ଭିନ୍ନ ଏକ ଘୋଷଯାତ୍ରା : ଯେଉଁଠି ନାହିଁ ଚାକଚକ୍ୟ କି ନାହିଁ ନନ୍ଦିଘୋଷ । ରହିଛି କେବଳ ଗ୍ରାମବାସୀଙ୍କ ଆସ୍ଥା ଓ ବିଶ୍ୱାସ

140

କନକ ବ୍ୟୁରୋ: ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ । ରତ୍ନ ସିଂହାସନ ଛାଡି ଜନ୍ମବେଦୀରେ ପୂଜା ପାଉଛନ୍ତି ତିନି ଠାକୁର । ଏଥିପାଇଁ କେବଳ ଓଡିଶା ନୁହେଁ ସାରା ବିଶ୍ୱରେ ପାଳିତ ହେଉଛି ରଥ ଯାତ୍ରା । ଆଜି ଆମେ ଆଲୋଚନା କରିଛୁ ଭିନ୍ନ ଏକ ଘୋଷଯାତ୍ରା ସଂପର୍କରେ । ଯେଉଁଠି ନାହିଁ ଚାକଚକ୍ୟ କି ନାହିଁ ନନ୍ଦିଘୋଷ । ରହିଛି କେବଳ ଗ୍ରାମବାସୀଙ୍କ ଆସ୍ଥା ଓ ବିଶ୍ୱାସ । ସୁନ୍ଦରଗଡ ଟାଙ୍ଗରପାଲି ବ୍ଲକ ଯୋଗିମାଲ ଗାଁରେ ମନ୍ଦିର ନାହିଁ ହେଲେ କାହିଁ କେଉଁ କାଳରୁ ଅନୁଷ୍ଠିତ ହୋଇଆସୁଛି ରଥଯାତ୍ରା ।

ପୁରୀରେ ରଥଯାତ୍ରା ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ପାଳିତ ହେଉଥିବା ବେଳେ ଏଠି ହେରା ପଚଂମୀ ଦିନ ଅନୁଷ୍ଠିତ ହୋଇଥାଏ । ନିଜ ଗାଁରେ ମନ୍ଦିର ନଥିବା ବେଲେ ଗ୍ରାମବାସୀ ନିକଟସ୍ଥ ଡମବାହାଲ ଗାଁ ମନ୍ଦିରରୁ ଠାକୁରଙ୍କ ବିଗ୍ରହ ଆଣି ଯୋଗିମାଲରେ ରଥଯାତ୍ରା କରିଥାନ୍ତି । ହେରା ପଚଂମୀ ଦିନ ସକାଳୁ ଗ୍ରାମବାସୀ କାନ୍ଧରେ ଟୋକେଇ ଧରି ବାହାରି ଯାଆନ୍ତି ଡମବାହାଲ ମନ୍ଦିରରୁ ଚତୁର୍ଦ୍ଧା ମୂର୍ତିକୁ ଆଣିବା ପାଇଁ । ଆଉ ଏହି ଟୋକେଇରେ ମାହାପ୍ରଭୁଙ୍କୁ ଆଣିବା ପରେ ପୂଜାପାଠ କରାଯାଏ । ପରେ ସଂଧ୍ୟରେ ଛେରା ପହଁରା ନୀତି ଅନୁଷ୍ଠିତ ହୋଇ ରଥ ବଡଦାଣ୍ଡ ପର୍ଯ୍ୟନ୍ତ ଟଣା ହୋଇଥାଏ ।

ସେହିଭଳି ଝାରସୁଗୁଡାରେ ମଧ୍ୟ ନିଆରା ଢଙ୍ଗରେ ରଥଯାତ୍ରା ପାଳନ କରାଯାଇଛି । ଲଖନପୁର ବ୍ଲକ ରେମେଣ୍ଡା ଗାଁରେ ହିନ୍ଦୁ ଓ ମୁସଲିମ୍ ସଂପ୍ରଦାର ମଣିଷ ମିଳିମିଳି ରଥଯାତ୍ରା ପାଳନ କରିଛନ୍ତି । ଦୀପାବଳୀ, ଇଦ୍, ପୁଷପୂର୍ଣ୍ଣିମା, ମହରମ୍ ଭଳି ରଥଯାତ୍ରାକୁ ମଧ୍ୟ ଏଠି ଏକାଠି ପାଳନ କରିଛନ୍ତି । ଗାଁରେ ଉଭୟ ସଂପ୍ରଦାର ଲୋକ ବସବାସ କରୁଥିବା ବେଳେ ଗାଁର ଗୁଡି ଘରେ ପୂଜା ପାଇଥାନ୍ତି ମହାପ୍ରଭୁ ଜଗନ୍ନାଥ, ବଡ ଠାକୁର ବଳଭଦ୍ର ଏବଂ ଦେବୀ ସୁଭଦ୍ରା ।

ଆଷାଢ ପଂଚମୀ ତିଥିରେ ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ୧୧୮ ବର୍ଷ ହେବ ଏଠାରେ ନିଆରା ଢଙ୍ଗରେ ରଥଯାତ୍ରା କରାଯାଉଛି । ବିଶେଷ କରି ପରମ୍ପରା ଅନୁସାରେ ମୁସଲମାନ୍ ସଂପ୍ରଦାୟର ଗୌନ୍ତିଆ ମୁଖ୍ୟ ଛେରା ପହଁରା କରିବା ପରେ ରଥଟଣା ହୋଇଥାଏ । ବଂଶାନୁକ୍ରମେ ଏବେ ଗୌନ୍ତିଆ ବଂଶଜ ମହମ୍ମଦ ଜିମଉଲ୍ଲା ରଥରେ ଛେରା ପହଁରା କରିବା ପରେ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇଛି ।