ଆସିଲା ‘ଜିଏସଟି ଫାଇଣ୍ଡ’ ! କେଉଁ ସାମଗ୍ରୀ ଓ ସେବା ଉପରେ କେତେ ଟିକସ ଲାଗିଛି ତାର ସୂଚନା ଦେବ ଏହି ଆପ୍

56

ସରକାର ‘ଜିଏସଟି ଫାଇଣ୍ଡ’ର ନାମରେ ଏକ ଆପର ବିକାଶ କରିଛନ୍ତି । ଜିଏସଟିରେ କେଉଁ ସାମଗ୍ରୀ ଏବଂ ସେବା ଉପରେ କେତେ ଟିକସ ଲାଗିଛି ତାହା ଏହି ଆପ୍ ମାଧ୍ୟମରେ ଲୋକମାନେ ଜାଣିପାରିବେ । ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଏହି ନୂଆ ଆପକୁ ଆଜି ଉଦଘାଟନ କରିଛନ୍ତି ।

ଗ୍ରାହକ, ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କ ପାଇଁ ଏହା ରେଡି ରେକନର୍ ଭାବେ କାର୍ଯ୍ୟ କରିବ । ଆପଣ ଯଦି ବଜାରରେ ଅଛନ୍ତି, ହୋଟେଲରେ ଖାଉଛନ୍ତି କିମ୍ବା କୌଣସି ସେବା ବ୍ୟବହାର କରୁଛନ୍ତି ସେସବୁ ଉପରେ କେତେ ପ୍ରତିଶତ ଜିଏସଟି ଲାଗିଛି ତାହାକୁ ଏହି ଆପ୍ ମାଧ୍ୟମରେ ଜାଣିପାରିବେ ବୋଲି କେନ୍ଦ୍ରୀୟ ଉତ୍ପାଦ ଓ ସୀମା ଶୁଳ୍କ ବୋର୍ଡ (ସିବିଇସି) ଅଧ୍ୟକ୍ଷା ବନଜା ସରନା କହିଛନ୍ତି ।

ଏହି ଆପଟି ଏବେ ଆଣ୍ଡ୍ରଏଡ୍ ପ୍ଲାଟଫର୍ମରେ ଉପଲବ୍ଧ ହେଉଛି । କିନ୍ତୁ ଆଗାମୀ ଦିନରେ ଆପଲର ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ଏହା ଉପଲବ୍ଧ ହେବ । ଏତଦବ୍ୟତୀତ ସିବିଇସିର ଜିଏସଟି ୱେବସାଇଟରୁ ମଧ୍ୟ ଟିକସ ହାର ଜାଣିହେବ ।

ତେବେ ଜିଏସଟି ରେଟ୍ ଫାଇଣ୍ଡର ଆପକୁ ଥରେ ଡାଉନଲୋଡ କରିଦେଲେ ତାହାକୁ ଅଫଲାଇନରେ ମଧ୍ୟ ବ୍ୟବହାର କରିହେବ । ବିଭିନ୍ନ ପ୍ରକାର ସାମଗ୍ରୀ ଓ ସେବା ଉପରେ କେତେ ପ୍ରତିଶତ ସିଜିଏସଟି, ଏସଜିଏସଟି ଏବଂ ୟୁଟିଜିଏସଟି ଲାଗୁ ହେଉଛି ତାହାକୁ ମଧ୍ୟ ଜଣେ ଟିକସଦାତା ଜାଣିପାରିବ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଜୁଲାଇ ପହିଲାରୁ ଜିଏସଟି ଲାଗୁ ହେବା ଦିନଠାରୁ ସରକାର ଗ୍ରାହକ ଏବଂ ବ୍ୟବସାୟୀମାନଙ୍କୁ ସଚେତନ କରିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଗତ ଗୁରୁବାରଠାରୁ ଜିଏସ୍ଟି ମାଷ୍ଟରକ୍ଲାସ ଆରମ୍ଭ ହୋଇଛି । ନୂଆ ଟିକସ ବ୍ୟବସ୍ଥାରେ ରହିଥିବା ଦ୍ୱନ୍ଦ୍ୱକୁ ଏହି କ୍ଲାସ ମାଧ୍ୟମରେ ଦୂର କରାଯାଉଛି । ଗତ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏହି କ୍ଲାସ ୬ ଦିନ ପାଇଁ ହେବ । ରାଜସ୍ୱ ସଚିବ ହସମୁଖ ଅଧିଆଙ୍କ ସମେତ ଅନ୍ୟ ଟିକସ ବିଶେଷଜ୍ଞମାନେ ଏଠାରେ ଉପସ୍ଥିତ ରହି ପଚରାଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଛନ୍ତି ।