ପରିତ୍ୟକ୍ତ ଶିଶୁକନ୍ୟା ଆଜି କୋଟିପତି : ଜନ୍ମଦିନ ପାଳିବାକୁ ସ୍ପେନରୁ ଆସିଲେ କଟକ

64

କନକ ବ୍ୟୁରୋ: ୨୧ ବର୍ଷ ତଳେ ସିଏ ଥିଲେ ଜଣେ ପରିତ୍ୟକ୍ତ ଶିଶୁ କନ୍ୟା । ତାଙ୍କୁ ରାସ୍ତାକଡ଼ରେ ଛାଡ଼ି ଚାଲି ଯାଇଥିଲେ ତାଙ୍କର ଜନ୍ମକଲା ବାପା-ମା’ । ହେଲେ ଭାଗ୍ୟଚକ୍ରରେ ସେ ଆଜି କୋଟିପତି । ସ୍ପେନର ସ୍ଥାୟୀ ବାସିନ୍ଦା ।

ଏକ ସ୍ୱଚ୍ଛଳ ପରିବାରର ଉତ୍ତରାଧିକାରୀ ଏବଂ ମାଦ୍ରିଦ୍ ୟୁନିଭର୍ସିଟିର ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରୀ । ନିଜର ୨୧ତମ ଜନ୍ମଦିନ ପାଳନ କରିବାକୁ ସୁଦୂର ସ୍ପେନରୁ ବାପା-ମା’ଙ୍କ ସହ କଟକର ବସୁନ୍ଧରାକୁ ଆସିଥିବା ଦେବର୍ପିତାଙ୍କର ଇଏ ହେଉଛି କାହାଣୀ ।

ଦେବର୍ପିତାଙ୍କର କାହାଣୀ ଥିଲା ଏହିଭଳି… । ୧୯୯୬, ଅଗଷ୍ଟ ୧୯ ତାରିଖରେ ସିଡିଏସ୍ଥିତ ବସୁନ୍ଧରା ଗେଟ୍ ସମ୍ମୁଖରେ ଏକ ଶିଶୁ ପଡ଼ି ରହି କାନ୍ଦୁଥିଲା । ବସୁନ୍ଧରାର କର୍ମଚାରୀମାନେ ଶିଶୁଟିକୁ କୋଳେଇ ନେଇଥିଲେ । ଶିଶୁଟିକୁ ଥଇଥାନ କରାଯାଇଥିଲା କେନ୍ଦ୍ରରେ । ଶିଶୁର ନାଁ କ’ଣ ରହିବ ବୋଲି ତାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଚାଲିଥିଲା ଢେର ଦିନଯାଏ ତର୍କ ବିତର୍କ । ଦେବତାଙ୍କ ଦ୍ୱାରା ଅର୍ପଣ କରାଯାଇଥିବାରୁ ବସୁନ୍ଧରା କର୍ମଚାରୀମାନେ ଶେଷରେ ତାଙ୍କ ନାମ ରଖିଥିଲେ ଦେବର୍ପିତା । ଏବେବି ସେ ଏହି ନାମରେ ପରିଚିତ । ବସୁନ୍ଧରାରେ ସମସ୍ତଙ୍କ ଅଲିଅଳ ଥିଲା ଦେବର୍ପିତା । ବସୁନ୍ଧରା କର୍ମଚାରୀମାନେ ଖୁବ୍ ଯତ୍ନର ସହ ତାଙ୍କର ଲାଳନପାଳନ କରୁଥିଲେ । ୨୦୦୨ ପର୍ଯ୍ୟନ୍ତ ଦେବର୍ପିତା ବସୁନ୍ଧରାରେ ରହିବା ସହିତ ପ୍ରଥମ ଶ୍ରେଣୀରେ ପାଠ ପଢୁଥିଲେ ।

କିନ୍ତୁ ୨୦୦୨ରେ ଦେବର୍ପିତାଙ୍କ ଭାଗ୍ୟଚକ୍ରରେ ପରିବର୍ତ୍ତନ ଆସିଥିଲା । ସନ୍ତାନ ସନ୍ତତି ନଥିବା ସ୍ପାନିସ୍ ଦମ୍ପତ୍ତି ଇଷ୍ଟେରେ ମୋରିସ୍ ଲିଜୋ ଓ ମାୟାନ୍ସ ଅଲମାନି ଲିଜୋ ଗୋଟିଏ ଭାରତୀୟ ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଆଗ୍ରହ ଦେଖାଇ ଆସି ପହଞ୍ଚି ଥିଲେ ବସୁନ୍ଧରାରେ । ଏଥିପାଇଁ ସେମାନେ ଅବଶ୍ୟ ୧୯୯୯ ମସିହାରୁ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅଧୀନରେ ଥିବା ନୂଆଦିଲ୍ଲୀସ୍ଥିତ ସେଣ୍ଟ୍ରାଲ୍ ଆଡପସନ୍ ରିସୋର୍ସ ଅଥୋରିଟି (କାରା) ମାଧ୍ୟମରେ ଆବେଦନ କରିଥିଲେ ।

କାରା ପକ୍ଷରୁ ଭାରତ ସାରା ଏକାଧିକ ଶିଶୁଙ୍କ ବିବରଣୀ ସେମାନଙ୍କୁ ଦିଆଯାଇଥିଲା । ସେସବୁ ମଧ୍ୟରୁ ଦେବର୍ପିତାଙ୍କୁ ସେମାନେ ପସନ୍ଦ କରି ନେବା ପାଇଁ ଆସିଥିଲେ । କାରାରୁ ଏଥିପାଇଁ ଏନଓସି ମିଳିଯାଇଥିଲା । ତେବେ କଟକର ପରିବାର ଅଦାଲତ ଅନୁମତି ନେଇ ସମସ୍ତ କାଗଜପତ୍ର ପ୍ରସ୍ତୁତ କରିସାରିବା ପରେ ପୋଷ୍ୟ ସନ୍ତାନ ଭାବେ ଦେବର୍ପିତାଙ୍କୁ ଗ୍ରହଣ କରିବାକୁ ସ୍ପେନ ଦମ୍ପତ୍ତିଙ୍କୁ ଅନୁମତି ମିଳିଥିଲା । ୨୦୦୨, ମେ’ ୨୫ ତାରିଖରେ ଦେବର୍ପିତାଙ୍କୁ ନେଇ ଉକ୍ତ ଦମ୍ପତ୍ତି ସ୍ପେନ୍ ଫେରି ଯାଇଥିଲେ ।

ଦେବର୍ପିତା ବସୁନ୍ଧରାରେ ପହଞ୍ଚିବା ପରେ ତାଙ୍କୁ ପିଲା ବେଳେ ଦେଖାଶୁଣା କରିଥିବା ଆୟା ସୌଦାମିନୀ ଦିଦି ଓ ଯେଉଁ ଘରେ ତାଙ୍କର ପିଲାବେଳ କଟିଥିଲା ତାହାକୁ ମନେ ପକାଇ ପାରିଥିଲେ । ହେଲେ ଅନ୍ୟମାନଙ୍କୁ ସେ ଚିହ୍ନି ପାରିନଥିଲେ । ବର୍ତ୍ତମାନ ସେ ଓଡ଼ିଆ ବୁଝି ପାରୁନାହାନ୍ତି କି କହି ପାରୁନାହାନ୍ତି । ତାଙ୍କ କହିବା ଅନୁଯାୟୀ, ସ୍ପେନରେ ତାଙ୍କୁ ଜାତି ଓ ଜାତୀୟତାର ପରିଚୟ ମିଳିଛି । ଅନାଥ ଶବ୍ଦ ଏବେ ତାଙ୍କ ପାଇଁ ଆଉ କୌଣସି ଗୁରୁତ୍ୱ ରଖୁ ନଥିବାରୁ ଏଥିପାଇଁ ସେ ଭଗବାନଙ୍କୁ କୃତଜ୍ଞତା ଜଣାଉଛନ୍ତି । ଦେବର୍ପିତାଙ୍କ ବର୍ତ୍ତମାନର ବାପା ସ୍ପେନ୍ ଏୟାରପୋର୍ଟର ଜଣେ ଅଧିକାରୀ ହୋଇଥିବା ବେଳେ ମା’ ହେଉଛନ୍ତି ଜଣେ ନର୍ସ । ବସୁନ୍ଧରା ସାମନାରୁ ଅଗଷ୍ଟ ୧୯ ତାରିଖରେ ମିଳିଥିବାରୁ ସେ ସେହି ଦିନକୁ ନିଜର ଜନ୍ମ ଦିନ ଭାବେ ପାଳନ କରିଆସୁଛନ୍ତି ।

ଦେବର୍ପିତା ନିଜ ବାପା-ମା’ଙ୍କ ସହ ବସୁନ୍ଧରାର କର୍ମଚାରୀଙ୍କ ଗହଣରେ ଅନେକ ସମୟ ବିତାଇଥିଲେ । ବିଭିନ୍ନ ପ୍ରକାର ଫଳ ଆଉ ଚା’ ଖାଇଥିଲେ । ଦେବର୍ପିତା ଏବେ ପରିବାର ସହ ଭୁବନେଶ୍ୱର, ପୁରୀ, କୋଣାର୍କ ଏବଂ ଦେଶର ଅନ୍ୟ ତୀର୍ଥସ୍ଥାନ ବୁଲିବା ପରେ ପୁଣି ସ୍ପେନ୍ ଫେରି ଯିବେ । କିନ୍ତୁ ବସୁନ୍ଧରାର ସ୍ମୃତି ତାଙ୍କର ସବୁଦିନ ସତେଜ ରହିବ ବୋଲି କୁହନ୍ତି ଦେବର୍ପିତା ।

ତେବେ ୧୯୮୫ ମସିହାରୁ ଆଜି ପର୍ଯ୍ୟନ୍ତ ବସୁନ୍ଧରା ଆବାସରୁ ପାଖାପାଖି ୧୩୦୦ ପିଲା ପୋଷ୍ୟ ହୋଇ ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ବିଦେଶରେ ୪୦୦ ପିଲା ରହୁଛନ୍ତି ବୋଲି ପ୍ରୋଗ୍ରାମ ଅଫିସର ଅକ୍ଷୟ କୁମାର ସ୍ୱାଇଁ କହିଛନ୍ତି ।