ଗୋଟିଏ ଦେଶ ଗୋଟିଏ ଟିକସ ! ସାରା ଦେଶରେ ଲାଗୁହେଲା ଜିଏସଟି

36

ଶୁକ୍ରବାର ମଧ୍ୟରାତ୍ରିରୁ ଜିଏସଟି ଲାଗୁ ହୋଇଛି । ଏହା ସହିତ ଭାରତ ଗୋଟିଏ ବଜାରରେ ପରିଣତ ହୋଇଛି । ଏବେ ଦେଶରେ ଆଉ ଡଜନେରୁ ଅଧିକ ଟିକସ ଦେବାକୁ ପଡ଼ିବ ନାହିଁ । ଗୋଟିଏ ଟିକସ ଦେଲେ ସବୁ କାମ ଶେଷ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପୀୟ ଦେଶ ଭିତରେ ଥିବା ସୀମା ଶୁଳ୍କ ଏବଂ ଚେକ୍ ପୋଷ୍ଟଗୁଡ଼ିକୁ ହଟାଇ ବିଶେଷ ସଫଳତା ହାସଲ କରିଥିଲା । ଜିଏସଟି ଭାରତକୁ ସେହି ସଫଳତା ପ୍ରଦାନ କରିବ । ଜିଏସଟି ପାଇଁ ଚାରିଟି ଟିକସ ସ୍ଲାବ୍ ୫%, ୧୨%, ୧୮% ଏବଂ ୨୮% ଧାର୍ଯ୍ୟ କରାଯାଇଛି ।

ଜିଏସଟି ପରିଷଦ ଘନ ଘନ ବୈଠକ କରି ଏହି ସ୍ଲାବ୍ ଧାର୍ଯ୍ୟ କରିଛି । ଦେଶର ୧୨୦୦ରୁ ଅଧିକ ସାମଗ୍ରୀ ଏବଂ ୫୦୦ ପାଖାପାଖି ସେବାକୁ ଏହି ସ୍ଲାବଗୁଡ଼ିକ ଭିତରେ ବାଣ୍ଟି ଦିଆଯାଇଛି । ତେବେ ଲୋକମାନେ ନିତିଦିନ ବ୍ୟବହାର କରୁଥିବା ଅନେକ ସାମଗ୍ରୀଗୁଡ଼ିକ ଉପରେ ଜିଏସଟି ଲାଗୁ କରାଯିବ ନାହିଁ । ଫଳରେ ସେହି ସାମଗ୍ରୀଗୁଡ଼ିକର ଦର ବଢ଼ିବ ନାହିଁ । ୨୦୦୦ ମସିହାରୁ ଆରମ୍ଭ ହୋଇଥିବା ଜିଏସଟି ପରିକଳ୍ପନା ବାସ୍ତବ ରୂପ ନେଉଛି । ଏଥି ସହିତ ଭାରତ ଗୋଟିଏ ବଜାରରେ ପରିଣତ ହୋଇଛି ।

ସାର, ଟ୍ରାକ୍ଟର ପାର୍ଟସ୍ ଟିକସ କମିଲା

ଜିଏସଟି ଲାଗୁ କରିବାର କିଛି କ୍ଷଣ ପୂର୍ବରୁ ସାର ଉପରୁ ଟିକସ ପରିମାଣ ୧୨%ରୁ କମାଇ ୫% କରାଯାଇଛି । ସାର ମୂଲ୍ୟ ବୃଦ୍ଧିକୁ ଅଟକାଇବା ଏବଂ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜି ବିଜ୍ଞାନ ଭବନଠାରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଏହି ସୂଚନା ପ୍ରଦାନ କରିଛନ୍ତି । ସାର ଉପରେ ୧୨% ଜିଏସଟି ଚାଷୀଙ୍କ ଚିନ୍ତା ବଢ଼ାଇପାରେ ବୋଲି ବିଚାର କରାଯିବା ପରେ ଟିକସ ହାର କମ କରାଯାଇଛି । ଏବେ ସାର ଉପରେ ଟିକସ ପରିମାଣ ୦-୬% ରହିଛି । ଟ୍ରାକ୍ଟର ପାର୍ଟସ୍ ଉପରେ ଟିକସ ହାର ୨୮%ରୁ ହ୍ରାସ ପାଇ ୧୮% କରାଯାଇଛି।

ଆଶା, ଭୟ, ଦ୍ୱନ୍ଦ୍ୱ

ଜିଏସଟିକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଛି । ଜିଏସଟିର ସବୁ ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ । ଯେଉଁମାନେ ଜିଏସଟି ବିଷୟରେ ସାମାନ୍ୟ କିଛି ଜାଣିଛନ୍ତି ସେମାନେ ବହୁତ କଥାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି । ଅନେକ ଲୋକଙ୍କର ଏହି ନୂତନ ଟିକସ ପ୍ରକ୍ରିୟାକୁ ନେଇ ବହୁତ ଆଶା ରହିଛି । ଜିଏସଟି ଆସିଲେ ଅନେକ ଜଟିଳ କାମ ସରଳ ହୋଇଯିବ ବୋଲି ସେମାନଙ୍କର ଆଶା ରହିଛି । କିଛି ଲୋକ ଏହି ଆଶାରେ ରହିଛନ୍ତି ଯେ ଅନେକ ସାମଗ୍ରୀ ଦର ପୂର୍ବାପେକ୍ଷା କମ ହେବ । କିଛି ବ୍ୟବସାୟ ଭୟ କରୁଛନ୍ତି ଯେ ଜିଏସଟି ଲାଗୁ ହେବା ପରେ ସେମାନେ ହଇରାଣ ହୋଇପାରନ୍ତି ।

ଇତିହାସ ପାଲଟିବ ଏସବୁ ଟିକସ

କେନ୍ଦ୍ରୀୟ ଟିକସ

କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ, ଅତିରିକ୍ତ ଉତ୍ପାଦନ ଶୁଳ୍କ, ସେବା କର, କାଉଣ୍ଟରଭେଲିଂ ଡ୍ୟୁଟି, ସ୍ୱତନ୍ତ୍ର ଅତିରିକ୍ତ ସୀମା ଶୁଳ୍କ

ରାଜ୍ୟସ୍ତରୀୟ ଟିକସ

ରାଜ୍ୟସ୍ତରର ଭାଟ୍, ବିକ୍ରି କର, ମନୋରଞ୍ଜନ କର, ଅକ୍ଟ୍ରାଇ ଓ ପ୍ରବେଶ ଶୁଳ୍କ, ପର୍ଚେଜ୍ ଟ୍ୟାକ୍ସ, ବିଳାସପୂର୍ଣ୍ଣ ଟିକସ, ଲଟେରି, ଜୁଆ ଓ ସଟ୍ଟାବଜାରୀ ଉପରେ ଟିକସ

ମୋଦିଙ୍କ ଭାଷଣରେ ଗୀତା, ଆଇନଷ୍ଟାଇନ୍, ଓଡ଼ିଶା

ସଂସଦର ସେଣ୍ଟ୍ରାଲ୍ ହଲ୍ ଅଭିଭାଷଣ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବତ ଗୀତାର ଉଦାହରଣ ଦେଇଥିଲେ । ଗୀତାରେ ୧୮ଟି ଅଧ୍ୟାୟ ଥିବାବେଳେ ଜିଏସଟି ପରିଷଦର ଏପର୍ୟ୍ୟନ୍ତ ୧୮ଟି ବୈଠକ ବସିଥିବା ସେ ଉଲ୍ଲେଖ କରିଥିଲେ । ସେହିପରି ସେ ବିଶ୍ୱର ପ୍ରସିଦ୍ଧ ବୈଜ୍ଞାନିକ ଆଇନଷ୍ଟାଇନଙ୍କ କଥା ମଧ୍ୟ କହିଥିଲେ । ମୋଦିଙ୍କ ଅଭିଭାଷଣରେ ଓଡ଼ିଶା ରାଜ୍ୟର ନାମ ମଧ୍ୟ ରହିଥିଲା ।

ପଶ୍ଚିମବଙ୍ଗ, କେରଳର ଅଧ୍ୟାଦେଶ

ଜିଏସଟି ନିୟମକୁ ଦେଶର ସବୁ ରାଜ୍ୟ ନିଜ ନିଜ ବିଧାନସଭାରେ ପାସ୍ କରାଇଛନ୍ତି । ଜମ୍ମୁ ଓ କଶ୍ମୀରରେ ଏହା ପାସ୍ ହୋଇନାହିଁ । ଏହି ରାଜ୍ୟ ପାଇଁ ସ୍ୱତନ୍ତ୍ର ନିୟମ ରହିଥିବାରୁ ବିଲ୍ ପାସ୍ କରାଇବାରେ ପ୍ରତିବନ୍ଧକ ସାଜିଛି । ପଶ୍ଚିମବଙ୍ଗ ଏବଂ କେରଳରେ ଜିଏସଟି ବିଲକୁ ନେଇ ଅଧ୍ୟାଦେଶ ଅଣାଯାଇଛି । ଏହି ଦୁଇ ରାଜ୍ୟ ବିଲ୍ ପାସ୍ କରାଇବା ବଦଳରେ ଅଧ୍ୟାଦେଶ ପନ୍ଥା ଆପଣେଇବାକୁ ପସନ୍ଦ କରିଛନ୍ତି ।