ଯଦି ଯୁଦ୍ଧ ହୁଏ ! ତେବେ ଜାଣନ୍ତୁ କାହା ପଛରେ କିଏ ଅଛି

42

ଆମେରିକା, ସାଂପ୍ରତିକ ସମୟରେ ଭାରତର ସବୁଠାରୁ ଶକ୍ତିଶାଳୀ ମିତ୍ର ରାଷ୍ଟ୍ର ଭାବେ ରହିଛି । ଡୋକଲାମ ସ୍ଥିତି ଉପରେ ଆମେରିକା ଲଗାତାର ନଜର ରଖିଛି । ଚୀନକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟ ଅତ୍ୟନ୍ତ କଠୋର ରହିଛି । ଏଭଳି ସ୍ଥିତିରେ ଭାରତକୁ ଆମେରିକାର ସମର୍ଥନ ମିଳିବାର ସମସ୍ତ ସମ୍ଭାବନା ରହିଛି ।

ଜାପାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ମଧ୍ୟରେ ରହିଥିବା ଘନିଷ୍ଠ ବନ୍ଧୁତାର ପ୍ରଭାବ ସର୍ବଦା ଦେଖିବାକୁ ମିଳୁଛି । ଡୋକଲାମ ପ୍ରସଙ୍ଗରେ ଭାରତକୁ ଜାପାନ ପୂର୍ଣ୍ଣ ସମର୍ଥନ ଘୋଷଣା କରିବା ସହ ଚୀନର ବିସ୍ତାର ନୀତିକୁ କଡ଼ା ସମାଲୋଚନା କରିଛି ।

ଅଷ୍ଟ୍ରେଲିଆ

ଡୋକଲାମ ପ୍ରସଙ୍ଗରେ ସଂଜମ ରକ୍ଷା କରି କାର୍ଯ୍ୟ କରିବାକୁ ଅଷ୍ଟ୍ରେିଲିଆ ଚୀନକୁ ସତର୍କ କରାଇ ଦେଇଛି । ନିକଟରେ ଅଷ୍ଟ୍ରେଲିଆ ବିଦେଶ ମନ୍ତ୍ରୀ ଜୁଲି ବିଶପ ଭାରତ ଗସ୍ତରେ ଆସିଥିବା ବେଳେ ଏହି ପ୍ରସଙ୍ଗରେ ଭାରତକୁ ତାଙ୍କ ଦେଶର ପୂର୍ଣ୍ଣ ସମର୍ଥନ ଥିବା କହିଥିଲେ । ଚୀନର ଯେ କୌଣସି ସାମରିକ ଅଭିଯାନକୁ ପ୍ରତିହତ କରିବାର ସାମର୍ଥ୍ୟ ଭାରତ ପାଖରେ ରହିଥିବା ଅଷ୍ଟ୍ରେଲିଆ କହିଥିବାରୁ ଏହାର ସମର୍ଥନ ଭାରତ ପଟେ ରହିବ ବୋଲି ଆଶା କରାଯାଉଛି ।

ଭିଏତନାମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ରେ ଭିଏତନାମ ଗସ୍ତ କରିଥିବା ବେଳେ ଏହା ପରଠାରୁ ଦୁଇ ଦେଶ ମଧ୍ୟରେ ସଂପର୍କ ଅଧିକ ନିବିଡ଼ ହୋଇଛି । ଦକ୍ଷିଣ ଚୀନ୍ ସାଗର ବିବାଦ ନେଇ ଚୀନ୍-ଭିଏତନାମ ବିବାଦ ଭୟଙ୍କର ଭାବେ ତିକ୍ତ ହୋଇଉଠିଛି । ତେଣୁ ଭିଏତନାମର ପୂର୍ଣ୍ଣ ସମର୍ଥନ ଭାରତ ପଟେ ରହିବ ବୋଲି ଅନୁମାନ କରାଯାଉଛି ।

ଫ୍ରାନ୍ସ-ଜର୍ମାନୀ-ବ୍ରିଟେନ

ୟୁରୋପର ଶକ୍ତିଶାଳୀ ରାଷ୍ଟ୍ର ଫ୍ରାନ୍ସ, ବ୍ରିଟେନ ଏବଂ ଜର୍ମାନୀ ଡୋକଲାମ ପ୍ରସଙ୍ଗରେ ଭାରତକୁ ସମର୍ଥନ କରିବା ଆଶା ରହିଛି । ଭାରତ ସହିତ ଏହି ତିନି ରାଷ୍ଟ୍ରର ସଂପର୍କ ବହୁତ ଭଲ ରହିଛି । ଭାରତ ବିରୋଧରେ ଚୀନର ନୀତିକୁ ଏହି ରାଷ୍ଟ୍ରମାନେ ସର୍ବଦା ବିରୋଧ କରି ଆସିଛନ୍ତି । ଭାରତକୁ ଜାତିସଂଘରେ ସ୍ଥାୟୀ ସଦସ୍ୟ କରାଯିବା ସପକ୍ଷରେ ମଧ୍ୟ ଏହି ତିନି ରାଷ୍ଟ୍ର ସମର୍ଥନ କରୁଛନ୍ତି ।

ପାକିସ୍ତାନ

ପାକିସ୍ତାନ ଏବେ ଚୀନର ସବୁଠାରୁ ବଡ଼ ବନ୍ଧୁ ପାଲଟିଛି । ଚୀନ୍-ପାକିସ୍ତାନ ବନ୍ଧୁତା ମହୁଠାରୁ ଅଧିକ ମିଠା ବୋଲି ନିକଟରେ ଚୀନ୍ ବିଦେଶ ମନ୍ତ୍ରାଳୟର ବୟାନ ଚର୍ଚ୍ଚାରେ ରହିଛି । ପାକିସ୍ତାନୀ ଆତଙ୍କବାଦୀଙ୍କୁ ସୁରକ୍ଷା ଦେବାରେ ଏବେ ଚୀନ୍ ମଧ୍ୟ ବଡ଼ ଦାୟିତ୍ୱ ନିର୍ବାହ କରୁଛି । ପାକିସ୍ତାନ ଭାରତର ଶତ୍ରୁରାଷ୍ଟ୍ର ଭାବେ ପରିଗଣିତ ହେଉଥିବାରୁ ଡୋକଲାମ ପ୍ରସଙ୍ଗରେ ଏହା ଚୀନକୁ ପୂର୍ଣ୍ଣ ସମର୍ଥନ କରିବ ।

ଉତ୍ତର କୋରିଆ

ଆମେରିକାକୁ ନାକେଦମ କରୁଥିବା ଉତ୍ତର କୋରିଆ ସହିତ ଚୀନର ସଂପର୍କ ବେଶ୍ ନିବିଡ଼ । ଏହି ରାଷ୍ଟ୍ର ସବୁ ପ୍ରସଙ୍ଗରେ ଚୀନର ବଡ଼ ସମର୍ଥକ ରହିଛି ।

ଦକ୍ଷିଣ କୋରିଆ

ଦକ୍ଷିଣ କୋରିଆ ସହ ଭାରତର ସଂପର୍କ ବହୁତ ଭଲ ରହିଛି ଏବଂ ଚୀନ୍ ଓ ଉତ୍ତର କୋରିଆର ମେଣ୍ଟକୁ ଦକ୍ଷିଣ କୋରିଆ ସର୍ବଦା ବିରୋଧ କରି ଆସିଛି । ଭାରତ ସହ ଦକ୍ଷିଣ କୋରିଆର ବାଣିଜ୍ୟିକ କାରବାର ବିଗତ ବର୍ଷମାନଙ୍କରେ ଯଥେଷ୍ଟ ବୃଦ୍ଧି ପାଇଛି । ଡୋକଲାମ ସ୍ଥିତି ନେଇ ଏହି ରାଷ୍ଟ୍ର କୌଣସି ଖୋଲା ବିବୃତି ଦେଇନଥିଲେ ମଧ୍ୟ ଉତ୍ତମ କୂଟନୈତିକ ଓ ବାଣିଜ୍ୟିକ ସଂପର୍କ ଦୃଷ୍ଟିରୁ ଏହାର ପୂର୍ଣ୍ଣ ସମର୍ଥନ ଭାରତ ପଟେ ରହିବ।

ରୁଷ୍

ଭାରତର ଭଲ ବନ୍ଧୁ ରାଷ୍ଟ୍ର ଭାବେ ଚୀନ୍ ପରିଗଣିତ ହେଉଛି । ତେବେ ଡୋକଲାମ ପ୍ରସଙ୍ଗରେ ରୁଷର ଆଭିମୁଖ୍ୟ କ’ଣ ହେବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ରୁଷ୍ ଏହି ମାମଲାରେ କୌଣସି ବୟାନ ଦେଇନାହିଁ । ତେବେ ଇତିହାସ ଉପରେ ନଜର ପକାଇଲେ ଏଭଳି ସ୍ଥିତିରେ ରୁଷ୍ ସର୍ବଦା ଭାରତକୁ ହିଁ ସମର୍ଥନ କରିଥିବା ନଜିର ରହିଛି ।