ବଜାରକୁ ଆସିଲା ସ୍ୱତନ୍ତ୍ର ପୋଷାକ : ଯେଉଁଥିରେ ସହଜରେ ଲାଗିବନି ଦାଗ

49

ପ୍ୟାଣ୍ଟ୍‌ କିମ୍ବା ସାର୍ଟ ମଇଳା ହୋଇଗଲେ ମନକୁ ବହୁତ କଷ୍ଟ ହୁଏ । ଆଉ ନିଜ ପସନ୍ଦ ପୋଷାକରେ ଯେତେବେଳେ ଗାଢ଼ ଦାଗ ଲାଗିଯାଏ ସେତେବେଳେ ଆହୁରି କଷ୍ଟ ଲାଗେ । ପୋଷାକଟିକୁ ସଫା କରିବା ଓ ତା’ର ପୂର୍ବ ଅବସ୍ଥା ଫେରାଇ ଆଣିବା ପାଇଁ ଅନେକ ପରିଶ୍ରମ କରିବାକୁ ପଡ଼େ । ଏବେ ଏହି ସବୁ ସମସ୍ୟା ଆଉ ରହିବ ନାହିଁ । ବଜାରକୁ ଆସିଛି ଏଭଳି ପୋଷାକ ଯେଉଁଥିରେ ସହଜରେ ଦାଗ ଲାଗିବନି । ଏହାକୁ ସଫା କରିବା ପାଇଁ ଡିଟରଜେଣ୍ଟ୍‌ କିମ୍ବା ପାଣି ଅଧିକ ଖର୍ଚ କରିବାକୁ ପଡ଼ିବନି । ବେଙ୍ଗାଲୁରୁର ଏକ ଷ୍ଟାର୍ଟଅପ୍‌ ସଂସ୍ଥା ବିଗ୍‌ଫି ଟେକ୍‌ନୋଲୋଜିସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ‘ଟର୍ମସ୍‌’ ବ୍ରାଣ୍ଡ୍‌ ନାମରେ ଏହି ପୋଷାକଗୁଡ଼ିକୁ ଆଜି ଓଡ଼ିଶା ବଜାରରେ ଉନ୍ମୋଚନ କରାଯାଇଛି ।

ସସ୍‌, ଚା’, କଫି କିମ୍ବା ଖାଇବା ସାମଗ୍ରୀ ଯାହା କି କିଛି ପଡ଼ିଗଲେ ତାହା ସହଜରେ ଲାଗିବ ନାହିଁ । ଯାହା କିଛି ଦାଗ ଲାଗିଥିବ ତାହା ଉପରେ ସାଧାରଣ ପାଣି ଢାଳିଲେ ତାହା ଧୋଇ ହୋଇଯିବ । କଂପାନି ପକ୍ଷରୁ ଏହି ସବୁ ପୋଷାକକୁ ପ୍ରଦର୍ଶନ କରାଯାଇଛି । ବିତରକମାନଙ୍କ ପାଇଁ ଏକ ତିନି ଦିନିଆ ଟ୍ରେଡ୍‌ ସୋ’ ଆୟୋଜନ କରାଯାଇଛି । କଂପାନି ପକ୍ଷରୁ ପୁରୁଷ ପୋଷାକ ଭାବେ ଡେନିମ୍‌, ଟି-ସାର୍ଟ ଓ ଟ୍ରାକ୍‌ ପ୍ୟାଣ୍ଟ୍‌କୁ ଉନ୍ମୋଚନ କରାଯାଇଛି । ଆଗାମୀ ଦିନରେ କଂପାନି ପକ୍ଷରୁ ମହିଳାଙ୍କ ପାଇଁ ପୋଷାକ ଓ ପୁୁରୁଷଙ୍କ ପାଇଁ କାଜୁଆଲ୍‌ ସାର୍ଟ, କାର୍ଗୋ ଓ ସ୍ୱେଟ୍‌ ସାର୍ଟ ଆଣିବାକୁ ଯୋଜନା ରଖାଯାଇଛି ।

ଟର୍ମସ୍‌ ପୋଷାକଗୁଡ଼ିକର ମୂଲ୍ୟ ୭୯୯ ଟଙ୍କାରୁ ୧୯୯୯ ଟଙ୍କା ମଧ୍ୟରେ ରହିଛି। ଏହି ସବୁ ପୋଷାକ ଅନ୍‌ଲାଇନ୍‌ରେ ମଧ୍ୟ ଉପଲବ୍ଧ ହେଉଛି । ଖୁବ୍‌ଶୀଘ୍ର ଆମାଜନ୍‌ ଡଟ୍‌ ଇନରେ ଟର୍ମସ୍‌ର ପୋଷାକ ଉପଲବ୍ଧ ହେବାକୁ ଯାଉଛି । ଏହି ଅବସରରେ କଂପାନିର ସହ ପ୍ରତିଷ୍ଠାତା ତଥା ଯୁବ ଓଡ଼ିଆ ଉଦ୍ୟୋଗୀ ରାମେଶ୍ୱର ମିଶ୍ର, ସନ୍ଦୀପ କଟାରିଆ, ବିନୀତ, ଅନିଲ, ରୋହିତ ଓ ଆଲୋକ ଉପସ୍ଥିତ ଥିଲେ ।