କରୋନାକୁ ନେଇ ଆସିଲା ବଡ ତଥ୍ୟ…କେବଳ ମାସ୍କ ପିନ୍ଧିଲେ କରୋନା ମହାମାରୀରୁ ମିଳିବନି ତ୍ରାହି, ଆଖିରୁ ବି ବ୍ୟାପିପାରେ କରୋନା…ଘରୁ ବାହାରିଲେ ମାସ୍କ ସହ ଚଷମା ପିନ୍ଧିବାକୁ ଡାକ୍ତରଙ୍କ ପରାମର୍ଶ

1,498

କନକ ବ୍ୟୁରୋ: ବିଶ୍ୱବ୍ୟାପୀ ଜାରି ରହିଛି କରୋନା ମହାମାରୀର ଆତଙ୍କ । ଦିନ ଗଡିବା ସହ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଚାଲିଛି । ତେବେ ଏହି ମହାମାରୀକୁ ରୋକିବା ପାଇଁ ବିଶ୍ୱର ବଡ ବଡ ଡାକ୍ତର, ବିଶେଷଜ୍ଞମାନେ ଦିନ ରାତି ଏକ କରିଦେଇଥିବା ବେଳେ କରୋନାକୁ ପ୍ରତିହତ କରିବା ପାଇଁ ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ପ୍ରତିଶେଷଧ ଟୀକା ବାହାର କରିପାରି ନାହାନ୍ତି । ତେଣୁ କେବଳ ସଚେତନା ଏବଂ ସତର୍କତା ଅବଲମ୍ବନ କରି ହିଁ କରୋନା ମହାମାରୀ ସଂକ୍ରମଣକୁ ରୋକା ଯାଇପାରିବ ବୋଲି ପରାମର୍ଶ ଦେଇଛନ୍ତି ।

ତେବେ ଇତି ମଧ୍ୟରେ କରୋନାକୁ ନେଇ ଏଭଳି ଏକ ତଥ୍ୟ ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଏବେ ଆପଣ ମାସ୍କରେ ନିଜ ମୁହଁ ଏବଂ ନାକକୁ ଢାଙ୍କୁଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ, କେବଳ ମୁହଁରେ ମାସ୍କ ଲଗାଇବା ଦ୍ୱାରା କରୋନା ସଂକ୍ରମଣରୁ ରୋକା ଯାଇ ପାରିବ ନାହିଁ ବରଂ ଯଦି ଆପଣ କରୋନା ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଗୋଟେ ମିଟରରୁ କମ ଦୂରରେ ଛିଡା ହୋଇଛନ୍ତି । ତେବେ ଆଖି ମାଧ୍ୟମରେ ସଂକ୍ରମିତ ବ୍ୟାପିବାର ଭୟ ମଧ୍ୟ ରହିଥାଏ ।

ଗ୍ରେଟର ନୋଇଡା ସ୍ଥିତ ଶାରଦା ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଂଟ ଡା. ଆଶୁତୋଷ ନିରଂଜନଙ୍କ କହିବା ଅନୁସାରେ, ମୁହଁ ଏବଂ ନାକ ବ୍ୟତୀତ ଆଖିକୁ ବି ସୁରକ୍ଷିତ ରଖିବା ବହୁତ ଜରୁରୀ । ଏଭଳି ପରିସ୍ଥିତିରେ ପ୍ରତିଟି ବ୍ୟକ୍ତିଙ୍କୁ ଚଷମା ପିନ୍ଧିବା ଦରକାର । ଫଳରେ ଆଖି କରୋନା ସଂକ୍ରମଣରୁ ବର୍ତ୍ତି ଯାଇପାରିବ । ଡାକ୍ତରଙ୍କ କହିବା ଅନୁସାରେ, ଯେତେବେଳେ କୌଣସି କୋଭିଡ ୧୯ ସଂକ୍ରମିତ ରୋଗୀ କୌଣସି ସୁସ୍ଥ ବ୍ୟକ୍ତିଙ୍କଠାରୁ ପାଖାପାଖି ୧ ମିଟରଠାରୁ କମ ଦୂରରେ ଛିଡା ହୋଇଥାନ୍ତି, ତେବେ କରୋନା ଭୁତାଣୁ ବାୟୁ ତଥା ପବନ ଜରିଆରେ ମୁହଁ, ନାକ ଏବଂ ଆଖି ଦେଇ ବ୍ୟାପି ପାରେ । ଏଭଳି ସ୍ଥିତିରେ ସଂକ୍ରମଣର ଆଶଙ୍କା ବେଶି ବଢିଯାଇଥାଏ । ତେଣୁ ସାର୍ବଜନୀନ ସ୍ଥାନକୁ ଯିବା ସମୟରେ ପ୍ରତିଟି ବ୍ୟକ୍ତିକୁ ମାସ୍କ ସହ ଚଷମା ମଧ୍ୟ ପିନ୍ଧିବା ବହୁତ ଜରୁରୀ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।