କେମିତି ହନିପ୍ରୀତ୍ ରାମ୍ ରହିମଙ୍କ ହାଇ-ଟେକ୍ ଗୁମ୍ଫାରେ ପଶି ଟଙ୍କା ନେଇ ହୋଇଗଲେ ଫେରାର

63

ଦୁଇ ମହିଳା ଅନୁଗାମିନୀଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଗୁରମୀତ୍ ରାମ୍ ରହିମଙ୍କୁ କାରାଗାର ପଠାଯିବା ପରେ ପରେ ହରିୟାନା ପୁଲିସ ସିର୍ସା ଅନ୍ତର୍ଗତ ଆତ୍ମଘୋଷିତ ବାବାଜିଙ୍କ ଧାର୍ମିକ ମଣ୍ଡଳ ଡେରା ସଚ୍ଚା ସୌଦା ମୁଖ୍ୟାଳୟରେ ଏକ ବିରାଟ ସାନିଟାଇଜେସନ୍ ଡ୍ରାଇଭ୍ ଆରମ୍ଭ କରିଥିଲା ।

ଅନୁଦାନ ଏବଂ ମାର୍କାଦିଆ ସାମଗ୍ରୀ ବିକ୍ରୟ ଆଧାରରେ ଡେରାରେ କୋଟି କୋଟି ଟଙ୍କା ଗଚ୍ଛିତ କରାଯାଇଥିବ ବୋଲି ବିଶ୍ୱାସ କରାଯାଉଥିଲା । କିନ୍ତୁ, ସାନିଟେସନ୍ ଡ୍ରାଇଭ୍ ପରେ କର୍ତ୍ତୃପକ୍ଷମାନେ ମାତ୍ର ୧୨ ହଜାର ଟଙ୍କା ପାଇବା ଥିଲା ବଡ଼ ଆଚମ୍ବିତ କଥା । ଡେରା ସମ୍ପଦ ଗଲା କୁଆଡ଼େ? ଜଣା ପଡ଼ିଲା ଯେ, କର୍ତ୍ତୃପକ୍ଷମାନେ ସେପ୍ଟେମ୍ବର ୭ ତାରିଖରୁ ତିନି ଦିବସୀୟ ସାନିଟେସନ୍ ଡ୍ରାଇଭ୍ ଆରମ୍ଭ କରିବା ପୂର୍ବରୁ ରାମ୍ ରହିମଙ୍କ ଘନିଷ୍ଠ ସହଯୋଗିନୀ ହନିପ୍ରୀତ୍ ଇନସାନ୍ ମଣ୍ଡଳର ନଗଦ ଅର୍ଥ ଏବଂ ଧନଧାନ୍ୟ ଧରି ସେଠାରୁ ନିରୁଦ୍ଦେଶ ହୋଇ ଯାଇଥିଲେ ।

ଅଗଷ୍ଟ ୨୫ରୁ ୨୮ ତାରିଖ ମଧ୍ୟରେ ହନିପ୍ରୀତ୍ ଡେରା ମୁଖ୍ୟାଳୟରେ ଚାରି ରାତି କଟାଇ ଥିଲେ। ହନିପ୍ରୀତଙ୍କ ପାଇଁ ଗାଡ଼ି ଯୋଗାଡ଼ କରିଥିବା ଡେରା ଚେୟାରମ୍ୟାନ୍ ବିପାଶନା ଇନସାନଙ୍କ ଠାରୁ କିଛି ସହାୟତା ପାଇ ରାମ ରହିମ୍ କନ୍ୟା ଅଗଷ୍ଟ ୨୫ ତାରିଖ ରାତି ୨ଟାରେ ମୁଖ୍ୟାଳୟରେ ପହଞ୍ଚିଥିଲେ । ରାମ୍ ରହିମ୍ ଓ ଧରମ୍ ସିଂହଙ୍କ ସମେତ କେବଳ ହନିପ୍ରୀତ୍ ହିଁ ଗୋପନ ଗୁମ୍ଫା ମଧ୍ୟକୁ ଅବାଧ ପ୍ରବେଶ କରିପାରୁଥଲେ । ଗୁମ୍ଫାର ଦ୍ୱାର ଖୋଲିବାକୁ ହନିପ୍ରୀତ୍ ନିଜର ଟିପଚିହ୍ନ ବ୍ୟବହାର କରି ନଗଦ ଅର୍ଥ, ମୂଲ୍ୟବାନ୍ ସାମଗ୍ରୀ ଏବଂ କିଛି ଦଲିଲ୍ ନେଇ ଯାଇଥିଲେ ।

ତା’ପରେ ଜଣେ ରାଜନେତାଙ୍କ ଛତ୍ରଛାୟରେ ହନିପ୍ରୀତ୍ ଡେରା ମୁଖ୍ୟାଳୟ ଛାଡ଼ି ଥିଲେ । ହରିୟାନା ପୁଲିସ କବଳରୁ ଅନେକ ବାର ବର୍ତ୍ତିଯାଇ ପରବର୍ତ୍ତୀ ମାସେ କାଳ ସେ ନିରୁଦ୍ଦେଶ ରହିଥିଲେ । ପୁଲିସ ବିଶ୍ୱାସ କରୁଛି ଯେ ପୁଲିସ ହାବୁଡ଼ରୁ ନିସ୍ତାର ପାଇବା ନିମନ୍ତେ ଲୁଚି ବୁଲୁଥିବାବେଳେ ପଞ୍ଜାବର ଜଣେ ପ୍ରମୁଖ କୋଠାବାଡ଼ି ନିର୍ମାତା ହନିପ୍ରୀତଙ୍କୁ ସହାୟତା କରିଥିଲେ । ରାମ୍ ରହିମଙ୍କ କନ୍ୟାକୁ ସହାୟତା ଯୋଗାଇଥିଲେ ବୋଲି ବିଶ୍ୱାସ କରାଯାଉଥିବା ସେ ରାଜନେତା କି, ସେ କୋଠାବାଡ଼ି ନିର୍ମାତାଙ୍କୁ ଏ ଯାବତ୍ ଗିରଫ କରାଯାଇ ନାହିଁ ।

ମିଳୁ ନ ଥିବା ସୁଟକେସ୍

ଏବେ ହନିପ୍ରୀତ୍ ଗିରଫ ହୋଇଥିଲେ ମଧ୍ୟ ଡେରାରେ ଗଚ୍ଛିତ ଥିଲା ବୋଲି ବିଶ୍ୱାସ କରାଯାଉଥିବା ଏବଂ ସେ ନେଇ ଯାଇଥିବା ନଗଦ ଅର୍ଥ ଏବଂ ମୂଲ୍ୟବାନ ସାମଗ୍ରୀ କୁଆଡ଼େ ଗଲା ତା’ର ଟେର୍ କର୍ତ୍ତୃପକ୍ଷମାନେ ପାଉ ନାହାନ୍ତି । ହନିପ୍ରୀତ୍ ସାଥିରେ କେତେକ ସୁଟକେସ୍ ନେଇଥିବା କଥା ଗୁଇନ୍ଦା ରିପୋର୍ଟରୁ ଜଣା ପଡୁଛି । କିନ୍ତୁ, ସେ ସୁଟକେସ୍ ମଧ୍ୟରେ କ’ଣ ଥିଲା ଏବଂ ହନିପ୍ରୀତ୍ ସେଗୁଡ଼ିକୁ କେଉଁଠି ରଖିଛନ୍ତି ତାହା ରହସ୍ୟମୟ ହୋଇ ରହିଛି । ସମ୍ପ୍ରତି ରାମ୍ ରହିମଙ୍କ ଆତ୍ମୀୟମାନେ ରହୁଥିବା ରାଜସ୍ଥାନ ଅନ୍ତର୍ଗତ ଗୁର୍ସାର୍ ମୋଦିଆର କେତେକ ସ୍ଥାନରେ ଚଢ଼ଉ କରି ପୁଲିସ କିଛି ସଫଳତା ପାଇଥିଲା ।

କିନ୍ତୁ, ହନିପ୍ରୀତଙ୍କୁ ମିଳୁ ନ ଥିବା ମୋବାଇଲ୍ ଫୋନ୍ ସବୁ ଏବଂ ଲାପଟପ୍ଟି ଉଦ୍ଧାର କରିବାରେ ପୁଲିସ ବିଫଳ ହୋଇଛି । ରାମ୍ ରହିମ୍ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଉପୁଜି ଥିବା ହିଂସାକାଣ୍ଡର ପ୍ରାକ୍ ଯୋଜନା କିପରି ହନିପ୍ରୀତଙ୍କୁ ସହାୟତା କରିଥିଲା ତାହା ସେ ଲାପଟପରେ ଅଛି ଏବଂ ସେଇଟି ପ୍ରମାଣ ସ୍ୱରୂପ ପୁଲିସ କାମରେ ଲାଗି ପାରିବ ବୋଲି ବିଶ୍ୱାସ କରାଯାଉଛି ।