ଜାଣନ୍ତୁ ସେହି ୮ଟି ଗୁରୁତ୍ୱପୂର୍ଣ୍ଣ କଥା, ଯାହା ଆପଣ ଜିଏସଟି ସଂପର୍କରେ ଜାଣିବା ଉଚିତ

30

୧ ଜୁଲାଇଠାରୁ ଦେଶରେ ଲାଗୁ ହେଲା ଐତିହାସିକ ଜିଏସଟି । ତେବେ ଆମେ ଆଜି ଆପଣଙ୍କୁ ଜିଏସଟି ସଂପର୍କରେ ଏଭଳି ୮ଟି ଗୁରୁତ୍ୱପୂର୍ଣ୍ଣ କଥା ଜଣାଇବାକୁ ଯାଉଛୁ ଯାହା ଆପଣ ନିଶ୍ଚୟ ଜାଣିବା ଦରକାର ।

ଜିଏସଟି କଣ ?

ବସ୍ତୁ ଓ ସେବା କର(ଜିଏସଟି) ଏକ ଅପ୍ରତ୍ୟକ୍ଷ କର । ଏହା ଆଧାରରେ ବସ୍ତୁ ଏବଂ ସେବାଗୁଡକ ଉପରେ ଟିକସ ଲଗାଇବାକୁ ବୁଝାଇଥାଏ । ପୂର୍ବରୁ ରାଜ୍ୟ ଓ କେନ୍ଦ୍ର ସରକାର ଭିନ୍ନ ଭିନ୍ନ ଢଙ୍ଗରେ ଟିକସ ଲଗାଉଥିଲେ ମାତ୍ର ଏବେ ଲୋକଙ୍କୁ କେବଳ ଗୋଟିଏ ଟ୍ୟାକ୍ସ ଦେବାକୁ ପଡିବ । ଯେଉଁଥିରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଭିନ୍ନ ଭିନ୍ନ ଭାଗ ଅଂଶ ରହିବ ।

ସର୍ବ ପ୍ରଥମେ ଫ୍ରାନ୍ସରେ ଲାଗୁ ହୋଇଥିଲା

୧୯୫୪ରେ ଫ୍ରାନ୍ସରେ ସର୍ବ ପ୍ରଥମେ ଜିଏସଟି ଲାଗୁ କରାଯାଇଥିଲା, ଆଉ ସେ ପୁଣି ଟିକସ ଫାଙ୍କିବା ଭଳି ଅପରାଧକୁ ରୋକିବା ଉର୍ଦ୍ଦେଶ୍ୟରେ । ଆଜି ଦୁନିଆର ପାଖାପାଖି ୧୬୦ଟି ଦେଶରେ ଜିଏସଟି ଲାଗୁ କରାଯାଇଛି । କନଡାରେ ଡବଲ୍ ଜିଏସଟି ସିଷ୍ଟମ୍ ଲାଗୁ କରାଯାଇଛି । ଅର୍ଥାତ୍ ରାଜ୍ୟର ଅଲଗା ଓ ଦେଶ ପାଇଁ ଅଲଗା ଜିଏସଟି ଲାଗୁ ହୋଇଛି ।

ଭାରତରେ ଜିଏସଟିର ଦ୍ୱିପାକ୍ଷିକ ମଡେଲ୍

କନଡା ଭଳି ଭାରତରେ ମଧ୍ୟ ଜିଏସଟିକୁ ଭିନ୍ନ ଭିନ୍ନ ଢଙ୍ଗରେ ଲାଗୁ କରାଯାଇଛି । ଅର୍ଥାତ୍ ରାଜ୍ୟ ଓ କେନ୍ଦ୍ର ପାଇଁ ଭିନ୍ନ ଭିନ୍ନ । ତେବେ ଏହାର ଟ୍ୟାକ୍ସେସନର ଦାୟିତ୍ୱ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ହାତରେ ରହିବ । ଯାହାକି ମାତ୍ର ୩ଟି ମାର୍ଗରେ ଟ୍ୟାକ୍ସ ଆଦାୟ କରାଯିବ ।

କିଏ ସ୍ଥିର କରିବେ ଜିଏସଟି ରେଟ୍

ତେବେ ଜିଏସଟି ରେଟ୍ ଧାର୍ଯ୍ୟ କରିବାର ଅଧିକାର ଜିଏସଟି କାଉସିଲକୁ ଦିଆଯାଇଛି । ଆଉ ଏହି କାଉସିଲ୍ ଉଭୟ କେନ୍ଦ୍ର ଏବଂ ରାଜ୍ୟମାନଙ୍କ ସହମତି ନେଇ ସ୍ଥିର କରାଯିବ । ଏହି କାଉସିଲରେ କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀ ସଦସ୍ୟ ରହିବେ ।

କେଉଁଠାରେ ହେବ ଜିଏସଟିର ରେଜିଷ୍ଟେସନ

ଜିଏସଟି ପାଇଁ ରେଜିଷ୍ଟେସନ ଜିଏସଟିଏନ ନାମକ କଂପାନୀ କାମ କରୁଛି । ଏହି ବେସରକାରୀ କଂପାନୀରେ ୨୪.୫ ପ୍ରତିଶତ ଭାଗୀଦାର ହେଉଛନ୍ତି କେନ୍ଦ୍ର ସରକାର । ଏହି କଂପାନୀ ଜିଏସଟି ଲାଗୁ କରିବା ପାଇଁ ଉଭୟ ସରକାର ଏବଂ ସର୍ଭିସ ପ୍ରୋଭାଇଡର୍ସଙ୍କୁ ଆଇଟିର ସୁବିଧାଗୁଡିକ ସଂପର୍କରେ ପରିଚୟ କରାଇବ ।

ରିଟର୍ନ ଫାଇଲ କରିବା ପାଇଁ ୨ ମାସ ବିରତି

ଅର୍ଥ ମନ୍ତ୍ରଣାଳୟ ବ୍ୟବସାୟୀଙ୍କୁ ଜିଏସଟି ସ୍ୱିକାର କରିବା ପାଇଁ କିଛି ସମୟ ଦେଇଛନ୍ତି । ସେହିପରି ରିଟର୍ନ ଦାଖଲ୍ ପାଇଁ ମଧ୍ୟ ୨ ମାସ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ଯାହାଦ୍ୱାରା ବ୍ୟବସାୟୀଙ୍କୁ ଟ୍ୟାକ୍ସ ପଇଠ କରିବାକୁ ଅତିରିକ୍ତ ସମୟ ମିଳିବ ।

୧୨୧୧ ସାମଗ୍ରୀଉପରେ ଟ୍ୟାକ୍ସ ରେଟ୍ ଧାର୍ଯ୍ୟ କରାଯାଇଛି

ଜିଏସଟି ଅନ୍ତର୍ଗତ ୧୨୧୧ ସାମଗ୍ରୀ ଉପରେ ଟିକସ ଦର ଧାର୍ଯ୍ୟ କରାଯାଇଛି । ଯେଉଁଥିରେ ଅଧିକାଂଶ ସାମଗ୍ରୀ ଉପରେ ୫ରୁ ୧୮ପ୍ରତିଶତ ଟିକସ ଲାଗୁ ହୋଇଛି । ସେହିପରି ଖାଦ୍ୟଶସ୍ୟକୁ ଜିଏସଟି ବାଦ୍ ଦିଆଯାଇଛି । କେବଳ ୧୯ ପ୍ରତିଶତ ସାମଗ୍ରୀ ଓ ୨୮ ପ୍ରତିଶତ ଟିକସ ପରିସର ମଧ୍ୟରେ ରହିଛି ।

ଲୋକଙ୍କୁ ୩ ପ୍ରକାରର ଟିକସ ଭରିବାକୁ ପଡିବ

ପ୍ରଥମ ସିଜିଏସଟି ଅର୍ଥାତ୍ ସେଂଟ୍ରାଲ୍ ଜିଏସଟି । ଯାହାକୁ କେନ୍ଦ୍ର ସରକାର ଆଦାୟ କରିବେ । ଦ୍ୱିତୀୟଟି ହେଲା ଏସଜିଏସଟି ଅର୍ଥାତ୍ ଷ୍ଟେଟ୍ ଜିଏସଟି । ଯାହାକୁ ରାଜ୍ୟ ସରକାର ନିଜ ରାଜ୍ୟରେ ହେଉଥିବା କାରବାର ଉପରେ ଆଦାୟ କରିବେ । ସେହିପରି ଅନ୍ୟଟି ହେଲା ଆଇଜିଏସଟି ଅର୍ଥାତ୍ ଇଂଟିଗ୍ରେଟେଡ୍ ଜିଏସଟି । ଯାହା ଦୁଇ ରାଜ୍ୟ ମଧ୍ୟରେ ହେଉଥିବା କାରବାର ଉପରେ ଆଦାୟ କରାଯିବ ।

ଏହାସହ ମଧ୍ୟ ପଢନ୍ତୁ- ଜାଣନ୍ତୁ କେଉଁସବୁ ସାମଗ୍ରୀ ଉପରେ ଲାଗୁ ହେବନାହିଁ ଟିକସ