ଆପଣ ପିଉଥିବା ମଦ ଅସଲି ନା ନକଲି ? ବୋତଲ ଦେଖି ଏଭଳି କରନ୍ତୁ ଚିହ୍ନଟ, ନଚେତ ଚାଲିଯାଇପାରେ ଜୀବନ

377

ଉତରପ୍ରଦେଶ, ଉତରାଖଣ୍ଡରେ ତାଣ୍ଡବ ରଚିଛି ବିଷାକ୍ତ ମଦ । ବିଷାକ୍ତ ମଦ ଯୋଗୁଁ ଏହି ଦୁଇଟି ରାଜ୍ୟରେ ବର୍ତ୍ତମାନ ଶହେ ଲୋକଙ୍କର ଜୀବନ ଗଲାଣି । ଏବେବି ଶତାଧିକ ଗୁରୁତର ଅବସ୍ଥାରେ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଘଟଣାରେ ସଂପୃକ୍ତ ଥିବା ଅନେକ ଲୋକଙ୍କୁ ଗିରଫ କରାଯାଇଥିଲେ ସୁଦ୍ଧା ପରିସ୍ଥିତିକୁ ସଂପୂର୍ଣ୍ଣ ଆୟତରେ ଅଣାଯାଇପାରୁନି । କାରଣ ଅପରାଧିକ ମାମଲା ଭଳି ନକଲି ମଦ କାରବାର ମଧ୍ୟ ଉଭୟ ସରକାର ଏବଂ ଅବକାରୀ ବିଭାଗ ପାଇଁ ଚ୍ୟାଲେଂଜ ପାଲଟିଯାଇଛି । ଏଥିପାଇଁ ଅବକାରୀ ବିଭାଗ ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମଦ ଜବତ କରାଯାଉଛି । ଏଥିସହିତ ହିଁ ଲୋକଙ୍କୁ ସଚେତନା କରିବାକୁ ମଧ୍ୟ ବିଭିନ୍ନ ଅଭିଯାନ ଆରମ୍ଭ କରାଯାଇଛି ।

ଏହିକ୍ରମରେ ତଥା ନକଲି ମଦ ଉପରେ ଲଗାମ କଷିବାକୁ ଅବକାରୀ ବିଭାଗ ଏକ ନୂଆ ଏବଂ ଡିଜିଟାଲ ତରିକାର ଆଶ୍ରୟ ନେଇଛି । ଅବକାରୀ ବିଭାଗ ଏନେଇ ଏକ ମୋବାଇଲ ଆପ୍ ବିକଶିତ କରିଛି । ଯେଉଁଥିରେ ଆପଣ ନିଜେ ହିଁ ମଦର ଭୟାବହତା ସଂପର୍କରେ ଜାଣିପାରିବେ ଆଉ ଆପଣଙ୍କୁ ଏହି କାମରେ ସହଯୋଗ କରିବ ଆପଣ ବ୍ୟବହାର କରୁଥିବା ସ୍ମାର୍ଟଫୋନ । କୁହାଯାଉଛି କି, ଅବକାରୀ ନୀତି ବର୍ଷ ୨୦୧୮-୧୯ ଅନୁସାରେ, ବିଭାଗ ଟ୍ରାକ୍ ଆଣ୍ଡ ଟ୍ରେସ ପ୍ରଣାଳୀ ଉପରେ କାମ କରୁଛି ।

ଏହି ଯୋଜନା ଅନୁସାରେ ମଦ ପେଟି ଏବଂ ବୋତଲ ଉପରେ ବାରକୋଡ ଲଗାଯାଉଛି । ଏହି ବାରକୋଡ ତଥା କ୍ୟୁଆର କୋଡର ସ୍କାନିଂ କରି ଆପଣ ମଦ ତିଆରି କଂପାନୀ, ବଟଲଂର ତାରିଖ ଏବଂ ଏମଆରପି ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ । ଏଥିସହିତ ହିଁ ଆପଣ ଜାଣିପାରିବେ କି ଆପଣ ଯେଉଁ ମଦ ପିଉଛନ୍ତି ତାହା ବାସ୍ତବରେ ଅସଲି ନା ନକଲି । ତେବେ ମଦର ଚିହ୍ନଟ କରୁଥିବା ଏହି ସ୍ୱତନ୍ତ୍ର ଆପକୁ ଆପଣ ଗୁଗଲ ପ୍ଲେଷ୍ଟୋର ବ୍ୟତୀତ ଅବକାରୀ ବିଭାଗର ଆଧିକାରୀକ ୱେବସାଇଟ୍ ତଥା WWW.upexcise.inରେ ବି ଡାଉନଲୋଡ କରିପାରିବେ ।

ଉଲ୍ଲେଖ ଥାଉ କି, ବିଷାକ୍ତ ମଦ ଯୋଗୁଁ ଉତରପ୍ରଦେଶଏବଂ ଉତରାଖଣ୍ଡରେ ମୃତ୍ୟୁ ସଂଖ୍ୟା ଶହେ ଟପିଛି । ଶତାଧିକ ଗୁରୁତର ଅବସ୍ଥାରେ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ୟୁପିରେ ୭୮ଜଣ ପ୍ରାଣ ହରାଇଥିବାବେଳେ ୫୦ରୁ ଅଧିକ ଅତ୍ୟନ୍ତ ସଂକଟାପର୍ଣ୍ଣ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । କେବଳ ଉତରପ୍ରଦେଶର ଶାହାରନପୁରରେ ୬୪ଜଣ, କୁଶିନଗରରେ ୧୪ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଉତରାଖଣ୍ଡ ହରିଦ୍ୱାର ଜିଲ୍ଳାରେ ୨୦ଜଣଙ୍କର ମୃତ୍ୟୁ ହୋଇଛି ଓ ୯ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ତେଣୁ ଏହି ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି । ଗତକାଲି ସନ୍ଧ୍ୟା ସୁଧା ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଅଧିକାଂଶ ବିଷାକ୍ତ ମଦ ପିଇବା ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡିଛି ।