ଚାକିରି ନେଲା ଜୀବନ ! ଜାଣନ୍ତୁ ଜଣେ ପାକିସ୍ତାନୀ ଝିଅର କରୁଣ କାହାଣୀ

39

ଏହି ଫଟୋଟି ହେଲା ପାକିସ୍ତାନରେ ବାସକରୁଥିବା ଜଣେ ମହିଳାଙ୍କର ଆଉ ତାଙ୍କ ନାଁ ହେଲା ହିନା ଶାହନବାଜ । ଶୁଣିବାକୁ ମିଳିଛି ନିକଟରେ ତାଙ୍କୁ ତାଙ୍କର ଜଣେ ସଂପର୍କୀୟ ଗୁଳିକରି ହତ୍ୟା କରିଦେଇଛି । ଆଉ ଏହି ହତ୍ୟାକାଣ୍ଡ ପଛର କାରଣ ଥିଲା ତାଙ୍କର ଆତ୍ମନିର୍ଭରଶୀଳ ହେବା । ଆଜ୍ଞା ହଁ ! ସେ ଚାକିରି କରୁଥିବାରୁ ତାଙ୍କୁ ହାରିବାକୁ ପଡିଥିଲା ଜୀବନ ।

ସୂଚନା ଅନୁସାରେ, ପାକିସ୍ତାନର କୋହତ ନାମକ ଅଂଚଳରେ ବାସକରୁଥିବା ୨୭ ବର୍ଷୀୟ ହିନା ନିଜ ପରିବାରର ଭରଣପୋଷଣ କରିବାର ଏକମାତ୍ର ସଦସ୍ୟ ଥିଲେ । କାରଣ ତାଙ୍କ ବାପାଙ୍କ ମୃତ୍ୟୁ କିଛି ବର୍ଷ ପୂର୍ବରୁ ହିଁ ହୋଇଯାଇଥିବା ବେଳେ ହିନାଙ୍କ ଭାଇଙ୍କୁ ମଧ୍ୟ କୌଣସି କାରଣରୁ ହତ୍ୟା କରି ଦିଆଯାଇଥିଲା । ଆଉ ଏହାପରେ ଆରମ୍ଭ ହୋଇଯାଇଥିଲା ତାଙ୍କର ସଂଘର୍ଷମୟ ଜୀବନ । ତାଙ୍କ ବେକରେ ବନ୍ଧା ହୋଇଯାଇଥିଲା ବିଧବା ମାଆ ଓ ଭାଉଜ ଓ ଭାଇର ପୁଅ ଏବଂ ଜଣେ ବିଧବା ଭଉଣୀ । ଘରର ସମସ୍ତ ଦାୟିତ୍ୱ ଭାର ହିନାଙ୍କୁ ନେବାକୁ ପଡିଥିଲା । ଆଉ ସେ ସେଥିପାଇଁ ଏକ ବେସରକାରୀ ଅନୁଷ୍ଠାନରେ ଚାକିରି କରିବାକୁ ବାଧ୍ୟ ହୋଇଥିଲେ ।

ତେବେ ଗୋଟେ ପଟେ ହିନାଙ୍କ ସଂଘର୍ଷ ଜାରି ରହିଥିବାବେଳେ, ସେହିପରି ଅନ୍ୟପଟେ ତାଙ୍କର ସଂପର୍କୀୟମାନଙ୍କୁ ଏସବୁ ପସନ୍ଦ ନଥଲା । ଏହାକୁ ନେଇ ହିନାଙ୍କ ସହ ସେମାନଙ୍କ ସହ ବହୁବାର ବଚସା ମଧ୍ୟ ହୁଏ । ଦିନେ ଏହି ବଚସା ଉଗ୍ରରୂପ ଧାରଣ କରିଥିଲା । ହିନାଙ୍କ ଦାଦାଙ୍କ ପୁଅ ସହ ଝଗଡା ହେବା ସମୟରେ ସେ କ୍ରୋଧରେ ଅନ୍ଧହୋଇ ହିନାଙ୍କୁ ଗୁଳିକରି ହତ୍ୟା କରିଥିଲା ।