ଶତାଦ୍ଦୀର ଶେଷ ରଥଯାତ୍ରା : ଜାଣନ୍ତୁ କେଉଁ ମସିହାରେ ରଥଯାତ୍ରା ଶତାଦ୍ଦୀର ଶେଷ ‘ରଥଯାତ୍ରା’ ରୂପେ ବିବେଚିତ

6

୧୯୯୯ ମସିହାରେ ରଥଯାତ୍ରା ସାଧାରଣରେ ଶତାଦ୍ଦୀର ଶେଷ ରଥଯାତ୍ରା ରୂପେ ବିବେଚିତ । ଏହା ଓଡିଶାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା । ସାରା ଭାରତ ବର୍ଷର ଲକ୍ଷ ଲକ୍ଷ ଭକ୍ତ ତଥା ତୀର୍ଥ ଯାତ୍ରୀ ମହାପ୍ରଭୁଙ୍କର ରଥଟଣା, ସମୟାନୁସାରେ ନୀତି ସଂପାଦନା, ସର୍ବୋପରି ଜଳ, ବିଦ୍ୟୁତ୍, ସ୍ୱାସ୍ଥ୍ୟ, ପରିମଳ ଓ ଆଇନ ଶୃଙ୍ଖଳା ଇତ୍ୟାଦିର ଆୟୋଜନ ସୁଚାରୁରୂପେ ସମାହିତ ହୋଇଥିବାରୁ ଗଭୀର ସନ୍ତୋଷ ଲାଭ କରିଥିଲେ । ଏପରିକି ଭାବ ବିହ୍ୱଳ ହୋଇ ସ୍ୱୟଂ ମହାରାଜା ଗଜପତି କହିଥିଲେ, “ସ୍ୱୟଂ ଜଗନ୍ନାଥ ହିଁ ଶତାଦ୍ଦୀର ଶେଷ ରଥଯାତ୍ରା ପରିଚାଳନା କରିଥିଲେ ।”

ବିଶେଷ କରି ଠାକୁରଙ୍କ ଅପାର କରୁଣାରୁ ଉଭୟ ଶ୍ରୀଗୁଣ୍ଡିଚା ଓ ବାହୁଡା ଯାତ୍ରାରେ ନାତି ପାଳନ କ୍ଷେତ୍ରରେ ତତ୍ପରତା ଏବଂ ଗୋଟିଏ ଦିନରେ ତିନି ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ଉଲ୍ଲେଖନୀୟ ଘଟଣା ହୋଇଥିଲା । ଏବଂ ଉଭୟ ରଥଯାତ୍ରାରେ ଦିବା ୧.୩୦ ମିନିଟରେ ରଥ ଟଣା ଆରମ୍ଭ ହୋଇଥିଲା ଯାହା ଅତୀତରେ କେବେ ଦେଖାଯାଇ ନାହିଁ । ତେବେ ମହାପ୍ରଭୁଙ୍କର ଏହି ଘୋଷଯାତ୍ରା ସର୍ବଶୁଭେ ହେବ ବୋଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାଠାରୁ ହିଁ ଜଣାପଡିଥିଲା । ସୂଚନା ୨୮.୦୬.୧୯୯୯ ରେ ଦେବସ୍ନାନ ପୂର୍ଣ୍ଣିମା ପଡିଥିଲା । ଦୀର୍ଘ ବର୍ଷ ପରେ ମହାପ୍ରଭୁମାନେ ୧୦୮ ଗଡୁ ଜଳରେ ଠାକୁରମାନେ ମହାସ୍ନାନ କରିଥିଲେ । ଏହା ଘଟଣାରେ ଉଭୟ ସେବାୟତ ଓ ପ୍ରଶାସନ ମଧ୍ୟରେ ଆନନ୍ଦ ଦେଖାଯାଇଥିଲା ।

୧୯୯୯ ମସିହା ରଥଯାତ୍ରାର ସଫଲତା ପାଇଁ କେବଳ ଯେ ପ୍ରଭୁଙ୍କର ଆର୍ଶୀବାଦ ଥିଲା ତାହା ନୁହେଁ, ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ମହାପାତ୍ର, ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଜୟନ୍ତ ନାରାୟଣ ପଣ୍ଡା, ଜିଲ୍ଲା ଆରକ୍ଷା ଅଧିକ୍ଷକ ଦେବାଶିଷ ପାଣିଗ୍ରାହୀ, ଶ୍ରୀମନ୍ଦିରର ସମସ୍ତ ଅଧିକାରୀ, କର୍ମଚାରୀ ତଥା ସେବକମାନଙ୍କ ପ୍ରଗାଢ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ବିଶେଷ ଭାବରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କେତେକ ନୂତନ ପଦକ୍ଷେପ ଯଥା- ତିନି ରଥରେ ଫୁଲି ସଂଯୋଗ ବ୍ୟବସ୍ଥା, ସମୟାନୁସାରେ ସାରଥୀ, ଚାରମାଳ ବନ୍ଧା ଓ ନୀତି ସଂପାଦନରେ ପ୍ରଶାସକଙ୍କ ସହିତ ଜିଲ୍ଲାପାଳ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହି ତଦାରଖ କରିବା ଆଦି କାର୍ଯ୍ୟ ଅଭିନନ୍ଦନୀୟ । ଏହା ବ୍ୟତିତ ଅତୀତର ସମସ୍ତ ରେକର୍ଡକୁ ଭଙ୍ଗ କରି ଉକ୍ତ ବର୍ଷ ଅପରାହ୍ନରେ ସୁନା ବେଶ ଆରମ୍ଭ କରାଯିବା ଓ ରଥଟଣା କାର୍ଯ୍ୟ ଶୃଙ୍ଖଳିତ ଭାବରେ ସମାପନ ହେବାରେ ଉଭୟ ଜିଲ୍ଲା, ମନ୍ଦିର ଓ ପ୍ରଶାସନର ଉତ୍ତମ ସମନ୍ୱୟ ରକ୍ଷା ଏକ ଅଭିନବ ପକ୍ଷେପ ଥିଲା ।

ଏହି ରଥଯାତ୍ରା ସବୁ ଦୃଷ୍ଟିରୁ ଇତିହାସ ସୃଷ୍ଟି କରିଥିଲା । ରାଜ୍ୟର ପ୍ରତ୍ୟେକ ସମ୍ବାଦପତ୍ର, ଦୂରଦର୍ଶନ, ବେତାର ମାଧ୍ୟମରେ ୧୯୯୯ ମସିହା ରଥଯାତ୍ରା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ବୋଲି ବାରମ୍ବାର ପ୍ରଚାରିତ ହୋଇଥିଲା । ଏପରିକି ରାଜ୍ୟର ପ୍ରତ୍ୟେକ ଜଗନ୍ନାଥପ୍ରେମୀ ଭକ୍ତ ତଥା ଜନସାଧାରଣ ଏହି ରଥଯାତ୍ରା ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ । ଏ ସଂପର୍କରେ ଏତିକି ଜାଣିବାକୁ ହେବ ଯେ, ଶ୍ରୀମନ୍ଦିର ସେବକମାନଙ୍କ ନୀତି ସଂପାଦନରେ ନିଷ୍ଠାପର ସେବା ମନୋଭାବ ତଥା ପ୍ରଶାସନର ଉତ୍ତମ ସମନ୍ୱୟ ରକ୍ଷା ହିଁ ଏହି ସଫଳତାର ଅନ୍ୟ ଏକ ଦିଗ ।

ସୂଚନା ଯୋଗ୍ୟ ଯେ, ଏହି ବର୍ଷ ପ୍ରଥମ ଥର ନିମନ୍ତେ ୧୯୯୯ ମସିହା ପବିତ୍ର ନବଯୋ÷ବନ ଦର୍ଶନ ଦିନ ଶ୍ରୀମନ୍ଦିର ସମ୍ପର୍କରେ ପ୍ରସ୍ତୁତ ଏକ ୱେବସାଇଟ ଏନ.ଆଇ.ସି. ଉଦ୍ୟମରେ ଇଣ୍ଟରନେଟ ମାଧ୍ୟମରେ ପ୍ରସାରଣ କରାଯାଇଅଛି ।

Comments are closed.