ସାବଧାନ ! ବଜାରରେ ମିଳୁଛି ଏବେ ଏସିଡ଼ରେ ଧୁଆ ଅଦା, ଜାଣନ୍ତୁ କିପରି ଚିହ୍ନିବେ ଅସଲି ଅଦା

234

ସାବଧାନ ବଜାରରେ ମିଳୁଛି ଏବେ ଏସିଡ଼ରେ ଧୁଆ ଅଦା । ଆଜ୍ଞା ହଁ ! ପ୍ରଥମେ ପ୍ଲାଷ୍ଟିକ ଅଣ୍ଡା, ପରେ ଚାଉଳ ଏବଂ ନକଲି ଚିନି ପରେ ଏବେ ପଡିଛି ଅଦାର ପାଳି । ଅଦାକୁ ଧୋଇବା ପାଇଁ ବ୍ୟବସାୟୀମାନେ ଏବେ ବ୍ୟବହାର କରୁଛନ୍ତି ଏସିଡ଼ । ଏକଥା ଆମେ କହୁ ନାହୁଁ ବରଂ ନିକଟରେ କରାଯାଇଥିବା ଚଢାଉ ବେଳେ ଏଭଳି ଚାଂଚଲ୍ୟକର ଖବର ସାମ୍ନାକୁ ଆସିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ନିକଟରେ ଦିଲ୍ଲୀର ମଡେଲ ଟାଉନ୍ ଅଂଚଳରେ ଏକ ବିଶେଷ ସୂତ୍ରରୁ ଖବର ପାଇ ଏସଡିଏମଙ୍କ ନେତୃତ୍ୱରେ ଏକ ଦଳ ବିଭିନ୍ନ ଗୋଦାମରେ ଚଢାଉ କରିଥିଲା । ଆଉ ଚଢାଉ ବେଳେ ଏଭଳି କାରବାରର ପର୍ଦାଫାସ ହୋଇଛି । ତେବେ ରେଡ୍ ବେଳେ ଜବତ ହୋଇଥିଲା ୪୦୦ ଲିଟର ଏସିଡ ସମେତ କ୍ୱିଂଟାଲ କ୍ୱିଂଟାଲ ପରିମାଣର ଅଦା ।

ଏସଡିଏମ ବିରେନ୍ଦ୍ର ସିଂହଙ୍କ ସୂଚନା ମୁତାବକ, ଗୋଦାମ ମାଲିକଙ୍କ ବିରୋଧରେ ପଇଜନ ଆକ୍ଟ-୧୯୧୯, ପବ୍ଲିକ ସେଫ୍ଟି ଆକ୍ଟ-୧୩୩ ସମେତ ଅନେକ ଧାରା ଲାଗୁ ହୋଇଛି ଏବଂ ଗୋଦାମ ମଧ୍ୟ ସିଲ୍ କରି ଦିଆଯାଇଛି । ତେବେ ଚଢାଉ ବେଳେ ଏହି ଗୋଦାମରେ ଅନେକ ଗୁପ୍ତ ଦ୍ୱାର ମଧ୍ୟ ଦେଖିବାକୁ ମିଳିଥିଲା ଆଉ ଏହି ଦ୍ୱାର ଦେଇ ଗୋଦାମ ମାଲିକ ଖସି ଚାଲି ଯାଇଥିବା ଅନୁମାନ କରାଯାଇଛି । ଯାହାଦ୍ୱାରା କି ଗୋଦାମମାଲିକଙ୍କୁ ଗିରଫ କରାଯାଇ ପାରିନି ।

ଅନ୍ୟପଟେ, ଏହି ଖବର ପ୍ରକାଶ ପାଇବା ପରେ ଦିଲ୍ଲୀ ସମେତ ଆଖପାଖ ଅଂଚଳରେ ଭୟର ବାତାବରଣ ଖେଳିଯାଇଥିଲା । ବିଶେଷଜ୍ଞଙ୍କ ମତରେ, ଯଦି ଏହି ଏସିଡ ଲଗା ଅଦାକୁ ବିନା ଧୋଇ ବ୍ୟବହାର କରାଯାଏ ତେବେ ଏହାଦ୍ୱାରା ପେଟ ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇପାରେ । ଏବଂ ଆପଣଙ୍କର ଜୀବନ ମଧ୍ୟ ନେଇପାରେ । ତେଣୁ ଏଥିପାଇଁ ବଜାରରେ ମିଳୁଥିବା ଅଦାକୁ ନଧୋଇ ବ୍ୟବହାର କରିବା ଅନୁଚିତ ।

ଏହି ଅଦାକୁ ଚିହ୍ନିବେ କିପରି?

• ଯଦି ଆପଣ ଅଦା କିଣିବାକୁ ବଜାରକୁ ଯାଇଛନ୍ତି ତେବେ କିଣିବା ସମୟରେ ଧ୍ୟାନ ରଖିବେ କି ଏସିଡ ଦ୍ୱାରା ଧୁଆ ଯାଇଥିବା ଅଦା ସାଧାରଣତଃ ସଫା ଏବଂ ଚିକ୍କଣ ଦେଖାଯାଇଥାଏ ।

• ଏହାର ରଙ୍ଗ ସାଧାରଣ ଅଦାଠାରୁ ସାମାନ୍ୟ ଫିକା ଲାଲ ହୋଇଥାଏ ।

• ଏହା ଉପରେ ଛେଲା ତଥା ଚୋପା ମଧ୍ୟ ନଥାଏ ।

• ଏଭଳି ଅଦା ୧ରୁ ୨ ଦିନରୁ ଅଧିକ ଦିନ ରହିପାରିନଥାଏ ।

• ଭଲ ଅଦା ଉପରେ ଚୋପାରେ ଆଚ୍ଛାଦିତ ହୋଇଥାଏ । ତାହା ପାଖାପାଖି ଗୋଟିଏ ସପ୍ତାହ ମଧ୍ୟ ଭଲ ରହିଥାଏ ।

ଅଦାର ଉପକାରୀ ଗୁଣ ଏବଂ ବ୍ୟବହାର

• ସାଧାରଣତଃ ଅଦାର ବ୍ୟବହାର ଖାଦ୍ୟ ପ୍ରସ୍ତୁତ ସହ ଚା’ ତିଆରିରେ ବ୍ୟବହାର କରାଯାଇଥାଏ । ଏହା ବ୍ୟତୀତ ଏହାର ବ୍ୟବହାର ମଧ୍ୟ ଅନେକ ଉପାୟରେ କରାଯାଇପାରିବ ।

• ଅଦାକୁ ଆପଣ ଔଷଧ ରୂପରେ ମଧ୍ୟ ବ୍ୟବହାର କରିପାରିବେ ।

• ଅଦା ସେବନ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଅଦା ବିଶେଷ କରି ଏ, ସି, ଇ ଅବଂ ବି-କମ୍ଫେକ୍ସ ଇତ୍ୟାଦିର ଏକ ପ୍ରମୁଖ ସ୍ରୋତ ଅଟେ ।

• ଅଦାକୁ ସାଧାରଣତଃ ବିଭିନ୍ନ ପ୍ରକାରର କାମ ପାଇଁ ବ୍ୟବହାର କରାଯାଇଥାଏ ଯେପରିକି ଖାଦ୍ୟ ତିଆରିରେ ବ୍ୟବହାର କରିବା ସହ ଘରୋଇ ଉପଚାର ପାଇଁ ମଧ୍ୟ କରାଯାଇଥାଏ ।