍କର ଭଲ ପ୍ରଦର୍ଶନ ଥିଲା ।

ମାହେଲାଙ୍କ ନେତୃତ୍ୱରେ ଧନଞ୍ଜୟଙ୍କୁ ଶ୍ରୀଲଙ୍କାର ଟି-୨୦ ପାଇଁ ଚୟନ କରାଯାଇଥିଲା । ଧନଞ୍ଜୟ ନିଜର ପ୍ରଥମ ଟି-୨୦ ମ୍ୟାଚ୍, ୨୭ ସେପ୍ଟେମ୍ବର ୨୦୧୨ରେ ନ୍ୟୁଜଲ୍ୟାଣ୍ଡ ବିପକ୍ଷରେ ଖେଳିଥିଲେ । ଯେଉଁଥିରେ ସେ ଦୁଇଟି ୱିକେଟ୍ ହାତେଇଥିଲେ । ବର୍ତ୍ତମାନ ସମୟରେ ଧନଞ୍ଜୟ ପାଖାପାଖି ୫ଟି ଟି-୨୦ ଖେଳିଥିବା ସହ ୭ଟି ୱିକେଟ୍ ନେଇସାରିଛନ୍ତି । ଖାଲି ସେତିକି ନୁହେଁ, ଶ୍ରୀଲଙ୍କାର ଦିନିକିଆ ଟିମରେ ମଧ୍ୟ ଧନଞ୍ଜୟଙ୍କୁ ଚୟନ କରାଯାଇଥିଲା । ୧୨ ନଭେମ୍ବର, ୨୦୧୨ରେ ଧନଞ୍ଜୟ ନିଜର ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିଥିଲେ । ତେବେ ଏଯାବତ୍ ଧନଞ୍ଜୟ ୪ଟି ଦିନିକିଆ ମ୍ୟାଚ୍ ଖେଳିବା ସହିତ ୧୧ଟି ୱିକେଟ୍ ନେଇ ସାରିଛନ୍ତି ।

ସୋଜନ୍ୟ: ଏନଡିଟିଭି ନ୍ୟୁଜ୍