ଆୟକର ପଇଠ ବେଳେ ଏହି ୧୦ଟି ସାଧାରଣ ଭୁଲ୍ ! ଯାହାକୁ ସହଜରେ ଏଡାଯାଇ ପାରିବ, କିପରି ଜାଣନ୍ତୁ

31

ଆୟକର ପଇଠ ଏବେ ପୂର୍ବଅପେକ୍ଷା ଅଧିକ ଗୁରୁତ୍ୱ ବହନ କରୁଛି । ବିଶେଷ କରି ମୋଦି ସରକାରଙ୍କ ଦ୍ୱାରା ନଭେମ୍ବର ୮ରେ ହୋଇଥିବା ବିମୁଦ୍ରୀକରଣ ଭଳି ବଡ ପଦକ୍ଷେପ ପରେ ସାରା ଦେଶରେ କଳା ଧନ କାରବାର ଉପରେ ଏହାର ଗଭୀର ପ୍ରଭାବ ପଡିଛି । ଆଉ ଯେଉଁଥି ପାଇଁ ଆୟକର ପଇଠ କରିବା ସବୁଠାରୁ ମହତ୍ୱପୂର୍ଣ୍ଣ ହୋଇପଡିଛି । କାରଣ ଏହା ଆପଣଙ୍କୁ ସରକାରଙ୍କ ନିକଟରେ ବିଶ୍ୱାସ ଯୋଗ୍ୟ କରାଇବା ସହିତ ଆପଣଙ୍କ ବ୍ୟବସାୟରେ ପାରଦର୍ଶିତା ଆଣିଥାଏ । ତେବେ ଆସନ୍ତୁ ଜାଣିବା ଇ-ଟ୍ୟାକ୍ସ ରିଟର୍ନ ଅର୍ଥାତ୍ ଅନଲାଇନ୍ ମାଧ୍ୟମରେ ଆୟକର ପଇଠ କରିବା ସମୟରେ କିଛି ସାଧାରଣ ଭୁଲ୍ ଯାହାକୁ ସାଧାରଣତଃ ସମସ୍ତେ କରିଥାନ୍ତି ଆଉ ଯାହାକୁ ଅତି ସହଜରେ ଏଡାଯାଇ ପାରିବ ।

• ଆୟକର ପଇଠ କରିବା ପାଇଁ ଅନ୍ତିମ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ ।

• ପଇଠର ବୈଧତାକୁ ପ୍ରମାଣିତ କରିବା ପାଇଁ ଅଥବା ଭେରିଫିକେସନ ପାଇଁ ବିଳମ୍ବ କରିବା ହେଉଛି ଅନ୍ୟ ଏକ ଭୁଲ୍ । ତେବେ ଏହାକୁ ଆପଣ ଦୁଇଟି ଉପାୟରେ ତୁଟାଇ ପାରିବେ . . .

-ଆପଣଙ୍କ ଆୟକର ଭେରିଫିକେସନ ରସିଦକୁ ବାଙ୍ଗାଲୁରସ୍ଥିତ କେନ୍ଦ୍ରୀୟ ପ୍ରାପ୍ତିସ୍ୱୀକାର କେନ୍ଦ୍ର (ସିପିସି)କୁ ପଇଠ କରିବାର ୧୨୦ ଦିନ ମଧ୍ୟରେ ପଠାନ୍ତୁ ।

-ଏହାଠାରୁ ଆହୁରି ସହଜ ଉପାୟ ହେଲା, ଅନଲାଇନ୍ ମାଧ୍ୟମରେ ଇ-ଭେରିଫାଏ କରିପାରିବେ । ଏଥିପାଇଁ ଆପଣ ଇଂଟରନେଟ୍ ବ୍ୟାଙ୍କିଂ , ଡିମାଟ୍ ଆକାଉଂଟ୍, ଆଧାର ଓ ବ୍ୟାଙ୍କ ଆକାଉଂଟର ସହାୟତା ନେଇ ପାରିବେ ।

• ବ୍ୟାଙ୍କିଂ ତଥ୍ୟରେ ଭୁଲ କରିବା ଜଂଘନ୍ୟ ଅପରାଧ ସଦୃଶ । ନିଜର ନାମ , ଆଇଏଫଏସସି କୋଡ, ଆକାଉଂଟ ନମ୍ବର, ଏମଆଇସିଆର କୋଡକୁ ବାରମ୍ବାର ପରଖି ଦେଖି ଆୟକର ଫର୍ମ ଭରନ୍ତୁ ।

• ଭୁଲରେ ବି ନିଜର କୌଣସି ବ୍ୟାଙ୍କ ତଥ୍ୟକୁ ଲୁଚାଇବାକୁ ଚେଷ୍ଟା କରନ୍ତୁ ନାହିଁ । ତାହାସହ (ନଭେମ୍ବର ୯,୨୦୧୬ରୁ ୩୦ ଡିସେମ୍ବର ୨୦୧୬) ମଧ୍ୟରେ କ୍ୟାସ ଡିପୋଜିଟ୍ କରିଥାନ୍ତି ତେବେ ଅନଲାଇନ ଫର୍ମରେ ଏକ ନିର୍ଦ୍ଧିଷ୍ଟ କୋଠରୀରେ ଏସଂପର୍କରେ ବର୍ଣ୍ଣନ୍ନା କରିବାକୁ ଜମାରୁ ଭୁଲନ୍ତୁ ନାହିଁ ।

• କର ପଇଠ ବେଳେ ଟିଡିଏସ ପ୍ରତି ଧ୍ୟାନ ଦିଅନ୍ତୁ । ଫର୍ମ ନମ୍ବର ୨୬ଏଏସରେ ନିଜର ଆୟ ଓ ଟିଡିଏସ ମଧ୍ୟରେ ମ୍ୟାଚ୍ କରି ଫର୍ମରେ ଭରନ୍ତୁ । ଯଦି ଆପଣଙ୍କ କଂପାନୀ ଆପଣଙ୍କ ଦରମାରୁ ଟିଡିଏସ କାଟିଛନ୍ତି କିନ୍ତୁ ଏନେଇ ଆପଣଙ୍କୁ କୌଣସି ସୂଚନା ଦେଇନାହାଁନ୍ତି ତେବେ ତାକୁ ମଧ୍ୟ ସେଠାରେ ଉଲ୍ଲେଖ କରାନ୍ତୁ ।

• ଆର୍ଥିକ ତଥ୍ୟରେ ଅନୀୟମିତତା ରହିବା ଅନ୍ୟ ଏକ ବଡ ଭୁଲ୍ । ଆପଣଙ୍କ ଦରମା ଓ ଟିଡିଏସ ମଧ୍ୟରେ ଯଦି କୌଣସି ଅନିୟମିତତା ଦେଖାଦିଏ ତେବେ ଏଥିପାଇଁ ଆପଣ ଦଣ୍ଡିତ ହୋଇପାରନ୍ତି । ତେବେ ନିଜର ଅପ୍ରକାଶିତ ଆୟ , ଛୋଟମୋଟ ଆୟ ସ୍ରୋତକୁ ମଧ୍ୟ ଉକ୍ତ ଫର୍ମରେ ଦର୍ଶାନ୍ତୁ ।

• ନିଜର ବ୍ୟକ୍ତିଗତ ତଥ୍ୟରେ ଆଦୌ ଭୁଲ କରନ୍ତୁ ନାହିଁ । ବିଶେଷ କରି ନିଜର ଡାକ ପରିଚୟ , ଜନ୍ମ ତାରିଖ , ମୋବାଇଲ୍ ନମ୍ବର , ଇମେଲ୍ ଇତ୍ୟାଦିକୁ ନିର୍ଭୁଲ ଭାବେ ପ୍ରକାଶ କରନ୍ତୁ ।

• ଆପଣଙ୍କର କୌଣସି ଆୟ ଯଦି କର ଛଡା ପ୍ରାପ୍ତ ହୋଇଛି ତେବେ ବର୍ତ୍ତମାନର ନୂତନ ଇ-ଫର୍ମରେ ଆପଣ ନିଜର କର ଛଡା ଆୟକୁ ପ୍ରଦର୍ଶନ କରିବା ନିତ୍ୟାନ୍ତ ଆବଶ୍ୟକ ।

• ଭୁଲ୍ ଫର୍ମରେ ଆବେଦନ କରିବା । ଚଳିତ ବର୍ଷରୁ ଆଇଟିଆର ଫର୍ମଗୁଡିକରେ ଆମୂଳଚୂଳ ପରିବର୍ତ୍ତନ କରାଯାଇଛି । ମୋଟ୍ ୭ଟି ଆଇଟିଆର ଫର୍ମ ମଧ୍ୟରୁ ଆପଣ ନିଜ ଆୟ ଅନୁସାରେ ଫର୍ମ ଚୟନ କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ ।

• ନିଜର ଆୟର ସଠିକ୍ ହିସାବ କରି ଫର୍ମର ଡାହାଣ ପାଶ୍ୱରେ ଠିକ୍ ତଥ୍ୟ ଭରନ୍ତୁ । ଯଦି ହିସାବ ସମୟରେ ଭୁଲ୍ ତଥ୍ୟ ବାହାରେ ଯାହାକି ଆପଣ ପୂର୍ବରୁ ଫର୍ମରେ ଦେଇଥିବା ତଥ୍ୟଠାରୁ ଭିନ୍ନ ହୋଇଥାଏ ତେବେ ଠିକ୍ ତଥ୍ୟକୁ ଭେରିଫାଏ କରି ପ୍ରକାଶ କରନ୍ତୁ ।