ଦିନ ଥିଲା ଖାଇବାକୁ ପାଉ ନଥିଲେ ଏହି ଖେଳାଳୀ ! ଏବେ ଭାରତୀୟ ଦଳର ଷ୍ଟାର କ୍ରିକେଟର

46

ନିକଟରେ ଶ୍ରୀଲଙ୍କା ବିପକ୍ଷରେ ନିଜର ପଦାର୍ପଣ ଟେଷ୍ଟ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । ଏଥିସହିତ ଏହି ମ୍ୟାଚରେ ହାର୍ଦ୍ଦିକ ଦମଦାର ପ୍ରଦର୍ଶନ କରି ଭାରତୀୟ ବ୍ୟାଟସମ୍ୟାନ ଭାବେ ମ୍ୟାଚରେ ସବୁଠୁ ଅଧିକ ଛକା ମାରିବାର ରେକର୍ଡ ସୃଷ୍ଟି କରିଥିଲେ । ଯାହାଦ୍ୱାରା ସେ ଏବେ କ୍ରିକେଟ୍ ପ୍ରେମୀଙ୍କ ନଜରରେ ଛାଇ ଯାଇଛନ୍ତି । କହିବାକୁ ଗଲେ ଆଜିକା ଦିନରେ ପାଣ୍ଡ୍ୟା ଜଣେ ପ୍ରଭାବଶାଳୀ ତଥା ଜଣେ କୋଟିପତି ଖେଳାଳୀ ରୂପେ ପରିଗଣିତ ମାତ୍ର ତାଙ୍କ ପିଲା ଦିନ ଥିଲା ବହୁ ଅଭାବ ଅନାଟନରେ ।

୧୯୯୩ ଅକ୍ଟୋବର ୧୧ରେ, ଗୁଜରାଟର ସୁରତରେ ହାର୍ଦ୍ଦିକ ପାଣ୍ଡ୍ୟା ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ହିମାଂଶୁ ପାଣ୍ଡ୍ୟା। ହାର୍ଦ୍ଦିକ ବାପା ପେଶାରେ ଜଣେ ଛୋଟ ବ୍ୟବସାୟୀ ଥିଲେ । ହାର୍ଦ୍ଦିକଙ୍କୁ ଯେତେବେଳେ ୫ ବର୍ଷ ହୋଇଥିଲା ସେହି ସମୟରେ ତାଙ୍କ ବାପା ଲଗାତାର ହେଉଥିବା କ୍ଷତିକୁ ଦେଖି ବ୍ୟବସାୟ ବନ୍ଦ କରିଦେଇ ପରିବାର ସମେତ ବଡ଼ୌଦା ଚାଲି ଆସିଥିଲେ । ସେଠାରେ ସେ ଏକ ଭଡ଼ା ଘରେ ରହିଥିଲେ ।

କହିବାକୁ ଗଲେ ହାର୍ଦ୍ଦିକଙ୍କ ଆର୍ଥିକ ପରିସ୍ଥିତି ସେତେ ସ୍ଵଚ୍ଛଳ ନଥିଲା। ଏଭଳି କି ହାର୍ଦ୍ଦିକଙ୍କୁ ଦିନରେ ଗୋଟିଏ ଓଳି ଖାଦ୍ୟ ମଧ୍ୟ ଖାଇବାକୁ ମିଳୁ ନଥିଲା । ଖାଲି ସେତିକି ନୁହେଁ ହାର୍ଦ୍ଦିକଙ୍କ ବାପା ଜଣେ ହୃଦଘାତ ରୋଗୀ ଥିଲେ । ତେଣୁ ଖରାପ ସ୍ଵାସ୍ଥ୍ୟ କାରଣରୁ ତାଙ୍କ ପକ୍ଷେ ଚାକିରୀ କରିବା ସମ୍ଭବପର ନଥିଲା, ଏଥିପାଇଁ ହାର୍ଦ୍ଦିକ ଓ ତାଙ୍କ ବଡ ଭାଇ କୃଣାଲଙ୍କୁ ପିଲା ଦିନେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ।

ବାପା ଥିଲେ ଜଣେ କ୍ରିକେଟ୍ ପ୍ରେମୀ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବାପା ଜଣେ ବଡ଼ କ୍ରିକେଟ ପ୍ରଶଂସକ ଥିଲେ । ସେ ହାର୍ଦ୍ଦିକ ଓ କୃଣାଲଙ୍କ ସହ ମ୍ୟାଚ ଦେଖୁଥିଲେ ଏବଂ ତାଙ୍କ ସହ କ୍ରିକେଟ ମଧ୍ୟ ଖେଳୁଥିଲେ । ଦୁଇ ଭାଇଙ୍କ କ୍ରିକେଟ ପ୍ରତି ଦୁର୍ବଳତା ଥିବା ଦେଖି ହାର୍ଦ୍ଦିକ ଓ କୃଣାଲଙ୍କୁ ‘କିରଣ ମୋରେ କ୍ରିକେଟ ଏକାଦେମୀ’ରେ ନାମ ଲେଖାଇଥିଲେ । ତେବେ ଦୁଇ ପୁଅଙ୍କ ଖେଳ ପ୍ରତି ଅହେତୁକ ମୋହ ଦେଖି ହିମାଂଶୁ ମଧ୍ୟ ଭଲ ପ୍ରଶିକ୍ଷଣ ପାଇଁ ବଡ଼ୌଦାରୁ ମୁମ୍ବାଇ ଚାଲି ଆସିଥିଲେ ।

ଆଜିକା ଦିନରେ ହାର୍ଦ୍ଦିକ ଜଣେ କୋଟିପତି କ୍ରିକେଟର

ଜୀବନରେ ଅନେକ ଅଭାବ ଅନାଟନର ସମ୍ମୁଖୀନ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଆଜିକା ଦିନରେ ଜଣେ କୋଟି ପତି କ୍ରିକେଟର । ହାର୍ଦ୍ଦିକ ଭାରତୀୟ ଦଳ ବ୍ୟତୀତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ମଧ୍ୟ ଖେଳନ୍ତି । ଖାଲି ଏତିକି ନୁହେଁ ବିସିସିଆଇ ହାର୍ଦ୍ଦିକଙ୍କୁ ସି-ଗ୍ରେଡରେ ବି ରଖିଛି । ଏଥିପାଇଁ ପ୍ରତି ଟେଷ୍ଟ ମ୍ୟାଚରେ ତାଙ୍କୁ ୧୫ ଲକ୍ଷ ଟଙ୍କାର ମ୍ୟାଚ ଫି, ଦିନିକିଆ ପାଇଁ ୬ ଲକ୍ଷ ଓ ଟି-୨୦ ମ୍ୟାଚ ପାଇଁ ୩ ଲକ୍ଷ ଟଙ୍କାର ମ୍ୟାଚ ଫି ମିଳିଥାଏ । ଏହା ବ୍ୟତୀତ ଆଇପିଏଲରେ ମଧ୍ୟ ତାଙ୍କୁ ବାର୍ଷିକ ଏକ କୋଟି ଟଙ୍କା ମିଳିଥାଏ ।

ସୌଜନ୍ୟ: ହିନ୍ଦୁସ୍ତାନ ଟାଇମ୍ସ