ହାଭାର୍ଡର ସର୍ବେକ୍ଷଣ : ଚୀନକୁ ଟପିଲା ଭାରତ

38

ଭାରତ ୨୦୨୫ ସୁଦ୍ଧା ବିଶ୍ୱର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ହୋଇ ରହିବ ବୋଲି ହାଭାର୍ଡ ବିଶ୍ୱବିଦ୍ୟାଳୟର ସେଣ୍ଟର୍ ଫର୍ ଇଣ୍ଟରନ୍ୟାସନାଲ୍ ଡେଭେଲପମେଂଟ୍ (ସିଆଇଡି) ପକ୍ଷରୁ କୁହାଯାଇଛି। ଭାରତକୁ ବିଶ୍ୱ ଅଭିବୃଦ୍ଧିର କେନ୍ଦ୍ର ସ୍ଥଳ ଭାବେ ଅଭିହିତ କରିଛି ହାଭାର୍ଡ । ବିଭିନ୍ନ କାରଣ ଯୋଗୁଁ ଆଗାମୀ ଦଶନ୍ଧୀରେ ଭାରତ ଅନ୍ୟ ସମସ୍ତ ଦେଶଠାରୁ ଦ୍ରୁତ ଗତିରେ ଆଗକୁ ବଢ଼ିବ । ୨୦୨୫ ପର୍ଯ୍ୟନ୍ତ ଏହାର ବାର୍ଷିକ ହାରାହାରି ଅଭିବୃଦ୍ଧି ହାର ୭.୭% ରହିବ ବୋଲି ହାଭାର୍ଡ ଆକଳନ କରିଛି ।

ହାଭାର୍ଡ ପକ୍ଷରୁ କୁହାଯାଇଛି ଯେ, ବିଗତ କିଛି ବର୍ଷ ଭିତରେ ବିଶ୍ୱ ଅଭିବୃଦ୍ଧିର କେନ୍ଦ୍ର ସ୍ଥଳରେ ପରିବର୍ତ୍ତନ ହୋଇଛି । ପୂର୍ବରୁ ଚୀନ୍ ଥିଲା କେନ୍ଦ୍ର ସ୍ଥଳ। ଏବେ ତାହା ଭାରତକୁ ଚାଲି ଆସିଛି । ଏହି ସ୍ଥାନରେ ଭାରତ ଆଗାମୀ ଦଶନ୍ଧୀ ପର୍ଯ୍ୟନ୍ତ ରହିବ। ଭାରତ ନିଜ ଅର୍ଥନୀତିରେ ସଫଳତାର ସହିତ ବିଭିନ୍ନତା ଆଣିଥିବାରୁ ଦ୍ରୁତ ଅଭିବୃଦ୍ଧି ହାସଲ କରୁଛି ବୋଲି ହାଭାର୍ଡ ପକ୍ଷରୁ କୁହାଯାଇଛି ।

ଅଭିବୃଦ୍ଧି କ୍ଷେତ୍ରରେ ଚୀନକୁ ଭାରତ ପଛରେ ଛାଡ଼ି ଦେଇଛି । ରାସାୟନିକ, ଗାଡ଼ି ଏବଂ କେତେକ ପ୍ରକାର ଇଲେକଟ୍ରୋନିକ୍ସ ସାମଗ୍ରୀ ଭଳି ଜଟିଳ ପଦାର୍ଥର ରପ୍ତାନି ବଢ଼ାଇବାରେ ଭାରତ ସଫଳ ହୋଇଛି । ଭାରତ ଏହାର ରପ୍ତାନିରେ ବିଭିନ୍ନତା ଆଣିପାରିଛି । ତେଲ ଉପରେ ନିର୍ଭରଶୀଳ ଥିବା ରାଷ୍ଟ୍ରଗୁଡ଼ିକ ସମସ୍ୟା ଦେଇ ଗତି କରୁଛନ୍ତି । କାରଣ ସେମାନେ କେବଳ ଗୋଟିଏ ସମ୍ବଳ ଉପରେ ନିର୍ଭରଶୀଳ । ମାତ୍ର ଭାରତ, ଇଣ୍ଡୋନେସିଆ ଏବଂ ଭିଏତନାମ ଭଳି ରାଷ୍ଟ୍ର ନୂତନ ସୁଯୋଗ ସନ୍ଧାନ କରି ଆଗକୁ ବଢ଼ିପାରିଛନ୍ତି । ସେଥିପାଇଁ ସେମାନେ ଆଗାମୀ ଦିନରେ ଦ୍ରୁତ ଅଭିବୃଦ୍ଧି ହାର ବଜାୟ ରଖିପାରିବେ ବୋଲି ହାଭାର୍ଡ ପସ୍ତୁତ କରିଥିବା ରିପୋର୍ଟରେ କହିଛି ।

ଆଗାମୀ ବର୍ଷଗୁଡ଼ିକରେ ଭାରତ, ତୁର୍କୀ, ଇଣ୍ଡୋନେସିଆ, ଉଗାଣ୍ଡା ଏବଂ ବୁଲଗେରିଆ ଦ୍ରୁତ ଅଭିବୃଦ୍ଧି ବଜାୟ ରଖିବେ । ଏହାର ପ୍ରମୁଖ କାରଣ ହେଉଛି ସେମାନଙ୍କର ରାଜନୈତିକ, ସରକାର, ଭୌଗଳିକ ଏବଂ ଜନସଂଖ୍ୟାରେ ଥିବା ବିଭିନ୍ନତା । ଏହି ରାଷ୍ଟ୍ରଗୁଡ଼ିକର ନିଜର ଶ୍ରମ ଶକ୍ତିର ଜଟିଳ ଉତ୍ପାଦ ଏବଂ ନୂତନ ଉତ୍ପାଦ ପାଇଁ ଉପଯୋଗୀ କରିପାରିଛନ୍ତି । ସେଥିପାଇଁ ସେମାନେ ଆଗରେ ରହିବେ ବୋଲି ହାଭାର୍ଡ ପକ୍ଷରୁ କୁହାଯାଇଛି ।

ଗତବର୍ଷ ବିଶ୍ୱର ବିକଶିତ ରାଷ୍ଟ୍ର ଯଥା ଆମେରିକା, ଜାପାନ ଏବଂ ଜର୍ମାନି କେବଳ ପୁରୁଣା ଉତ୍ପାଦ ସବୁ ଉତ୍ପାଦନ କରିଛନ୍ତି । କୌଣସି ନୂତନ ଉତ୍ପାଦ ସେମାନେ ବିକଶିତ କରିନାହାନ୍ତି । ସେମାନଙ୍କୁ ନୂତନ ପ୍ରଯୁକ୍ତି ଏବଂ ଉତ୍ପାଦ ବିକଶିତ କରିବାକୁ ପଡ଼ିବ ବୋଲି ଏହି ରିପୋର୍ଟରେ କୁହାଯାଇଛି । ବିକଶିତ ରାଷ୍ଟ୍ରଗୁଡ଼ିକଠାରୁ ଉଦୀୟମାନ ରାଷ୍ଟ୍ରଗୁଡ଼ିକର ଅଭିବୃଦ୍ଧି ଅଧିକ ରହିବ ବୋଲି ଆକଳନ କରାଯାଇଛି ।