ଆଜିଠୁ ଆରମ୍ଭ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା! ଜାଣନ୍ତୁ ଏହି ଯୋଜନାରେ କେଉଁ ମାନେ ହୋଇପାରିବେ ସାମିଲ, କେଉଁ ମାନେ ହେବେ ବଂଚିତ

172

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା । ଏହି ଯୋଜନାରେ ଚିହ୍ନଟ ହିତାଧିକାରୀଙ୍କୁ ରାସନକାର୍ଡ ବିତରଣ ଏବଂ କିଲୋପ୍ରତି ୧ଟଙ୍କା ମୂଲ୍ୟରେ ଚାଉଳ ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଯୋଜନାର ଶୁଭାରମ୍ଭ କରିବେ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବାଦ ପଡିଥିବା ୨୫ ଲକ୍ଷ ଗରିବ ହିତାଧିକାରୀ ରାଜ୍ୟ ସରକାରଙ୍କ ଏହି ଯୋଜନାରେ ସାମିଲ କରାଯିବ । ତେବେ ଏହି ଯୋଜନାରେ ସାମିଲ ହେବା ପାଇଁ କେଉଁ ନିୟମ ତଥା ମାନଦଣ୍ଡ ସରକାର ନିର୍ଦ୍ଧାରଣ କରିଛନ୍ତି ବିଧାନସଭାରେ ତାହାର ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ।

ଏହି ଯୋଜନାରେ ସାମିଲ ହେବାକୁ ୧୧ଟି ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି ସରକାର । ଏପରିକି ସମସ୍ତ ବ୍ୟକ୍ତିଙ୍କୁ ଏହି ଯୋଜନାରେ ସାମିଲ କରାଯିବ ନାହିଁ । ଆର୍ଥିକ ସ୍ୱଚ୍ଛଳ ବ୍ୟକ୍ତି ଏହି ଯୋଜନାରେ ସାମିଲ ହେବାକୁ ଆବେଦନ କରିଥିଲେ ସେମାନଙ୍କୁ ବାଦ ଦେବାକୁ ୯ଟି ମାନଦଣ୍ଡ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ ମାନେ ଏହି ଯୋଜନାରେ ସାମିଲ ହୋଇପାରିବେ ଓ କେଉଁମାନେ ଏଥିରୁ ବାଦ୍ ପଡିବେ ।

ଖାଦ୍ୟ ସୁରକ୍ଷା ଯୋଜନାରେ କେଉଁ ମାନେ ସାମିଲ ହୋଇପାରିବେ 

– ସମସ୍ତ ଅସୁରକ୍ଷିତ ଆଦିମ ଅଧିବାସୀ ପରିବାର ସମୂହ

– ବାସହୀନ ପରିବାର ( ଜନ ପ୍ରତିନିଧି, ବ୍ଲକ ଓ ପୌରପାଳିକା ଅଧିକାରୀଙ୍କ ଦ୍ୱାରା ପ୍ରମାଣପତ୍ର ପାଇଥିବା ଆବଶ୍ୟକ)

– ଭିକ୍ଷାବୃତ୍ତି କରି ଜୀବନ ବଞ୍ଚୁଥିବା ବ୍ୟକ୍ତି (ଜନ ପ୍ରତିନିଧି, ବ୍ଲକ ଓ ପୌରପାଳିକା ଅଧିକାରୀଙ୍କ ଦ୍ୱାରା ପ୍ରମାଣପତ୍ର ପାଇଥିବା ଆବଶ୍ୟକ)

– ବିଧବା ଓ ଏକୁଟିଆ ରହୁଥିବା ମହିଳା ଯେଉଁ ମାନଙ୍କର ନିୟମିତ ଆୟ ନଥିବ

– ପରିବାରରେ ରହୁଥିବା ଭିନ୍ନକ୍ଷମ ବ୍ୟକ୍ତି (ଶତକଡା ୪୦ ଭାଗରୁ ଉଦ୍ଧ୍ୱର୍ ଭିନ୍ନକ୍ଷମ ହୋଇଥିବା ଆବଶ୍ୟକ)

– କିନ୍ନର ଆବେଦନକାରୀ

– ପରିବାରର ବୃଦ୍ଧ ବ୍ୟକ୍ତି ( ଯେଉଁ ମାନଙ୍କର ନିୟମିତ ରୋଜଗାର ପନ୍ଥା ନଥିବ ଓ ୬୦ ବର୍ଷରୁ ଉଦ୍ଧ୍ୱର୍ ବୟସର ବ୍ୟକ୍ତି ହୋଇଥିବେ)

– ବୟସାଧିକ୍ୟ ଯୋଗୁଁ ଶାରୀରିକ କିମ୍ବା ମାନସିକ ଅସୁସ୍ଥତା, ସାମାଜିକ ପ୍ରଥା, ଭିନ୍ନକ୍ଷମ ବା ଅନ୍ୟ କାରଣରୁ ଆର୍ଥିକ ଦୁସ୍ଥିତି, ଲାଭଜନକ ନିଯୁକ୍ତି ପାଇଁ ଘରେ କୌଣସି ବୟସ୍କ ରୋଜଗାରକ୍ଷମ ସଦସ୍ୟ ନ ଥିବା ପରିବାର

– ଦିନ ମଜୁରିଆ ଭାବେ ଜୀବନଯାପନ କରୁଥିବା ପରିବାର

– ବିଭିନ୍ନ ପ୍ରକଳ୍ପ ନିର୍ମାଣ ବେଳେ ବିସ୍ଥାପିତ ହୋଇଥିବା ପରିବାର

– କୁଷ୍ଠ, ଏଚ.ଆଇ.ଭି ବା ଅନ୍ୟାନ୍ୟ ଗୁରୁତର ବ୍ୟାଧିରେ ଆକ୍ରାନ୍ତ ଥିବା ସଦସ୍ୟଙ୍କ ପରିବାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇପାରିବେ ।

ସେହିଭଳି ଆର୍ଥିକ ସ୍ୱଚ୍ଛଳ ଥିବା ବ୍ୟକ୍ତି ମାନେ ଯଦି ଏହି ଯୋଜନାରେ ସାମିଲ ହେବାକୁ ଆବଦନ କରିଥାନ୍ତି ତେବେ ସେମାନଙ୍କୁ ବାଦ୍ ଦେବାକୁ ସରକାର ୯ଟି ମାନଦଣ୍ଡ ସ୍ଥିର କରିଛନ୍ତି ।

ଖାଦ୍ୟ ସୁରକ୍ଷା ଯୋଜନାରେ କେଉଁ ମାନେ ବାଦ ପଡିବେ 

– ପରିବାରର ଯେକୌଣସି ସଦସ୍ୟ ୪ ଚକିଆ ଯାନ କିମ୍ବା ଭାରିଯାନର ମାଲିକ ହୋଇଥିବେ

– ପରିବାରର ଯେ କୌଣସି ସଦସ୍ୟ କେନ୍ଦ୍ର ସରକାର, ରାଜ୍ୟ ସରକାର, ସରକାରୀ ନିଗମ, ସରକାରୀ ଅନୁଦାନପ୍ରାପ୍ତ ସ୍ୱୟଂଚାଳିତ ସଂସ୍ଥା ଏବଂ ପୌରପାଳିକାର ନିୟମିତ କର୍ମଚାରୀ ହୋଇଥିଲେ

– ସହରାଞ୍ଚଳରେ ବେସରକାରୀ ସଂସ୍ଥା ମାନଙ୍କରେ କାର୍ଯ୍ୟରତ କର୍ମଚାରୀ ଯେଉଁ ମାନଙ୍କର ମାସିକ ଦରମା ୧୫,୦୦୦ରୁ ଅଧିକ ଥିବ ଓ ଗ୍ରାମାଞ୍ଚଳରେ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମାସିକ ଦରମା ୧୦୦୦୦ରୁ ଅଧିକ ଥିଲେ ସେମାନଙ୍କୁ ଏହି ଯୋଜନାରୁ ବାଦ୍ ଦିଆଯିବ ।

– ଯେଉଁ ପରିବାରର ଯେ କୌଣସି ସଦସ୍ୟଙ୍କ ଉଦ୍ୟୋଗ ଗୁଡିକ ସାମଗ୍ରୀ ନିର୍ମାଣ ତଥା ସେବା ପ୍ରଦାନ ନିମନ୍ତେ ଉଦ୍ଦିଷ୍ଟ ଏବଂ ସରକାରଙ୍କ ନିକଟରେ ରେଜେଷ୍ଟ୍ରିଭୁକ୍ତ ହୋଇଥିବେ

– ପରିବାରର ୨ କିଲୋୱାଟ କିମ୍ବା ତତୁଦ୍ଧ୍ୱର୍ ବିଦ୍ୟୁତ ସଂଯୋଗ ଲୋଡ ଥିବ କିମ୍ବା ଯେଉଁ ପରିବାର ବିଗତ ଏକ ବର୍ଷ ମଧ୍ୟରେ ମାସିକ ହାରାହାରି ୩୦୦ ୟୁନିଟରୁ ଅଧିକ ବିଦ୍ୟୁତ ଶକ୍ତି ବ୍ୟବହାର କରୁଥିବେ

– ପରିବାରର କୌଣସି ସଦସ୍ୟ ଆୟକର କିମ୍ବା ବୃତ୍ତି କର ଦେଉଥିବେ ।

– ସହରାଞ୍ଚଳରେ ବାସ କରୁଥିବା କୌଣସି ସଦସ୍ୟଙ୍କ ମାସିକ ୧୫,୦୦୦ ଟଙ୍କାରୁ ଅଧିକ ପେନସନ ପାଉଥିବେ ଓ ଗ୍ରାମାଞ୍ଚଳରେ ବାସ କରୁଥିବା କୌଣସି ସଦସ୍ୟ ମାସିକ ୧୦,୦୦୦ ଟଙ୍କାରୁ ଅଧିକ ପେନସନ ପାଉଥିବେ ସେଭଳି ପରିବାର ଏହି ଯୋଜନାରୁ ବାଦ ପଡିବେ ।

– ପରିବାର ସଦସ୍ୟଙ୍କ ନାମରେ ଟ୍ରାକ୍ଟର କିମ୍ବା ହାର୍ଭେଷ୍ଟର ଥିବ

– ପରିବାରରେ ସିମେଣ୍ଟ କଂକ୍ରିଟ ଛାତ ସହିତ ୩ରୁ ଅଧିକ କୋଠରୀ ବିଶିଷ୍ଟ ଗୃହ ଥିବ ଯାହା ଇନ୍ଦିରା ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର କିମ୍ବା ନିର୍ମାଣ ଶ୍ରମିକ ଯୋଜନାରେ ନିର୍ମାଣ କରାଯାଇନଥିବ ।

ଏହି ମାନଦଣ୍ଡ ଗୁଡିକୁ ପୂରଣ କରୁଥିବା ବ୍ୟକ୍ତି ମାନେ ରାଜ୍ୟ ସରକାରଙ୍କ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡିବେ ।