ରେକର୍ଡ ବ୍ରେକର! ପ୍ରଥମେ ଡାକ୍ତର ପରେ କଲେକ୍ଟର, ଶେଷରେ ଚାକିରୀ ଛାଡି ଗରିବ ପିଲାଙ୍କୁ ପଢାଇଲେ ପାଠ

102

ମାତ୍ର ୧୯ ବର୍ଷ ବୟସରେ ସର୍ବକନିଷ୍ଠ ଡାକ୍ତର, ୨୨ ବର୍ଷରେ ସମ୍ମାନଜନକ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ପାସ୍ କରିବା ପରେ ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ନିଜ ଚାକିରୀ ଛାଡି ଜବଲପୁରର ପୂର୍ବତନ କଲେକ୍ଟର ଡା.ରୋମାନ ସାଇନୀ ପାଲଟିଛନ୍ତି ଅନ୍ୟଙ୍କ ପାଇଁ ଉଦାହରଣ ।

ରାଜସ୍ଥାନର ରାଇକରଣପୁରା ଗ୍ରାମର ଏକ ମଧ୍ୟବିତ୍ତ ପରିବାରରୁ ଆସିଥିବା ରୋମାନ ମାତ୍ର ୧୯ ବର୍ଷ ବୟସରେ ସମ୍ମାନଜନକ ଏଆଇଆଇଏମଏସରେ ସର୍ବକନିଷ୍ଠ ଡାକ୍ତର ହୋଇ ରେକର୍ଡ କରିଥିଲେ । ତେବେ ୨୦୧୧ରେ ଏକ ଗାଁରେ ଆୟୋଜନ ହୋଇଥିବା ସ୍ୱାସ୍ଥ୍ୟ ଶିବିରକୁ ଯାଇଥିଲେ ମାତ୍ର ସେଠାକାର ଲୋକଙ୍କ ଆର୍ଥିକ ସଂକଟ ଓ ଅବସ୍ଥା ଦେଖି ରୋମାନ ଅତ୍ୟନ୍ତ ମର୍ମାହତ ହୋଇପଡିଥିଲେ । ଯାହା ରୋମାନଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ଆଣିଦେଇଥିଲା । ତେବେ ଗାଁଲୋକଙ୍କ ଏପରି ଦୟନୀୟ ଅବସ୍ଥା ଦେଖି ତାଙ୍କ ହୃଦୟ ତରଳିଯାଇଥିଲା । ଆଉ ସେ ଲୋକଙ୍କସେବା ନିମନ୍ତେ ଦୃଢ ସଂକଳ୍ପ ନେଇଥିଲେ ।

ଫଳସ୍ୱରୂପ, କଠିନ ଅଧ୍ୟବସାୟ ଦ୍ୱାରା ଆଶ୍ଚର୍ଯ୍ୟଜନକ ଭାବେ ମାତ୍ର ୨୨ ବର୍ଷ ବୟସରେ ଆଇଏଏସ ପରୀକ୍ଷାରେ ଉତିର୍ଣ୍ଣ ହୋଇ ସର୍ବକନିଷ୍ଠ କଲେକ୍ଟର ହୋଇଥିଲେ । ଏହି ସମୟରେ ସେ ଗରିବ ମେଧାବୀ ଛାତ୍ରମାନଙ୍କ ପାଇଁ ମାଗଣା ଅନଲାଇନ୍ ଆଇଏଏସ ଏବଂ ଅନ୍ୟ ପ୍ରଶାସନିକ ସେବା ପାଇଁ ଉର୍ଦ୍ଦିଷ୍ଟ ପାଠ୍ୟକ୍ରମ ଆରମ୍ଭ କରିଥିଲେ । ଏଥିସହିତ ସେ ନିଜର ହାଇପ୍ରୋଫାଇଲ ଚାକିରୀ ଛାଡି ‘ଅନଏକାଡେମୀ’ ନାମକ ଏକ ଶିକ୍ଷାନୁଷ୍ଠାନ ଖୋଲି ଥିଲେ ଏବଂ ପିଲାମାନଙ୍କୁ ପାଠ ପଢାଇଥିଲେ ।

ରୋମାନଙ୍କ କହିବା କଥା ହେଲା, ‘ଆମେ ସମସ୍ତେ ନିଜ ନିଜର ସ୍ୱପ୍ନକୁ ସାକାର କରିବା ପାଇଁ ମନ ଭିତରେ ସାମର୍ଥ ରଖିଥାଉ । ଯଦି ଅନ୍ୟ କାହା ଉପରେ ନିର୍ଭର ନକରି ନିଜ ସ୍ୱପ୍ନକୁ ପୁରଣ କରି ପାରିବା ତେବେ ତାଠାରୁ ବଡ ଉପଲବ୍ଧି କିଛି ନାହିଁ । ତେବେ ତାଙ୍କ କହିବା କଥା ହେଲା, ଯଦି ଜଣେ ବ୍ୟକ୍ତି ସେବା ବଳରେ ଗରିବ ଲୋକଙ୍କ ମୁହଁରେ ହସ ଫୁଟାଇ ପାରୁଛି ତେବେ ଏହାଠାରୁ ବଡ ସଫଳତା କଣ ବା ଥାଇପାରେ’ । ତେବେ ବାସ୍ତବରେ ତାଙ୍କର ଗରିବଙ୍କ ପ୍ରତି ଏଭଳି ଉତ୍ସର୍ଗିକୃତ ମନୋଭାବ ଅନ୍ୟମାନଙ୍କ ପାଇଁ ପାଲଟି ଯାଇଛନ୍ତି ଆଦର୍ଶ ।