ମହାଭାରତ ସମୟର ଯୁଦ୍ଧ କୈାଶଳ ଭଳି ଚୀନ ସହ ଲଢିବାକୁ ଭାରତୀୟ ସେନାର ପ୍ରସ୍ତୁତି!

67

ଯଦି ଆପଣ ମହାଭାରତ ପଢିଥିବେ କିମ୍ବା ଟିଭିରେ ଦେଖିଥିବେ ତେବେ ଆପଣଙ୍କର ନିହାତି ମନେଥିବ, ମାଆ କୁନ୍ତିଙ୍କ ସମେତ ପଂଚୁ ପାଣ୍ଡବଙ୍କର ହତ୍ୟା କରିବା ପାଇଁ ନିଜ ମାମୁଁ ଶକୁନିଙ୍କ ସହ ମିଶି ଏକ ଷଡଯନ୍ତ୍ର ରଚିଥିଲେ ଦୁର୍ଯ୍ୟୋଧନ । ଯେଉଁଥିରେ ପାଣ୍ଡବମାନଙ୍କୁ ଲାଖ ନିର୍ମିତ ଏକ ଗୃହରେ ବିଶ୍ରାମ କରିବାକୁ କହି ସେଥିରେ ନିଆଁ ଲଗାଇ ଦିଆଯାଇଥିଲା । ଆଉ ଦୁର୍ଯ୍ୟୋଧନ ଭାବିଥିଲେ, ଏଥିରେ ମାଆ କୁନ୍ତିଙ୍କ ସମେତ ପାଣ୍ଡବଙ୍କର ବି ମୃତ୍ୟୁ ହୋଇଯାଇଛି । ହେଲେ ସମସ୍ତଙ୍କୁ ଚକମା ଦେଇ ଏକ ସୁଡଙ୍ଗ ମାଧ୍ୟମରେ ସେଠାରୁ ଖସି ପଳାଇ ଜୀବନ ବଂଚାଇବାରେ ସମସ୍ତେ ସଫଳ ହୋଇଥିଲେ ।

ଯଦି ଭାରତର ଇତିହାସ ଉପରେ ନଜର ପକାଯାଏ ତେବେ ଏଭଳି ଅନେକ କାହାଣୀ ରହିଛି ଯେଉଁଥିରେ ଶତ୍ରୁଙ୍କ ସହ ଲଢିବା ପାଇଁ ସୁଡଙ୍ଗର ବହୁଳ ମାତ୍ରାରେ ବ୍ୟବହାର କରାଯାଇଛି । ଆଉ ଏବେ ଭାରତୀୟ ସେନା ମଧ୍ୟ ଚୀନ ସହ ଯଦି ଭବିଷ୍ୟତରେ ଯୁଦ୍ଧ ହୁଏ ତେବେ ଏହି ରଣନୀତି ଆପଣାଇବାକୁ ଯାଉଛି । ବିଶେଷ କରି କିଛି ଦିନ ହେଲା ଚୀନ ପକ୍ଷରୁ ବୃଦ୍ଧି ପାଉଥିବା ଅସନ୍ତୋଷକୁ ଦୃଷ୍ଟିରେ ରଖି ଭାରତ ସରକାର ଚୀନ ସୀମାକୁ ବିଭିନ୍ନ ସୁଡଙ୍ଗ ସହ ସଂଯୋଗ କରିବାକୁ ପ୍ରସ୍ତୁତି ଚଳାଇଛଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ଯୋଜନା ମୁତାବକ, ଏଥିପାଇଁ ଚୀନର ସୀମାବର୍ତ୍ତୀ ଅଂଚଳର ସଡକ ପଥଗୁଡିକରେ ଜାଲ ବିଛାଇ ଦିଆଯାଇଛି । ଯାହାଦ୍ୱାରା ଯୁଦ୍ଧ ହେବା ପରିସ୍ଥିତିରେ ସେନା ସହଜରେ ଭାରତ ସୀମା ପର୍ଯ୍ୟନ୍ତ ପହଂଚିପାରିବେ । ସେହିପରି ଭାରତ ସରକାର, ସଡକ ସହିତ ସୁଡଙ୍ଗ ଜରିଆରେ ସେନା କିଭଳି ସୀମା ପର୍ଯ୍ୟନ୍ତ ପହଂଚିବ, ସେହି ଯୋଜନା ଉପରେ କାମ ମଧ୍ୟ କରୁଛନ୍ତି । ଉଭୟ ପ୍ରତିରକ୍ଷା ଏବଂ ଗୃହ ମନ୍ତ୍ରଣାଳୟ ମିଳିତ ଭାବେ ଏହି ଯୋଜନା ଉପରେ କାମ କରୁଥିବା ରିପୋର୍ଟ ପ୍ରକାଶ ପାଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଭାରତ ସରକାରଙ୍କ ଯୋଜନା ରହିଛି ଯେ, ଅରୁଣାଂଚଳ ପ୍ରଦେଶ ଠାରୁ ଆରମ୍ଭ କରି ଚୀନ ସୀମା ଯର୍ଯ୍ୟନ୍ତ ନିର୍ମାଣ କରାଯିବ ସୁଡଙ୍ଗ । ଯାହାର ଲମ୍ବ ପାଖାପାଖି ୭ କିଲୋମିଟର ହେବ ଏବଂ ଏହାକୁ ତିଆରି କରିବାର ଦାୟିତ୍ୱ ସୀମା ସଡକ ସଂଗଠନ (ବିଆରଓ)କୁ ହସ୍ତାନ୍ତର କରାଯାଇଛି । ଉତ୍ତେଜନାପୂର୍ଣ୍ଣ ଅଂଚଳମାନଙ୍କରେ ତିଆରି ହେବାକୁ ଯାଉଥିବା ଏହି ସୁଡଙ୍ଗଗୁଡିକ ହେବ ଦୁଇ ଲେନ୍ ବିଶିଷ୍ଟ । ଅର୍ଥାତ୍ ଏହାର ଦୁଇ ପାଖରେ ଏକାସାଙ୍ଗରେ ଭାରତୀୟ ଯବାନମାନେ ସହଜରେ ଚଳପ୍ରଚଳ କରିପାରିବେ । ୪୭୪ ମିଟର ଏବଂ ୧.୭୯ କିଲୋମିଟର ଲମ୍ବ ବିଶିଷ୍ଟ ସୁଢଙ୍ଗ ଏହି ଯୋଜନାର ଅନ୍ତର୍ଭୁକ୍ତ ।

ଭାରତୀୟ ସେନା ଚୀନ ସୀମା ପର୍ଯ୍ୟନ୍ତ ପହଂଚିବା ବାଟରେ ସାଟେଲାଇଟ୍ ଏବଂ ଅତ୍ୟାଧୁନିକ ଦୁରବିକ୍ଷଣ ଯନ୍ତ୍ର ବା ଟେଲିସ୍କୋପ ସହାୟତାରେ ଶତ୍ରୁପକ୍ଷ ସେମାନଙ୍କର ଗତିବିଧି ଉପରେ ନଜର ରଖିବାରେ ସକ୍ଷମ ହୋଇପାରନ୍ତି । ମାତ୍ର ସୁଡଙ୍ଗ ତିଆରି ହେବା ପରେ ସମ୍ଭବତଃ ଏଭଳି ପରିସ୍ଥିତିକୁ ଏଡାଇ ଦିଆଯାଇପାରେ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ଅନୁମାନ କରୁଛନ୍ତି । କାରଣ ଏହାଦ୍ୱାରା ଭାରତୀୟ ସେନା ଶତ୍ରୁଙ୍କ ନଜରରେ ନଆସି ଅତି ସହଜରେ ସୀମା ଯାଏଁ ପହଂଚି ପାରିବେ । ଖାଲି ସେତିକି ନୁହେଁ ଏହି ସୁଡଙ୍ଗର ଚଉଡା ଏଭଳି ରଖାଯିବ କି ଯେଭଳି ସେନା ଗାଡିଗୁଡିକ ମଧ୍ୟ ଏଥିରେ ଆରାମରେ ଚଳପ୍ରଚଳ କରିପାରିବ । ବିନା ଶତ୍ରୁପକ୍ଷ ଜାଣତରେ ସୀମାରେ ଭାରତୀୟ ସେନା ପହଂଚିପାରିବ ଓ ଯେ କୈାଣସି ସ୍ଥିତିର ମୁକାବିଲା କରିବା ସହ ଶତ୍ରୁପକ୍ଷକୁ ଚକମା ଦେବାରେ ସମର୍ଥ ହେବ ବୋଲି କୁହାଯାଉଛି ।

ସୂଚନା ମୁତାବକ, ବିଆରଓର ପ୍ରୋଜେକ୍ଟ କମାଣ୍ଡର ଆରଏସ ରାଓ ପଶ୍ଚିମ କାମେଙ୍ଗର ଡେପୁଟି କମିଶନର ସୋନଲ ସ୍ୱରୂପଙ୍କ ସହିତ ଆଲୋଚନା କରିଛନ୍ତି । ଯେଉଁଥିରେ ସେ ୭ କିଲୋମିଟର ବିଶିଷ୍ଟ ସୁଢଙ୍ଗଗୁଡିକ ନିର୍ମାଣ ପାଇଁ ଜାଗା ବା ସ୍ଥାନର ଆବଶ୍ୟକତା ସଂପର୍କରେ ଆଲୋଚନା କରିବା ସହ ଅନ୍ୟ ସମସ୍ତ ଦସ୍ତାବିଜ ହସ୍ତାନ୍ତର କରିଛନ୍ତି । କୁହାଯାଉଛି, ପାଗ ଅନୁକୁଳ ହେବାପରେ ଅରୁଣାଂଚଳ ପ୍ରଦେଶ ସରକାରଙ୍କ ସହାୟତାରେ ସୁଡଙ୍ଗ ନିର୍ମାଣ ପାଇଁ ଜାଗା ଅଧିଗ୍ରହଣ ଲାଗି କାମ ଆରମ୍ଭ କରାଯିବ ।

ସୌଜନ୍ୟ: ଏନଡିଟିଭି