ଆୟକର ବିଭାଗର ‘କ୍ଲିନ୍ ମନି’ ଅପରେସନ ! ଖସି ପାରିବେନି ପ୍ରବାସୀ ଭାରତୀୟ

32

ଦୀର୍ଘ ଦଶନ୍ଧି ହେଲା ଭାରତ ବାହାରେ ବର୍ଷକୁ ୧୮୨ ଦିନ ରହୁଥିବା ପ୍ରବାସୀ ଭାରତୀୟମାନେ ଟିକସ ଦେବାରୁ ଛାଡ଼ ପାଇ ଯାଉଥିଲେ । ସେମାନଙ୍କ ଅର୍ଥକୁ ଧଳା ମଧ୍ୟ କରି ପାରୁଥିଲେ । ପ୍ରବାସୀ ଭାରତୀୟ ହୋଇଥିବାରୁ ଭାରତ ବାହାରେ ବିଦେଶୀ ବ୍ୟାଙ୍କରେ ସେମାନେ ରଖୁଥିବା ଜମାରାଶିକୁ ସେମାନେ ଆଇନଗତ ଉପାର୍ଜନ ଭାବେ ଦର୍ଶାଇ ଆସୁଥିଲେ । କିନ୍ତୁ ଏବେ ଆଉ ଏହା ସହଜ ହେବନାହିଁ ।

କିଛିଦିନ ପୂର୍ବେ ଆୟକର ବିଭାଗ ଆୟକର ରିଟର୍ଣ୍ଣ ଫର୍ମ-୨ରେ ନୂଆ ବ୍ୟବସ୍ଥା ସାମିଲ କରିଛନ୍ତି । ଫଳରେ ପ୍ରବାସୀ ଭାରତୀୟମାନଙ୍କୁ ସେମାନଙ୍କ ବିଦେଶୀ ବ୍ୟାଙ୍କ ଆକାଉଂଟ ସମ୍ପର୍କିତ ବିସ୍ତୃତ ସୂଚନା ଦେବାକୁ ହେବ । ଆୟକର ବିଭାଗକୁ ସେମାନଙ୍କୁ ବିଦେଶରେ ଥିବା ବ୍ୟାଙ୍କ ଆକାଉଂଟ ନମ୍ବର, ବ୍ୟାଙ୍କର ନାମ, ବ୍ୟାଙ୍କ ରହିଥିବା ଦେଶର ନାମ ସମେତ ସ୍ୱିଫଟ କୋଡ୍ ଏବଂ ଅନ୍ତର୍ଜାତୀୟ ବ୍ୟାଙ୍କ ଆକାଉଂଟ ନମ୍ବର (ଆଇବିଏଏନ୍) ଦେବାକୁ ପଡ଼ିବ ।

ବିମୁଦ୍ରାକରଣ ସମୟରେ ବ୍ୟାଙ୍କରେ ଟଙ୍କା ଜମା କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୫ ଲକ୍ଷ ୫୬ ହଜାର ଲୋକ ଏବେ ଆୟକର ବିଭାଗ ନଜରରେ ରହିଛନ୍ତି । ଆୟକର ବିଭାଗ ଏମାନଙ୍କୁ ଏସଏମଏସ୍ ଓ ଇ-ମେଲ୍ ପଠାଇବ । ଏମାନଙ୍କ ବ୍ୟତୀତ ଆହୁରି ୧ ଲକ୍ଷ ଲୋକ ମଧ୍ୟ ଆୟକର ବିଭାଗର ସ୍କାନରରେ ରହିଛନ୍ତି । ଏହି ବ୍ୟକ୍ତିମାନେ ସେମାନଙ୍କ ସମସ୍ତ ବ୍ୟାଙ୍କ ଆକାଉଂଟର ସୂଚନା ପ୍ରଦାନ କରିନାହାନ୍ତି । ଆୟକର ବିଭାଗ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ କ୍ଲିନ୍ ମନି ଆରମ୍ଭ ହୋଇଛି । ଆୟକର ବିଭାଗ ହାତରେ ସନ୍ଦିଗ୍ଧ କାରବାର ହୋଇଥିବା ତଥ୍ୟ ଲାଗିଛି ।

ଏହାକୁ ଦୃଷ୍ଟିରେ ଟିକସ ପ୍ରଦାନ ଏବଂ ଆୟ ମଧ୍ୟରେ ଅସଙ୍ଗତି ରହିଥିବା ୫ ଲକ୍ଷ ୫୬ ହଜାର ଲୋକଙ୍କୁ ଆୟକର ବିଭାଗ ଇମେଲ୍ ଓ ଏସଏମଏସ୍ ପଠାଇବା ଆରମ୍ଭ କରିଛି ବୋଲି ସିବିଡିଟିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ବେନାମୀ ସଂପତି, ଜାଲ୍ (ସେଲ୍) କଂପାନି ଆଦି ସମ୍ପର୍କରେ ସୂଚନା ପାଇବା ପାଇଁ ବିଭାଗ ପକ୍ଷରୁ ଡାଟା ଆନାଲିଟିକ୍ସର ଉପଯୋଗ କରାଯାଉଛି । ଅପରେସନ କ୍ଲିନ୍ ମନିର ପ୍ରଥମ ପର୍ୟ୍ୟାୟରେ ପ୍ରାୟ ୧ ଲକ୍ଷ ଲୋକ ସେମାନଙ୍କ ବ୍ୟାଙ୍କ ଆକାଉଂଟ ସମ୍ପର୍କିତ ସୂଚନା ପ୍ରଦାନ କରିନାହାନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ଆୟକର ବିଭାଗ ୧୭.୯୨ ଲକ୍ଷ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ସୂଚନା ଦେବାକୁ କହିଥିଲା । କିନ୍ତୁ ଏମାନଙ୍କ ମଧ୍ୟରୁ ୯.୭ ଲକ୍ଷ ଲୋକ ଅନଲାଇନରେ ଉତ୍ତର ଦେଇଥିଲେ । କିନ୍ତୁ ଦ୍ୱିତୀୟ ପର୍ୟ୍ୟାୟରେ ଏହି ସାଢ଼େ ୬ ଲକ୍ଷ ଲୋକ ଅନଲାଇନରେ ଉତ୍ତର ଦେବେ । ସେମାନଙ୍କୁ ଆୟକର ବିଭାଗର କାର୍ଯ୍ୟାଳୟକୁ ଆସିବାକୁ ପଡ଼ିବ ନାହିଁ । ଏତଦବ୍ୟତୀତ ବିମୁଦ୍ରାକରଣ ସମୟରେ ବ୍ୟାଙ୍କ ଖାତାରେ ୨ ଲକ୍ଷ ଟଙ୍କାରୁ ଅଧିକ ଜମା କରିଥିବା ବ୍ୟକ୍ତିମାନଙ୍କୁ ଚଳିତବର୍ଷ ଆୟକର ରିଟର୍ଣ୍ଣରେ ଏହାକୁ ଦର୍ଶାଇବାକୁ ହେବ ।

ଜମା ଏବଂ ଆୟ ମଧ୍ୟରେ କୌଣସି ବ୍ୟତିକ୍ରମ ହୋଇଛି କି ନାହିଁ ତାହାକୁ ଆୟକର ବିଭାଗ ମିଳାଇ ଦେଖିବ । ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା-୨୦୧୬ ମାଧ୍ୟମରେ ଜମାକାରୀଙ୍କୁ କଳାଟଙ୍କା ଘୋଷଣାର ସୁଯୋଗ ଶେଷଥର ପାଇଁ ପ୍ରଦାନ କରିଥିଲେ । ଯେଉଁମାନେ କଳାଟଙ୍କା ଘୋଷଣା କରିଥିଲେ ସେମାନଙ୍କୁ ଟିକସ ଏବଂ ଜରିମାନା ବାବଦରେ ମୋଟ ଜମାରାଶିର ୫୦ ପ୍ରତିଶତ ଦେବାକୁ ପଡ଼ିଥିଲା । ଏତଦବ୍ୟତୀତ ଜମାରାଶିର ୨୫ ପ୍ରତିଶତ ଅର୍ଥକୁ ୪ ବର୍ଷ ପାଇଁ ସରକାର ବିନା ସୁଧରେ ତାଙ୍କ ନିକଟରେ ରଖିଛନ୍ତି । ଏହି ଯୋଜନାରେ ମୋଟ ୫୦୦୦ କୋଟି ଟଙ୍କାର ଘୋଷଣା ସରକାରଙ୍କୁ ମିଳିଛି ।