କିଭଳି ହୋଇଥାଏ ବାତ୍ୟାର ନାମକରଣ ଓ ବିଭକ୍ତିକରଣ? ଜାଣନ୍ତୁ

357

ବାତ୍ୟା ତିତଲିକୁ ନେଇ ଏବେ ଉପକୂଳିଆ ଲୋକେ ଚିନ୍ତାରେ । ପୂର୍ବରୁ ମଧ୍ୟ ୨୦୧୩ରେ ଫାଇଲିନ୍ ଓ ୨୦୧୪ରେ ହୁଡହୁଡ୍ ଓଡିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲେ । କିଛି ଦିନ ତଳେ ବାତ୍ୟା ଡାଏ ଆସିଥିଲେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହୋଇନଥିଲା । ହେଲେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଫାଇଲିନ୍, ହୁଡ୍ହୁଡ୍, ଡାଏ, ତିତଲି, ବାତ୍ୟାର ଏସବୁ ନାଁ କେମିତି ଓ କାହିଁକି । ବିଶ୍ୱ ପାଣିପାଗ ସଂଗଠନ ଓ ମିଳିତ ଜାତିସଂଘର ଏସିଆ ପାଇଁ ଥିବା ଅର୍ଥନୈତିକ ଓ ସାମାଜିକ କମିଶନ ୨୦୦୦ମସିହାରୁ ସାମୁଦ୍ରିକ ଝଡ ବାତ୍ୟାର ନାମକରଣ କରିବା ଆରମ୍ଭ କରିଥିଲେ ।

ପୂର୍ବାନୁମାନ, ସତର୍କ ସୂଚନା ଏହି ସବୁକୁ ଆଧାର କରି ସାରା ବିଶ୍ୱରେ ୯ଟି ଅଂଚଳରେ ବାତ୍ୟାକୁ ସୀମିତ ରଖାଯାଇଛି । ସେଗୁଡିକ ହେଲା ନର୍ଥ ଆଟଲାଂଟିକ, ଇଷ୍ଟର୍ଣ୍ଣ ନର୍ଥ ପାସିଫିକ, ସେଂଟ୍ରାଲ ନର୍ଥ ପାସିଫିକ, ୱେଷ୍ଟର୍ଣ୍ଣ ନର୍ଥ ପାସିଫିକ, ନର୍ଥ ଇଣ୍ଡିଆନ ଓସେନ, ସାଉଥ ୱେଷ୍ଟ ଇଣ୍ଡିଆନ ଓସେନ, ଅଷ୍ଟ୍ରେଲିଆନ, ସଦର୍ଣ୍ଣ ପାସିଫିକ ଓ ସାଉଥ ଆଟଲାଂଟିକ । ନର୍ଥ ଇଣ୍ଡିଆନ ଓସେନ ବେସିନରେ ଆସୁଥିବା ବାତ୍ୟାର ନାମକରଣ ଭାରତୀୟ ପାଣିପାଗ ବିଭାଗ କରିଥାଏ । ଏଥିସହ ୮ଟି ଦେଶ, ବାଂଲାଦେଶ, ଭାରତ, ମାଲଦ୍ୱୀପ, ମିଆଁମାର, ଓମାନ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ଥାଇଲ୍ୟାଣ୍ଡ ପ୍ରତ୍ୟେକ ୮ଟି ଲେଖାଏଁ ନାଁ ଭବିଷ୍ୟତର ବାତ୍ୟା ପାଇଁ ଦେଇଥାନ୍ତି । ଅର୍ଥାତ ୮ଟି ଦେଶର ୬୪ଟି ନାଁ ବାତ୍ୟା ପାଇଁ ନାମିତ ହୋଇଥାଏ । ଗୋଟିଏ ବାତ୍ୟା ପାଇଁ ଗୋଟିଏ ଦେଶର ନାଁ ବ୍ୟବହାର ହେଲା ପରେ ପରବର୍ତୀ ବାତ୍ୟା ପାଇଁ କ୍ରମାନ୍ୱୟରେ ପରବର୍ତୀ ଦେଶ ଗୁଡିକ ଦେଇଥିବା ନାଁ ଗୁଡିକ ଆସିଥାଏ । ବର୍ତମାନ ମାଡି ଆସୁଥିବା ବାତ୍ୟାର ନାମକରଣର ଭାଗ ପାକିସ୍ତାନ ଉପରେ ପଡିଥିବା ବେଳେ ପାକିସ୍ତାନ ଏହାର ନାଁ ‘ତିତଲି’ ବୋଲି ରଖିଛି ।

ବାତ୍ୟାର ନାମ କରଣ କିଭଳି ହୁଏ ?

ବର୍ତ୍ତମାନ ବିଶ୍ୱ ଜଳବାୟୁ ସଂଗଠନ ର ତତ୍ୱାବଧାନରେ କାର୍ଯ୍ୟ କରୁଥିବା ବିଶ୍ୱର ୧୧ଟି ଚେତାବନୀ କେନ୍ଦ୍ର ବାତ୍ୟାର ନାମକରଣ କରୁଛି । ସବୁ ବାତ୍ୟାର ନାମକୁ ଚୂଡାନ୍ତ ଅନୁମୋଦନ ପ୍ୟାଇଁ ଡବ୍ଲ୍ୟୁଏମଓର ଆଂଚଳିକ କ୍ରାନ୍ତିୟ ବାତ୍ୟା କମିଟିକୁ ପଠାଯାଇଥାଏ । ଏହି କମିଟି ନାମକରଣକୁ ପ୍ରତ୍ୟାଖ୍ୟାନ ବା ପରିବର୍ତ୍ତନ କରିପାରିବେ କିମ୍ବା ନିଜେ ଏକ ନୂଆ ନାମ ଦେଇପାରିବ । ଏହି ପ୍ରକ୍ରିୟାରେ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଥିବା ଦେଶକୁ ସାମିଲ କରାଯାଇଥାଏ । ଏକ ଲୋକପ୍ରିୟ ଲୋକମତ ବା ନାମର ଆଧାରରେ ହିଁ ଏହାର ନାମ କରଣ କରାଯାଇଥାଏ । ନାମକରଣକୁ ଆହୁରୀ ସଂଗଠିତ କରିବା ପାଇଁ , ପାଣିପାଗ ବିଜ୍ଞାନୀମାନେ ବର୍ଣ୍ଣମାଳା ଅନୁସାରେ ନାମକରଣ ଆରମ୍ଭ କଲେ, ଯେମିତିକି ବର୍ଷର ଆରମ୍ଭରୁ ହେଉଥିବା ବାତ୍ୟାର ନାମକରଣ ଇଂରାଜୀ ବର୍ଣ୍ଣମାଳାର ପ୍ରଥମ ଅକ୍ଷର ‘ଏ’ରୁ ଆରମ୍ଭ ହେଲା ।

ଯଦି ବାତ୍ୟା ଯୋଗୁଁ ବଡ ଧରଣର କ୍ଷୟକ୍ଷତି ସହିତ ମୃତକଙ୍କ ସଂଖ୍ୟା ଅଧିକ ହେଲା, ଡଜବ୍ଲ୍ୟୁଏମଓର ଯେ କୌଣସି କିମିଟିର ସଦସ୍ୟ ତାଲିକାରୁ ବାତ୍ୟାର ନାଁ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରିପାରିବେ । ତା ବଦଳରେ କମିଟିକୁ ଆଉ ଏକ ନାମ ଦିଆଯାଇଥାଏ ଏବଂ ଏହି ନାମକରଣକୁ ସ୍ୱୀକୃତି ପାଇଁ ଆବଶ୍ୟକସ୍ଥଳେ ଭୋଟ ମଧ୍ୟ ଗ୍ରହଣ କରାଯାଇଥାଏ ।

ବାତ୍ୟାର ବିଭକ୍ତିକରଣ:

ପବନର ଗତି ଅନୁସାରେ ବାତ୍ୟାର ବିଭକ୍ତିକରଣ କରାଯାଇଥାଏ ।

ଗମ୍ଭୀର ଅବପାତ: ଯଦି ଆବପାତ ଆହୁରୀ ଘନୀଭୂତ ହୁଏ, ତାହା ଗମ୍ଭୀର ଅବପାତରେ ପରିଣତ ହୋଇଥାଏ । ଏପରିକ୍ଷେତ୍ରରେ ଘଂଟା ପ୍ରତି ୩୧ ରୁ ୩୯ କିଲୋମିଟର ପବନ ପ୍ରବାହିତ ହୋଇଥାଏ ।

ଘୂର୍ଣ୍ଣିବାତ୍ୟା: ଯଦି ଏହି ଅବପାତରେ ଘଂଟା ପ୍ରତି ୬୨ରୁ ୮୮ କିଲୋମିଟର ବେଗରେ ପବନ ପ୍ରବାହିତ ହୁଏ, ତାହେଲେ ଏହାକୁ ଘୂର୍ଣ୍ଣିଝଡ କୁହାଯାଇଥାଏ । ଭାରତୀୟ ପାଣିପାଗ ବିଭାଗ ଆଇଏମଡି ଏହାର ନାମକରଣ କରିଥାଏ ।

ଗମ୍ଭୀର ଘୂର୍ଣ୍ଣିଝଡ: ଏହି ଧରଣରେ ବାତ୍ୟାରେ ଘଂଟା ପ୍ରତି ୮୯ରୁ ୧୧୭ କିଲୋମିଟର ପବନ ପ୍ରବାହିତ ହୋଇଥାଏ ।

ବହୁତ ଗମ୍ଭିର ଘୂର୍ଣ୍ଣିଝଡ ବା ବାତ୍ୟା: ଏହି ବାତ୍ୟାରେ ଘଂଟା ପ୍ରତି ୧୧୮ କିଲୋମିଟରୁ ୧୧୬ କିଲୋମିଟ ପବନ ପ୍ରବାହିତ ହୋଇଥାଏ ।

ଅତି ବହୁତ ଘୂର୍ଣ୍ଣିଝଡ: ଏହି ବାତ୍ୟା ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥାଏ । ଏଥିରେ ଘଂଟା ପ୍ରତି ୬୬ରୁ ୨୨୧ କିଲୋମିଟର ପବନ ପ୍ରବାହିତ ହୋଇଥାଏ ।

ମହାବତ୍ୟା: ପ୍ରତି ଘଂଟାରେ ୨୨୨ କିଲୋମିଟର ପବନ ପ୍ରବାହିତ ହେଲେ ଏହା ମହାବାତ୍ୟାର ରୂପ ନେଇଥାଏ ।