ଆକାଉଂଟରୁ କଟିଥିବ ହେଲେ ଏଟିଏମରୁ ଉଠି ନଥିବ ! ତେବେ କେମିତି ଫେରି ପାଇବେ ଟଙ୍କା ? ଜାଣନ୍ତୁ ଏଥିରେ କଣ ରହିଛି ଆପଣଙ୍କର ଭୂମିକା

44

ସାଧାରଣତଃ ଟଙ୍କା ଉଠାଇବା ପାଇଁ ଲୋକେ ବ୍ୟାଙ୍କ ଅପେକ୍ଷା ଏଟିଏମ ଯିବାକୁ ବେଶି ପସନ୍ଦ କରିଥାନ୍ତି । କାରଣ ଏଠାରେ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଭଳି ଘଂଟା ଘଂଟା ଧରି କୌଣସି ଲାଇନରେ ଠିଆ ହେବାକୁ ପଡିନଥାଏ । ତେବେ ବ୍ୟାଙ୍କ ମଧ୍ୟ ଏଟିଏମ ବ୍ୟବସ୍ଥାକୁ ଅଧିକ ପ୍ରାଥମିକତା ଦେଉଛି । ଅଧିକାଂଶ ସମୟରେ ଏଟିଏମରୁ ଟଙ୍କା ଉଠାଇବା ବେଳେ ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଆଉ ଏମାନଙ୍କ ମଧ୍ୟରେ ଗୋଟିଏ ହେଲା ଏଟିଏମରୁ ଟଙ୍କା ଉଠିନାହିଁ କିମ୍ବା ଉଠିଯାଇଛି କିନ୍ତୁ ସେ ଟଙ୍କା ଆପଣ ପାଇପାରିନାହାଁନ୍ତି କିମ୍ବା ଆପଣଙ୍କର ଖାତାରୁ ଟଙ୍କା କଟି ଯାଇଥିବ ହେଲେ ଏଟିଏମରୁ ଟଙ୍କା ଉଠି ନଥାଏ । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି କି ଏହି ଟଙ୍କାକୁ ଜଣେ ବ୍ୟକ୍ତି ଫେରି ପାଇବେ କିପରି ? ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ କିଛି ଏଭଳି ନିୟମ କାନୁନ ସଂପର୍କରେ ଜଣାଇବୁ ଯାହା ଆପଣଙ୍କ କାମରେ ନିଶ୍ଟିତ ରୂପେ ଆସିବ । ତେବେ ପଢନ୍ତୁ ଏହି ଖବର ।

ଯଦି ବ୍ୟାଙ୍କ ନିଜର ଭୂଲକୁ ଅସ୍ୱୀକାର କରେ

ଯଦି ଆପଣ ଏସଂପର୍କରେ ବ୍ୟାଙ୍କରେ ଯାଇ କହୁଛନ୍ତି ମାତ୍ର ଆପଣଙ୍କର ଏହି ସମସ୍ୟାକୁ ବ୍ୟାଙ୍କକର୍ମଚାରୀ ସମାଧାନ ନକରନ୍ତି କିମ୍ବା ବ୍ୟାଙ୍କ ନିଜର ଭୁଲକୁ ଅସ୍ୱୀକାର କରେ ତେବେ ଏଟିଏମ ସଂପର୍କିତ ସମସ୍ତ ଅଭିଯୋଗ ପାଇଁ ଆପଣ Ombudsmanଙ୍କ ନିକଟକୁ ଯାଇପାରିବେ । ଯିଏ କି ବ୍ୟାଙ୍କ ସଂବନ୍ଧୀୟ ମାମଲାଗୁଡିକର ସମସ୍ତ ଅଭିଯୋଗର ଶୁଣାଣି କରିଥାନ୍ତି । Ombudsman ବ୍ୟାଙ୍କରୁ ପ୍ରତିଦିନର ଲେଖା-ଯୋଖା ମାଗି ସଠିକ୍ ସ୍ଥିତିର ଯାଂଚ କରିଥାନ୍ତି ଏବଂ ଦୋଷୀଙ୍କୁ ଦଣ୍ଡିତ କରିଥାନ୍ତି ।

କନଜ୍ୟୁମର କୋର୍ଟରେ କରିପାରିବେ ଅଭିଯୋଗ

ବ୍ୟାଙ୍କିଂ ମାମଲାରେ କନଜ୍ୟୁମର କୋର୍ଟ ମଧ୍ୟ ଆପଣଙ୍କର ସହାୟତା କରିପାରନ୍ତି । ଯାହାକି ଆପଣଙ୍କ ନିକଟରେ ଏକ ଅତିରିକ୍ତ ବିକଳ୍ପ ଅଟେ ।

ଥାନାରେ କରିପାରିବେ ଅଭିଯୋଗ

ଠକେଇ ଭଳି କୌଣସି ବି ମାମଲାରେ ଆପଣ ପୁଲିସ ନିକଟକୁ ଯାଇପାରିବେ । ହେଲେ ପୁଲିସ ତଦନ୍ତ ପାଇଁ ବହୁତ ସମୟ ଲାଗିଥାଏ । ଏହାକୁ ଆପଣ ସବୁବେଳେ କେବଳ ଏକ ଠକେଇ ବା ଧୋକ୍କା ବୋଲି କହି ପାରିବେ ନାହିଁ । କାରଣ, ଏହାକୁ ବ୍ୟାଙ୍କ ନିଜ ସେବାରେ ଅବହେଳା କରିଥିବା ଭଳି ମାମଲା ମଧ୍ୟ କୁହାଯାଇପାରିବ ।

କଣ ରହିଛି ନୂଆ ନିୟମ

ଏଟିଏମରୁ ଟ୍ରାନଜାକ୍ସ କରିବା ସମୟରେ ଯଦି ଆପଣଙ୍କର ଟଙ୍କା ନଉଠି ଆପଣଙ୍କ ଖାତାରୁ କଟି ଯାଏଁ ତେବେ ଆପଣ ଆପଣଙ୍କର ବ୍ୟାଙ୍କରେ ଏନେଇ ଅଭିଯୋଗ କରିପାରିବେ ଆଉ ବ୍ୟାଙ୍କ ଆପଣଙ୍କର ଟଙ୍କାକୁ ୭ ଦିନ ମଧ୍ୟରେ ଫେରାଇ ଦେବ । ଯଦି ସପ୍ତାହକ ମଧ୍ୟରେ ଆପଣ ଟଙ୍କା ଫେରି ନପାଉଛନ୍ତି ତେବେ ବ୍ୟାଙ୍କକୁ ଆପଣଙ୍କୁ ୧୦୦ଟଙ୍କା ପ୍ରତିଦିନ ହିସାବରେ ଜରିମାନା ଦେବାକୁ ବାଧ୍ୟ ହେବ ।

ଏଠାରେ ଆମେ କହି ରଖୁଛୁ କି, ଏଟିଏମ ସଂକ୍ରାନ୍ତିୟ କୌଣସି ବି ସମସ୍ୟା କିମ୍ବା ଅନ୍ୟ କୌଣସି ସମସ୍ୟା ପାଇଁ ମଧ୍ୟ ଆପଣଙ୍କୁ ସର୍ବ ପ୍ରଥମେ ନିଜ ବ୍ୟାଙ୍କରେ ହିଁ ଅବଗତ କରାଇବାକୁ ହେବ । ଗୋଟିଏ ମାସ ମଧ୍ୟରେ ଯଦି ଏହା ଉପରେ କୌଣସି ବି କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ଆପଣ ଏସଂକ୍ରାନ୍ତରେ ବ୍ୟାଙ୍କିଂ Ombudsmanରେ ଅଭିଯୋଗ କରିପାରିବେ । ଯଦି Ombudsmanଙ୍କ ନିକଟକୁ ଯିବାକୁ ଚାହୁଁ ନାହାଁନ୍ତି ତେବେ କନଜ୍ୟୁମର କୋର୍ଟର ବି ସହାୟତା ଲୋଡି ପାରିବେ । ଏଥିପାଇଁ ଆପଣଙ୍କୁ ଡିଷ୍ଟ୍ରିକ୍ଟ କନଜ୍ୟୁମର କୋର୍ଟର ୱେବସାଇଟ୍ ncdrc.nic.inକୁ ଯିବାକୁ ପଡିବ ।

କିନ୍ତୁ କୌଣସି ପ୍ରକାରର ସିଷ୍ଟମର ସହଯୋଗ ଲୋଡିବା ପୂର୍ବରୁ ପ୍ରଥମେ ବ୍ୟାଙ୍କକୁ ଆପଣଙ୍କର ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ମାସର ସମୟ ଦେବା ଜରୁରୀ ଅଟେ ।