ଓଡ଼ିଶା ଆକାଶରେ ଉଡିଲା ଭିସୁଟ୍ ଛାତ୍ରଛାତ୍ରୀଙ୍କ ଡ୍ରୋନ୍ ! ଚିତ୍ର ବ୍ୟତିତ୍ ଆଣି ପାରିବ ଭିଡିଓ, ବନ୍ୟା ବିପନ୍ନଙ୍କୁ କରିବ ସାହାଯ୍ୟ ।

136

କନକ ବ୍ୟୁରୋ : ସମ୍ଭଲପୁରରୁ ଆସିଲା ଉତ୍ସାହଭରା ଖବର  । ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ୧୦ ଜଣ ଛାତ୍ରଛାତ୍ରୀ ତିଆରି କଲେ ଅତ୍ୟାଧୁନିକ ଜ୍ଞାନକୌଶଳ ବିଶିଷ୍ଟ ଡ୍ରୋନ୍  । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଡ୍ରୋନ୍ ବନ୍ୟା ପରି ପ୍ରାକୃ୍ତିକ ବିପର୍ଯ୍ୟୟ ବେଳେ ହେବ ବିଶେଷ ଉପଯୋଗୀ  ।

ଓଡ଼ିଶା ଆକାଶରେ ଭିସୁଟ୍ ବିଦ୍ୟାର୍ଥିଙ୍କ ଡ୍ରୋନ୍ । ବନ୍ୟା ବିପର୍ଯ୍ୟୟରେ କରିବ ସହାୟତା । ସ୍ୱପ୍ନ ଯେତେବେଳେ ଆକାଶଛୁଆଁ ପ୍ରତିବନ୍ଧକ ସାଜେ ନାହିଁ ବୟସ । ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କର ସେଭଳି ଏକ ପ୍ରୟାସ । ବିଶ୍ୱବିଦ୍ୟାଳୟର ୧୦ଜଣ ଛାତ୍ରଛାତ୍ରୀ ଲାଗିପଡ଼ିଛନ୍ତି ଡ୍ରୋନ୍ ନିର୍ମାଣରେ । ଲକ୍ଷ୍ୟ ଯେପରି ବିଫଳ ନହେବ ସେମାନଙ୍କର ଏହି ମେହନତ୍ ଆଉ ଆକାଶରେ ଉଡ଼ିବ ହାତତିଆରି ଡ୍ରୋନ୍  । ଶେଷକୁ ପିଲାଙ୍କ ଉଦ୍ଦେଶ୍ୟ ସଫଳତା ହାସଲ୍ କରୁଛି  । ଆକାଶର ଅତି ଉଚ୍ଚରେ ଉଡ଼ି ଭିସୁଟ୍ ଛାତ୍ରଛାତ୍ରୀଙ୍କ ଡ୍ରୋନ୍ ଚିତ୍ର ଓ ଭିଡ଼ିଓ ପଠାଉଛି  ।

ଡ୍ରୋନର ସ୍ୱତନ୍ତ୍ରତା : 

ସାଧାରଣ ଡ୍ରୋନ୍ ଜରିଆରେ ଆକାଶରୁ କେବଳ ଚିତ୍ର ସଂଗ୍ରହ କରାଯାଇପାରୁଥିବା ବେଳେ ଏହି ଡ୍ରୋନ୍ ଭିଡ଼ିଓ ମଧ୍ୟ ସଂଗ୍ରହ କରିପାରିବ  ।

ଜିପିଏସ୍ ସିଷ୍ଟମ୍ ଲଗାଯାଇଥିବାରୁ ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟରେ ଫଶିରହିଥିବା ଲୋକଙ୍କ ଭିଡ଼ିଓ ସହ ସଂଖ୍ୟା ମଧ୍ୟ ପ୍ରେରଣ କରିପାରିବ  ।

ଅତ୍ୟଧିକ ବେଗରେ ପବନ ବହିଲେ କିମ୍ବା ପ୍ରବଳ ବର୍ଷା ହେଲେ ମଧ୍ୟ ଏହା ଡ୍ରୋନର ଉଡ଼ାଣକୁ ପ୍ରଭାବିତ କରିପାରିବ ନାହିଁ  ।

ଏହି ଡ୍ରୋନ୍ ସହାୟତାରେ ୨ କିଲୋଗ୍ରାମ ଓଜନର ରିଲିଫ୍ ସାମଗ୍ରୀ ବନ୍ୟାବିପନ୍ନଙ୍କ ନିକଟରେ ପଠାଯାଇପାରିବ  ।

ସାମରିକ କ୍ଷେତ୍ରରେ ମଧ୍ୟ ଏହି ଡ୍ରୋନ୍ ସେନାକୁ ପ୍ରତିପକ୍ଷର ସୂଚନା ଦେବା ସହ ଗୁଳି ଗୋଳା ପରିବହନ କରିପାରିବ  ।

ତେବେ ଏତିକିରେ ଶେଷ ହେଉନାହିଁ ଭିସୁଟ୍ ଛାତ୍ରଛାତ୍ରୀଙ୍କ ସ୍ୱପ୍ନଦେଖା ଆଉ ତାକୁ ସାକାର କରିବାର ପ୍ରଚେଷ୍ଟା । ଆଗକୁ ଡ୍ରୋନର ପରିବହନ କ୍ଷମତା ୭ରୁ ୧୦ କିଲୋଗ୍ରାମ୍ କିପରି ବୃଦ୍ଧି କରାଯାଇପାରିବ ସେନେଇ ଆରମ୍ଭ ହୋଇଛି ଗବେଷଣା, ଆଶା ଏଥରକ ବି ସ୍ୱପ୍ନ ପରି ଡ୍ରୋନରେ ଲାଗିବ ଡେଣା  ।