ବିନ୍ଧାଣି ୬୪ ବି ନୁହଁନ୍ତି, ସେଇ ୭ : ଘୋଷଯାତ୍ରାରେ ରଥ ନିର୍ମାଣ କାର୍ଯ୍ୟ ଓ ଦାୟିତ୍ଵରେ କଣ ହୋଇଛି ବିଲୋପ ଓ କଣ ହୋଇଛି ବିକାଶ, ସେ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ

7

ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର ତାଙ୍କ ‘ରଥ ନିର୍ମାଣରେ ‘ଚଉଷଠି’ ବିନ୍ଧାଣି’ ଲେଖାରେ ୬୪ଟି ସେବାର ଏକ ବିବରଣୀ ଦେଇଛନ୍ତି। ସେଥିରେ କହିଛନ୍ତି, ‘‘ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରାପାଇଁ ନିର୍ମାଣ କରାଯାଉଥିବା ରଥର ବିଭିନ୍ନ କାର୍ଯ୍ୟ ଓ ଦାୟିତ୍ଵରେ ସମୟକ୍ରମେ କେଉଁସବୁ ବିକାଶ, ବିଲୋପ ବା ପରିବର୍ତ୍ତନ ହୋଇଛି, ସେ ସଂପର୍କରେ ଏକ ତଥ୍ୟପୂର୍ଣ୍ଣ ଆଲେଖ୍ୟ’’ ଏ ଲେଖା।

୩୬ ପ୍ରକାର ସେବକଙ୍କ ବିବରଣୀ ପ୍ରସଙ୍ଗରେ ସେ କହିଛନ୍ତି, ‘‘ଏହିପରି ୩୬ ପ୍ରକାର ସେବକଙ୍କ ମଧ୍ୟରୁ ଅନେକଙ୍କ ସେବା ବନ୍ଦ ହୋଇଯାଇଥିଲେ ମଧ୍ୟ, ଆହୁରି ଅଧିକ ପ୍ରକାରର ସେବକ ଏଥିରେ ସଂପୃକ୍ତ ହୋଇଛନ୍ତି। ରଥଯାତ୍ରା ଉତ୍ସବ ସୁଚାରୁ ରୂପେ ପରିଚାଳିତ ହେବା ଲକ୍ଷ୍ୟରେ ସେବକଙ୍କ ସଂଖ୍ୟା ବୃଦ୍ଧି କରାଯାଇଥିବା ମନେହୁଏ। ଏମାନଙ୍କ ସଂଖ୍ୟା ବର୍ତ୍ତମାର ୬୪ରୁ ଅଧିକ।’’

ଏହି ପ୍ରସଙ୍ଗରେ ସେ ୬୪ଟି ସେବାର ଏକ ସୂଚୀ ଦେଇ କହିଛନ୍ତି, ‘‘ପୂର୍ବ କାଳରେ ଦୋଳପୂର୍ଣ୍ଣିମାଠାରୁ ରଥ ନିର୍ମାଣ ସହିତ ସଂପୃକ୍ତ ସେବକଙ୍କର କାର୍ଯ୍ୟ ଆରମ୍ଭ ହୋଇ ଶେଷ ହେଉଥିଲା ରଥଭଙ୍ଗାରେ। ଏମାନଙ୍କର କାର୍ଯ୍ୟ ରାଜଶାସନ ସମାପ୍ତ ହେବା ପରେ ସଂକୁଚିତ ହୋଇଯାଇଛି। ରାଜ୍ୟ ସରକାର ଶ୍ରୀମନ୍ଦିରକୁ ହାତକୁ ନେବା ପରେ ସରକାରୀ ସ୍ତରରେ ଅନେକ କାର୍ଯ୍ୟ ହେବାରୁ ଆପେଆପେ କେତେକ ସେବକଙ୍କର କାର୍ଯ୍ୟ ସଂକୁଚିତ ହୋଇଯାଇଛି।’’

ଏହି ସୂଚନା ସହିତ ସେ ୬୪ଟି ସେବାର ଏକ ସୂଚୀ ଦେଇ କହିଛନ୍ତି ‘‘ନିମ୍ନଲିଖିତ ସେବକମାନଙ୍କ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନାରୁ ସେବକମାନଙ୍କର ସେବା କିପରି ସଂକୁଚିତ ହୋଇଛି ତାହାର ଏକ ଆକଳନ କରିହୁଏ।’’

ରଥ ନିର୍ମାଣ ପଛରେ ଥିବା ସେହି ୬୪ ବିନ୍ଧାଣିଙ୍କ ମଧ୍ୟରୁ ପ୍ରଥମ ୩୨ ଓ ସେମାନଙ୍କ କାର୍ଯ୍ୟର ବିବରଣୀ ଏହିପରି।

୧. ଅବିର ଚଳା ନାୟକ- ଏହି ସେବକ ପଞ୍ଚୁଦୋଳରେ ଦଶପଲ୍ଲା ରାଜବାଟୀକୁ ଅବିର ନେଇ ଯାଆନ୍ତି। ୨. କାଠକଟା ପାଇକ- ରାଜାଙ୍କ ହୁକୁମନାମା ନେଇ କାଠପାଇଁ ଦଶପଲ୍ଲା ରାଜାଙ୍କ ନିକଟକୁ ଯାଆନ୍ତି। ୩. ଚର୍ଚ୍ଚେଇତ ପାଇକ- ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଧରି କାଠକାଟିବାର ନିମନ୍ତ୍ରଣ ନେଇ ଦଶପଲ୍ଲା ଓ ରଣପୁର ଯାଆନ୍ତି। ୪. କାଠ କାଟୁଆଳ ନାୟକ- ଶୁଭଦିନରେ କାଠ କଟାଇବାର ବ୍ୟବସ୍ଥା କରନ୍ତି। ୫. କାଠପଟାଳି ଦଳେଇ- ଶ୍ରୀଜଗନ୍ନାଥଙ୍କ ପତାକା ନେଇ ନଈରେ କାଠଗଣ୍ଡିଗୁଡ଼ିକୁ ପଟାଳି କରି ଛାଡ଼ନ୍ତି। ୬. ଭେଳା ଦଳେଇ- କାଠଗଣ୍ଡିଗୁଡ଼ିକୁ ତିଥି-ବାର ଦେଖି ଭେଳା ବାନ୍ଧନ୍ତି। ୭. ପଟାଳି ଲେଙ୍କା- ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ନେଇ କାଠକଟା ସ୍ଥାନକୁ ପୂର୍ବରୁ ଯାଇ ରହନ୍ତି। ୮. କାଠପଟାଳି ଘଣ୍ଟୁଆ- କାଠପଟାଳି ଉପରେ ବସି ଘଣ୍ଟା ବଜାଇ ନଦୀରେ ଆସନ୍ତି। ୯. କାଠ ଗଣତିଆ- ପୁରୀ ନିକଟସ୍ଥ ହୁଳୁହୁଳିଆ ପୋଲ ନିଟକରେ ପଟାଳି ଲାଗିଲେ କାଠଗଣ୍ଡି ଗଣତି କରି ରଖନ୍ତି।

୧୦. କାଠପଟାଳି ଜଗୁଆ- କାଠଗଣ୍ଡି ଭାସି ନଯିବା ବ୍ୟବସ୍ଥା କରି ଘାଟରେ ଜଗି ରହନ୍ତି। ୧୧. ମଠ ଶଗଡ଼ିଆ- ଓଡ଼ିଆ ମଠ ଓ ରାଘବ ଦାସ ମଠରୁ ‘ଖେଇ’ ପାଇ ହୁଳୁହୁଳିଆ ଘାଟ ଠାରୁ ରଥଖଳା (ବଡ଼ଦାଣ୍ଡ)କୁ ଶଗଡ଼ରେ କାଠ ବୁହନ୍ତି। ୧୨. ଗଜ ନାୟକ- ହାତୀ ଶୁଣ୍ଢରେ ନଈରୁ କାଠଗଡ଼ ଉଠାଇ କୂଳରେ ରଖନ୍ତି। ୧୩. ସୁଆଁସିଆ- ରଥଖଳାରେ ଛାମୁଣ୍ଡିଆ ଦାୟିତ୍ଵରେ ଶେଷ ପର୍ଯ୍ୟନ୍ତ ରହନ୍ତି। ୧୪. ଖଳା ଜଗୁଆ- ରଥଖଳାରେ ରଥ ସରଞ୍ଜାମ ଜଗନ୍ତି। ୧୫. ରଥ ଅମିନ- ରଥକାରଙ୍କ କାମ ତଦାରଖ କରନ୍ତି। ୧୬. ରଥଖଳା ନାୟକ- ତିନିରଥର ଆବଶ୍ୟକତା ଅନୁଯାୟୀ ରଥଖଳାରେ କାଠ ସଜାଇ ରଖନ୍ତି। ୧୭. ରଥଖଳା ପରିଚ୍ଛା- ବାସ୍ତୁଶାସ୍ତ୍ର ଅନୁଯାୟୀ ରଥର ବିଭିନ୍ନ ଅଂଶ ପାଇଁ କାଠଚୟନ କରନ୍ତି। ୧୮. ରଥଖଳା ଦିହୁଡ଼ିଆ- ରଥନିର୍ମାଣ ବେଳେ ଅନ୍ଧାର ହେଲେ ଦିହୁଡ଼ି ଜାଳି ଆଲୋକିତ କରନ୍ତି। ୧୯. ଅନୁକୂଳ ବଢ଼େଇ- ଅକ୍ଷୟ ତୃତୀୟା ଦିନ ତିନିଜଣ ତିନିରଥର ଅନୁକୂଳ କରନ୍ତି।

୨୦. ଦେଉଳ ପୁରୋହିତ- କାଠ ଅନୁକୂଳ ପୂଜା ସଂପୃକ୍ତ ସେବକ। ୨୧. ପାହି ମହାରଣା- ତିନିବାଡ଼ର ତିନିରଥ ପାଇଁ ନଦୀକୂଳରୁ କାଠ ଖଞ୍ଜି କରି ଦିଅନ୍ତି। ୨୨. ସହଯୋଗୀ- ପଞ୍ଚୁକୋଶୀ ବଢ଼େଇ, ପାରିଶ୍ରମିକ ପାଇ ସାମୟିକ ଭାବେ କାଠକାମ କରନ୍ତି। ୨୩. ତୁମ୍ବକଟା ମହାରଣା- ରଥର ତୁମ୍ବ ମାପି ମାପ ଅନୁସାରେ କାଟନ୍ତି। ୨୪. କରତିଆ- କରତରେ କାଠପଟା ଓ କାଠ ଚିରନ୍ତି। ୨୫. ଓଳମ ଭେଣ୍ଡିଆ- ରଥର ବ୍ରେକ୍‌ ତିଆରି କରନ୍ତି ଓ ରଥ ଚାଲିଲା ବେଳେ ସେହି ଦାୟିତ୍ଵରେ ରହନ୍ତି। ୨୬. ନାହାକା ବସାଣ ବଢ଼େଇ- ରଥର ଖୁଣ୍ଟି ନିର୍ମାଣ କରନ୍ତି। ୨୭. ରଥଭୋଇ- ବଢ଼େଇକୁ ରଥକାଠ ବୋହି ଯୋଗାନ୍ତି ଏବଂ ରଥ ଉପରକୁ ତିଆରି ଅଂଶ ଉଠାନ୍ତି। ୨୮. ଛେକା କାଠିଆ ଭୋଇ- ତା’ ପରକୁ ତା’ ପର ଆବଶ୍ୟକ ହେଉଥିବା କାଠ ସଜେଇ ରଖନ୍ତି। ୨୯. ଯନ୍ତାଭେଣ୍ଡିଆ ଭୋଇ- ଚକ ଖଞ୍ଜିବାରେ ସାହାଯ୍ୟ କରନ୍ତି। ୩୦. ସାଙ୍ଗି ନାୟକ- ବାଉଁଶ ସାଙ୍ଗିରେ କାଠ, ତୁମ୍ବ, ଚକ ବୋହି ରଥ ତିଆରି ସ୍ଥାନରୁ ଶ୍ରୀନଅର ସାମନାକୁ ନିଅନ୍ତି। ୩୧. ଯନ୍ତାବସାଳି- ବାଡ଼ ଅନୁଯାୟୀ ଚକା ଛେକନ୍ତି ବା ସଜାଇ ରଖନ୍ତି। ୩୨. ମାଲ ସୁଆଁସିଆଁ- ଅସ୍ଥାୟୀ ରଥଶାଳାରେ ଚାରମାଳ ବାନ୍ଧିବା ସହ ଚାନ୍ଦୁଆ ବାନ୍ଧିବା କାମ କରନ୍ତି।

Comments are closed.