ଆତ୍ମହତ୍ୟା ନା ଷଢଯନ୍ତ୍ର ! ଜାଣନ୍ତୁ କିପରି ହୋଇଥିଲା ମହାନ ରାଜନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟଙ୍କ ମୃତ୍ୟୁ

77

ଯଦି ଦୁନିଆରେ କେହି ଜଣେ ମହାନ ରାଜନୀତିଜ୍ଞ ଥିଲେ ତେବେ ସେ ହେଉଛନ୍ତି ଆଚାର୍ଯ୍ୟ ଚାଣକ୍ୟ । ଆଜି ମଧ୍ୟ ଲୋକେ ଜଣେ ମହାନ ରାଜନୀତିଜ୍ଞ ହେବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କଦ୍ୱାରା ଦର୍ଶାଯାଇଥିବା ମାର୍ଗକୁ ଅନୁସରଣ କରୁଛନ୍ତି । ତେବେ ଆଚାର୍ଯ୍ୟ ଚାଣକ୍ୟଙ୍କ ଜୀବନ ସହିତ ଜଡିତ ଅନେକ କଥା ଆମେ ଅଳ୍ପବହୁତ ଜାଣିଛେ । କିନ୍ତୁ ଆଜି ମଧ୍ୟ କାହାକୁ ତାଙ୍କ ମୃତ୍ୟୁର କାରଣ ସଂପର୍କରେ ସଠିକ୍ ରୂପେ ଜଣା ନାହିଁ ।

ଆଚାର୍ଯ୍ୟ ଚାଣକ୍ୟଙ୍କ ମୃତ୍ୟୁକୁ ନେଇ ବିଶ୍ୱଇତିହାସରେ ଗୋଟିଏ ନୁହେଁ ବରଂ ଅନେକ କାହାଣୀମାନ ପ୍ରଚଳିତ । କିନ୍ତୁ ସେଥିମଧ୍ୟରୁ ଦୁଇଟି ମୁଖ୍ୟ କାହାଣୀ ସଂପର୍କରେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ । ପ୍ରଥମଟି ହେଲା-ଆଚାର୍ଯ୍ୟ ଚାଣକ୍ୟ ସେପର୍ଯ୍ୟନ୍ତ ଅନ୍ନ-ଜଳ ତ୍ୟାଗ କରିଦେଇଥିଲେ ଯେପର୍ଯ୍ୟନ୍ତ ତାଙ୍କର ମୃତ୍ୟୁ ହୋଇ ନଥିଲା । ଅନ୍ୟଟି ଥିଲା- ସେ କୌଣସି ଶତ୍ରୁର ଷଢଯନ୍ତ୍ରର ଶିକାର ହୋଇଥିଲେ ଯାହା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା ।

କୁହାଯାଏ,ଜଣେ ସାଧାରଣ ବାଳକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟକୁ ଆଚାର୍ଯ୍ୟ ଚାଣକ୍ୟ ସମ୍ରାଟ ବନାଇଥିଲେ । ତାଙ୍କ ନୀତି ଓ ଉପଦେଶକୁ ଚନ୍ଦ୍ରଗୁପ୍ତ ଅକ୍ଷରେ ଅକ୍ଷରେ ପାଳନ କରି ମୌର୍ଯ୍ୟ ବଂଶକୁ ଏକ ନୂଆ ପରିଚୟ ଦେଇଥିଲେ । ମାତ୍ର କୌଣସି କାରଣବଶତଃ ଚନ୍ଦ୍ରଗୁପ୍ତଙ୍କର ମୃତ୍ୟୁ ହୋଇଯାଏ । ଆଉ ଶାସନଭାର ସମ୍ଭାଳି ଥିଲେ ତାଙ୍କ ପୁଅ ବିନ୍ଦୁସାର । ସେ ମଧ୍ୟ ଆଚାର୍ଯ୍ୟଙ୍କ ଅନୁଶାସନରେ ଅନୁପ୍ରାଣିତ ଥିଲେ । କିନ୍ତୁ ଏହା ରାଜା ବନ୍ଦୁସାରଙ୍କ ମନ୍ତ୍ରୀ ସୁବନ୍ଧୁକୁ ପସନ୍ଦ ନଥିଲା । ସେ ସବୁବେଳେ ରାଜା ଏବଂ ଆଚାର୍ଯ୍ୟଙ୍କୁ ଇର୍ଶା କରୁଥିଲା । ଏବଂ ଉଭୟଙ୍କ ମଧ୍ୟରେ ଦୂରତା ସୃଷ୍ଟି କରିବାକୁ ନାନା ଷଢଯନ୍ତ୍ର ମଧ୍ୟ ରଚିଥିଲା । ଦିନେ ସେ ସେଥିରେ ସଫଳ ମଧ୍ୟ ହୋଇଯାଇଥିଲା ।

ସେ ରାଜାଙ୍କ ମାଆଙ୍କ ମୃତ୍ୟୁ ପାଇଁ ଆଚାର୍ଯ୍ୟ ଦାୟୀ ଅଟନ୍ତି ଭଳି କୁମନ୍ତ୍ରଣା ଦେଇ ଆଚାର୍ଯ୍ୟଙ୍କ ପ୍ରତି ରାଜାଙ୍କ ମନରେ ଘୃଣାଭାବ ସୃଷ୍ଟି କରିଥିଲା । ଯାହାଦ୍ୱାରା ରାଜା ଓ ଆଚାର୍ଯ୍ୟଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା । ଏହା ଏତେମାତ୍ରାରେ ବଢିଯାଇଥିଲା କି ଆଚାର୍ଯ୍ୟଙ୍କଠାରୁ ରାଜା କୌଣସି ଉପଦେଶ ଗ୍ରହଣ କଲେ ନାହିଁ । ଯାହା ଆଚାର୍ଯ୍ୟଙ୍କ ମନରେ ବହୁତ କଷ୍ଟ ଦେଇଥିଲା । ଆଉ ସେ ମହଲ ଛାଡି ଚାଲି ଯାଇଥିଲେ ।

କିନ୍ତୁ ପରବର୍ତ୍ତି ସମୟରେ ରାଜା ତାଙ୍କ ଭୁଲ୍ ବୁଝି ପାରିଥିଲେ । ଏବଂ ଆଚାର୍ଯ୍ୟଙ୍କୁ ମହଲକୁ ଫେରାଇଆଣିବାକୁ ଯାଇଥିଲେ ମାତ୍ର ସେ ଫେରି ନଥିଲେ । ଅନ୍ୟପଟେ ଆଚାର୍ଯ୍ୟଙ୍କୁ ରାଜାଙ୍କର ବ୍ୟବହାର ଏତେ କଷ୍ଟ ଦେଇଥିଲା କି ସେ ମୃତ୍ୟୁ ଆସିବା ପର୍ଯ୍ୟନ୍ତ ଅନ୍ନ-ଜଳ ସ୍ପର୍ଶ ନକରିବା ଭଳି କଠୋର ନିଷ୍ପତି ନେଇଥିଲେ । ସେହିପରି ଅନ୍ୟ କାହାଣୀଟି ଅନୁସାରେ, ମନ୍ତ୍ରୀ ସୁବନ୍ଧୁ ଆଚାର୍ଯ୍ୟଙ୍କୁ ମାରିବା ପାଇଁ ତାଙ୍କ କୁଟୀରରେ ନିଆଁ ଲଗାଇ ଦେଇଥିଲା ଆଉ ଯେଉଁଥିରେ ଆଚାର୍ଯ୍ୟଙ୍କର ମୃତ୍ୟୁ ହୋଇଯାଇଥିଲା ।