ଜିଏସଟି ପ୍ରଭାବ ! ୩ ମାସ ପୂର୍ବରୁ ଇଦ୍ ସହିତ ପାଳନ କରନ୍ତୁ ଦିପାବଳୀ

101

ଦୀପାବଳୀ ଆଉ ମାତ୍ର ୩ମାସ ବାକି କିନ୍ତୁ ଏହାର ଲାଭ ଏବେଠାରୁ ଉଠାଲେଣି ଗ୍ରାହକ । କାରଣ, ଦୀପାବଳୀରେ ଉତ୍ସବରେ ବିଭିନ୍ନ ବୈଦ୍ୟୁତିକ ଉପକରଣ ଉପରେ ଲାଗୁ କରାଯାଉଥିବା ଅଫରଗୁଡିକୁ ଏବେଠାରୁ କଂପାନୀମାନେ ଭେଟି ଦେଲେଣି ଗ୍ରାହକଙ୍କୁ । ଅର୍ଥାତ୍ ୩ ମାସ ପୂର୍ବରୁ ହିଁ କଂପାନୀମାନେ ଏଭଳି ପଦକ୍ଷେପ ନେଇସାରିଲେଣି । ଏଥିସହିତ ଚଳିତ ମାସର ଶେଷ ସପ୍ତାହରେ ହେବାକୁ ଯାଉଥିବା ‘ଇଦ୍’ ପାଇଁ ମଧ୍ୟ ଜିନିଷପତ୍ର କିଣାବିକା ଆରମ୍ଭ ହୋଇସାରିଛି । ତେବେ ଏହାର ମୁଖ୍ୟ କାରଣ ହେଲା ଜିଏସଟିର ପ୍ରଭାବ । କାରଣ, ଜୁଲାଇ ୧ ଠାରୁ ଦେଶରେ ଜିଏସଟି ଲାଗୁ ହୋଇଯିବ । ଯାହାଦ୍ୱାରା ବିଭିନ୍ନ ବୈଦ୍ୟୁତିକ ସରଞ୍ଜାମଗୁଡିକ ଉପରେ କଂପାନୀମାନଙ୍କୁ କ୍ଷତି ସହିବାକୁ ପଡିବ ।

ତେଣୁ ବୈଦ୍ୟୁତିକ ଉପକରଣ ନିର୍ମାଣ କରୁଥିବା କଂପାନୀମାନେ ଜିଏସଟି ଲାଗୁ ହେବା ପୂର୍ବରୁ ନିଜ ଗଚ୍ଛିତ ପ୍ରଡକ୍ଟକୁ ବିକ୍ରୀ କରିବାରେ ଲାଗି ପଡିଛନ୍ତି । ଯେଉଁଥିପାଇଁ ଦୀପାବଳୀ ଅଫର ୩ ମାସ ବାକି ରହିଥିଲେ ମଧ୍ୟ କଂପାନୀମାନେ ଗ୍ରାହକଙ୍କୁ ଅଧିକରୁ ଅଧିକ ପ୍ରଲୋଭନ ଦେଖାଇ ୨୦ରୁ ୩୦ ପ୍ରତିଶତ ରିହାତିର ଅଫରମାନ ଘୋଷଣା କରିଛନ୍ତି ।

ଟିଭି ସେଟ୍, ରେଫ୍ରିଜରେଟର୍, ୱାସିଂ ମେସିନ୍ ଏବଂ ଏୟାର କଣ୍ଡିସନର’ର ମୂଲ୍ୟକୁ ବହୁତ କମାଇ ଦେଇଛନ୍ତି କଂପାନୀମାନେ । କାରଣ ଜିଏସଟି ଲାଗୁ ହେବାପରେ ଏହି ସମସ୍ତ ଉପକରଣଗୁଡିକୁ ବିକ୍ରୀ କରିବାକୁ ରିଟେଲରଙ୍କୁ ପାଖାପାଖି ୬ରୁ ୧୪ ପ୍ରତିଶତ କ୍ଷତି ସହିବାକୁ ପଡିପାରେ ।

ତେବେ ଜିଏସଟିକୁ ୧ ଜୁଲାଇଠାରୁ ଦେଶରେ ଲାଗୁ କରିବାକୁ ଯୋଜନା ରହିଛି । ଏହାଦ୍ୱାରା ପାଖାପାଖି ୧୨ ଶହ ବସ୍ତୁ ଏବଂ ୫ ଶହ ସେବା ଉପରେ ପ୍ରଭାବ ପଡିଛି । ଯେଉଁଥିରେ ରହିଛି ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡିକ ଜିଏସଟିଦ୍ୱାରା ଶସ୍ତା ହେବାସହତି ତାଜା ଫଳ, ପନିପରିବା, ଡାଲି , ବ୍ରେଡ୍ ଏବଂ କ୍ଷୀର ଆଦିକୁ ଏଥିରୁ ବାଦ୍ ଦିଆଯାଇଛି ।