ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଭାରତୀୟ କ୍ରିକେଟ୍ ଦଳର ଏହି ଦିଗଜ ଖେଳାଳି ! ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ଟଙ୍କା ଲାଗି ବାରଦୁଆର ବୁଲୁଛନ୍ତି କ୍ରିକେଟରଙ୍କ ପତ୍ନୀ

1,854

ଦମଦାର ପ୍ରଦର୍ଶନ ବଳରେ ବିପକ୍ଷ ଦଳକୁ ମାତ୍ ଦେଉଥିବା ଭାରତର ଜଣେ ପୂର୍ବତନ ଖେଳାଳି ଏବେ ହସ୍ପିଟାଲ ବେଡରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଦୁର୍ଘଟଣା କାରଣରୁ ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଛି । ହେଲେ ବିଡମ୍ବନାର ବିଷୟ ହେଲା, ଏହି ପ୍ରତିଭାଶାଳୀ କ୍ରିକେଟରଙ୍କର ଚିକିତ୍ସା ପାଇଁ ତାଙ୍କ ପରିବାର ଲୋକଙ୍କ ନିକଟରେ କାଣିଟିଏ ବି ନାହିଁ । ଆଉ ଟଙ୍କା ପାଇଁ ତାଙ୍କ ପତ୍ନୀଙ୍କୁ ବାର ଦୁଆର ବୁଲିବାକୁ ପଡିଛି । ତେବେ ଦୁର୍ଘଟଣାର ଶିକାର ହୋଇ ମେଡିକାଲ ବେଡରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଥିବା ଏହି ଖେଳାଳି ଜଣକ ହେଉଛନ୍ତି ଜ୍ୟାକବ ମାର୍ଟିନ । ଯିଏକି ଭାରତୀୟ କ୍ରିକେଟ ଦଳର ଜଣେ ପୂର୍ବତନ ଖେଳାଳି ।

ମାର୍ଟିନଙ୍କର ଚିକିତ୍ସା ବର୍ତ୍ତମାନ ବଡୋଦରା ମେଡିକାଲରେ ଚାଲିଛି । ତାଙ୍କୁ ଏବେ ଭେଂଟିଲେଟରରେ ରଖାଯାଇଛି । ଗତ ଡିସେମ୍ବର ମାସରେ ସେ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ, ଯେଉଁ କାରଣରୁ ତାଙ୍କ ଫୁସଫୁସ୍ ଏବଂ ଲିଭରରେ ଗଭୀର ଆଘାତ ଲାଗିଥିଲା । ତେବେ ବିସିସିଆଇ ତରଫରୁ ତାଙ୍କର ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିଥିଲା । ଏହାବ୍ୟତୀତ ବଡୋଦା କ୍ରିକେଟ୍ ସଂଘ ପକ୍ଷରୁ ବି ତାଙ୍କୁ ୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯାଇଥିଲା । ହେଲେ ତାଙ୍କର ଚିକିତ୍ସା ଖର୍ଚ୍ଚ ପାଇଁ ଏତିକି ଟଙ୍କା ଯଥେଷ୍ଟ ନୁହେଁ । କାରଣ ମାର୍ଟିନଙ୍କର ମେଡିକାଲ ଖର୍ଚ୍ଚ ପ୍ରଥମରୁ ହିଁ ୧୧ ଲକ୍ଷ ଟଙ୍କା ପାର ହୋଇସାରିଛି । ଏପରିକି ଟଙ୍କା କାରଣରୁ କିଛି ଦିନ ତାଙ୍କର ଚିକିତ୍ସାରେ ମଧ୍ୟ ଅବହେଳା କରାଯାଇଥିଲା । ଖବର ପାଇ ବିସିସିଆଇ ତରଫରୁ ଟଙ୍କା ପଠାଯାଇଥିଲା ଆଉ ଏହାପରେ ଯାଇ ତାଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରିଥିଲା ।

ଏଠାରେ ଆମେ କହି ରଖୁଛୁ କି, ଜ୍ୟାକବ୍ ଭାରତ ପକ୍ଷରୁ ୧୦ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ସେ ୧୯୯୯ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଡେବ୍ୟୁ କରିଥିଲେ। ସେତେବେଳେ ସୌରଭ ଗାଙ୍ଗୁଲି ଭାରତର ଅଧିନାୟକ ଥିଲେ। ଜ୍ୟାକବ୍ଙ୍କ ନେତୃତ୍ୱରେ ୨୦୦୦-୨୦୦୧ ସିଜିନ୍ରେ ବଡ଼ୋଦରା ରଣଜୀ ଟ୍ରଫି ଜିତିଥିଲା।