ଗ୍ୟାସ ସିଲିଣ୍ଡରରେ ହଠାତ୍ ନିଆଁ ଲାଗିଗଲେ କଣ କରିବେ ? ଏହି ୩ଟି ଉପାୟରେ ମୁହୂର୍ତ୍ତକ ଭିତରେ କରନ୍ତୁ ଭୟଙ୍କର ଅଗ୍ନିକାଣ୍ଡକୁ ଆୟତ

73

ଅଧିକାଂଶ ସମୟରେ ଗ୍ୟାସ ଜନିତ ଦୁର୍ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥାଏ । କେତେବେଳେ ଗ୍ୟାସ୍ ସିଲିଣ୍ଡରରେ ଅଗ୍ନିକାଣ୍ଡ ଘଟିଥାଏ ତ ପୁଣି କେତେବେଳେ ଟାଙ୍କିରେ ବିସ୍ଫୋରଣ କାରଣରୁ ଅନେକ ଲୋକଙ୍କର ଅକାଳରେ ମୃତ୍ୟୁ ଘଟିଥିବାର ଖବର ସାମ୍ନାକୁ ଆସିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଆପଣ ସିଲିଣ୍ଡରରେ ଲାଗିଥିବା ଭୟଙ୍କର ନିଆଁକୁ ମାତ୍ର ଚାହିଁଲେ ମାତ୍ର ୩ ସେକେଣ୍ଡରେ କାବୁ କରିପାରିବେ । ଅଧିକାଂଶ ସମୟରେ ଉପଯୁକ୍ତ ଜ୍ଞାନ ତଥା ସୂଚନା ଅଭାବ କାରଣରୁ ଏବଂ ଏହି ସମୟରେ ଲୋକେ ବିଚଳିତ ହୋଇପଡିବା କାରଣରୁ ଏକ ସାମାନ୍ୟ ଘଟଣା ବଡ ଦୁର୍ଘଟଣାରେ ପରିଣତ ହୋଇଯାଇଥାଏ ।

ତେବେ ଗ୍ୟାସ ସିଲିଣ୍ଡରରେ ନିଆଁ ଗ୍ୟାସ ଲିକ୍ ହେବା କାରଣରୁ ହିଁ ଘଟିଥାଏ । ଅର୍ଥାତ୍ ସିଲିଣ୍ଡରର ନଟ୍ କିମ୍ବା ଲାଗିଥିବା ପାଇପରୁ ଗ୍ୟାସ ଲିକ୍ ହେବା କାରଣରୁ ହିଁ ବିସ୍ଫୋରଣ ଘଟିଥାଏ । କାହିଁକି ନା, ସିଲିଣ୍ଡର ସଂପୂର୍ଣ୍ଣ ଭାବରେ ମଜବୁତ୍ ଷ୍ଟିଲ ଏବଂ ଲୁହାରେ ନିର୍ମିତ ହୋଇଥାଏ, ଏଭଳି ପରିସ୍ଥିତିରେ ଧାତୁରୁ ଲିକେଜର ସମ୍ଭାବନା ଆଦୌ ରହିନଥାଏ । ଏଲପିଜି ଗ୍ୟାସର ଅନ୍ୟ ଏକ ବିଶେଷତ୍ୱ ହେଲା କି, ଏହି ଗ୍ୟାସ କେବେହେଲେ ବି ଓଲଟା ନିଆଁ ଧରିନଥାଏ । ଅର୍ଥାତ୍ ଯେଉଁ ଦିଗରୁ ଗ୍ୟାସ ନିର୍ଗତ ହୋଇଥାଏ, ନିଆଁ ସେହି ଦିଗ ପ୍ରତି ହିଁ ଅଧିକ ମାତ୍ରାରେ ସକ୍ରିୟ ହୋଇଥାଏ । ନିଆଁ କେବେବି ଅତି ସହଜରେ ସିଲିଣ୍ଡର ଭିତରେ ପ୍ରବେଶ କରିନଥାଏ ।

ନିଆଁ ଲିଭାଇବେ କିପରି

ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ପୁଲିସକର୍ମୀ ନିଆଁ ଲିଭାଇବାର ତରିକା ସଂପର୍କରେ ସଚେତନ କରାଉଛନ୍ତି । ଗ୍ୟାସ ସିଲିଣ୍ଡରରେ ଲାଗିଥିବା ନିଆଁକୁ ଲିଭାଇବାର ସବୁଠୁ ସହଜ ତରିକା ହେଲା କି, ଚର୍ତୁଃଦିଗରେ ବହୁଥିବା ପବନକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇ ନିଆଁକୁ କାବୁ କରାଯାଇପାରିବ । କାରଣ ଯେତେବେଳେ ଅକ୍ସିଜେନ ନରହିବ ସେତେବେଳେ ନିଆଁ ଆପଣାଛାଏଁ ବନ୍ଦ ହୋଇଯିବ । ଗ୍ୟାସ ସିଲିଣ୍ଡରରେ ଯେତେ ଭୟଙ୍କର ନିଆଁ ଲାଗି ଥାଉନା କାହିଁକି, ଏହାର ଆଖପାଖରେ ଅତି ସହଜରେ ଅକ୍ସିଜେନକୁ ବନ୍ଦ କରିଦିଆଯାଇପାରିବ ।

ଏହାର ସବୁଠାରୁ ସରଳ ଉପାୟ ହେଲା, ଘରେ ବ୍ୟବହାର କରୁଥିବା ବାଲି୍ଟ କିମ୍ବା କୌଣସି ମୋଟା ଅଖା ତଥା ଚିନି କିମ୍ବା ଗୁଡ ଅଖା ଜଳୁଥିବା ସିଲିଣ୍ଡର ଉପରେ ଗୁଡାଇଦେଲେ କିମ୍ବା ସିଲିଣ୍ଡର ମୁହଁରେ ପକାଇ ଦେବା ଦ୍ୱାରା ନିଆଁ ଆପଣା ଛାଏ ବନ୍ଦ ହୋଇଯିବ । ତେବେ ଧ୍ୟାନ ରଖିବେ କି, ଜଳୁଥିବା ଟାଙ୍କିରେ ଆପଣ ଯେଉଁ ବାଲ୍ଟି ଉଗୁଡାଇଛନ୍ତି ତାହା ନା ଢିଲା ହେଉଥିବ ନା ହିଁ ଅଧିକ ଟାଇଟ୍ ହୋଇଥିବା ଦରକାର ।

ଅନ୍ୟ ଏକ ଉପାୟ ହେଲା, ଆପଣ ଆପଣଙ୍କର ଆଙ୍ଗୁଳିରେ ନଟର ସେହି ଭାଗକୁ ବନ୍ଦ କରିବାକୁ ହେବ, ଯେଉଁଠୁ ଗ୍ୟାସ ନିର୍ଗତ ହେଉଛି । ଯଦି ଆପଣ ଫୂର୍ତ୍ତିରେ ଏଭଳି କରିଦିଅନ୍ତି ତେବେ ଆପଣଙ୍କର ଆଙ୍ଗୁଳି ବି ଜଳିବ ନାହିଁ । ଏହି ଦୁଇଟି ଉପାୟରେ ସିଲିଣ୍ଡରରେ ଲାଗିଥିବା ନିଆଁକୁ ତୁରନ୍ତ ଲିଭାଯାଇପାରିବ । ସେହିପରି ଅନ୍ୟ ଏକ ସରଳ ଉପାୟ ହେଲା, ଯଦି କୌଣସି କାରଣରୁ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯାଏ ତେବେ ଏହି ସମୟରେ ଆଦୌ ବିଚଳିତ ନହୋଇ ଆପଣ ବ୍ୟବହାର କରୁଥିବା ଚାଦର କିମ୍ବା କୌଣସି ମୋଟା କପଡାକୁ ପାଣିରେ ଭଲ ଭାବରେ ଭିଜାଇ ଦିଅନ୍ତୁ ଏବଂ ଏହି ଓଦା କପଡା କିମ୍ବା ଚାଦରକୁ ଜଳୁଥିବା ସିଲିଣ୍ଡର ଉପରେ ଢାଙ୍କି ଦିଅନ୍ତୁ । ଦେଖିବେ ମାତ୍ର କେଉଁ ମୁହୂର୍ତ୍ତରେ ଜଳିଉଠୁଥିବା ସିଲିଣ୍ଡରଟିରେ ନିଆଁ ଲିଭିଯିବ ।