ଡାଟା ସୁରକ୍ଷା: ଆଧାରଠାରୁ ବଡ଼ ବିପଦ ସ୍ମାର୍ଟଫୋନ୍‌

28

ଆଧାର ଜରିଆରେ ବ୍ୟକ୍ତିଗତ ତଥ୍ୟ ପ୍ରଘଟ ହେବାର ଆଶଙ୍କା ରହିଛି । ତଥ୍ୟର ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ କୋର୍ଟରେ ମାମଲା ଦାୟର କରାଯାଇଛି । କିନ୍ତୁ ଲୋକମାନେ ଏହା ଜାଣିନାହାନ୍ତି ଯେ ଆଧାର ତୁଳନାରେ ସେମାନେ ବ୍ୟବହାର କରୁଥିବା ସ୍ମାର୍ଟଫୋନ୍ ଅଧିକ ବିପଦପୂର୍ଣ୍ଣ । ଆଧାରର ତଥ୍ୟ ସରକାରଙ୍କ ପାଖରେ ରହିଛି । କିନ୍ତୁ ସ୍ମାର୍ଟଫୋନ୍ ଲୋକମାନଙ୍କ ତଥ୍ୟ ଚୋରି କରି ଅନ୍ୟ ଦେଶକୁ ପଠାଉଛି । ଏହା ଏବେ ସବୁଠୁ ବଡ଼ ଚିନ୍ତାର କାରଣ ହୋଇଛି ।

ସ୍ମାର୍ଟଫୋନ୍ ତଥ୍ୟ ଚୋରି କରୁଥିବା ବିଷୟରେ ଜୁଲାଇ ମାସରେ ପୂର୍ବତନ ଗୃହ ସଚିବ ରାଜୀବ ମେହରିଶି ଏକ ସଂସଦୀୟ କମିଟି ସାମ୍ନାରେ ହାଜର ହୋଇ କହିଥିଲେ । ସେତେବେଳେ ଏହାକୁ ନେଇ କେହି କିଛି ପ୍ରତିକ୍ରିୟା ପ୍ରକାଶ କରିନଥିଲେ । ରାଜୀବ କମିଟିକୁ ଜଣାଇଥିଲେ ଯେ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ୪୦% ଲୋକ ନିଜ ଜାଣତରେ ହେଉ କିମ୍ବା ଅଜାଣତରେ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ହାସଲ କରିବାର ବାଟ ସମଗ୍ର ବିଶ୍ୱ ପାଇଁ ଖୋଲିଦେଇଛନ୍ତି । ଏଭଳିକି ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ପାଖରେ ଲୋକମାନଙ୍କ ତଥ୍ୟ ପହଞ୍ଚି ଯାଉଛି ।

ସ୍ମାର୍ଟଫୋନ୍ ଜରିଆରେ ଲୋକମାନଙ୍କ ଫିଙ୍ଗରପ୍ରିଣ୍ଟ୍ ଏବଂ ବାୟୋମେଟ୍ରିକ୍ ତଥ୍ୟ ମଧ୍ୟ ହାସଲ କରାଯାଉଛି ବୋଲି ସେ କହିଥିଲେ।ରାଜୀବଙ୍କ ପୂର୍ବରୁ ଓ୍ଵିକିଲିକ୍ସ ପକ୍ଷରୁ କୁହାଯାଇଥିଲା ଯେ ଆମେରିକାର ସିଆଇଏ ସ୍ମାର୍ଟଫୋନଗୁଡ଼ିକୁ ହ୍ୟାକ୍ କରିବାକୁ ପ୍ରୟାସ କରୁଛି । ଆପଲ୍ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ଫୋନ୍ଗୁଡ଼ିକୁ ହ୍ୟାକିଙ୍ଗ୍ କରିବା ପାଇଁ ସିଆଇଏ ଏକ ସ୍ୱତନ୍ତ୍ର ପ୍ରଯୁକ୍ତି ବିକଶିତ କରିଥିବା କଥା ଓ୍ଵିକିଲିକ୍ସ ପକ୍ଷରୁ କୁହାଯାଇଥିଲା ।ସ୍ମାର୍ଟଫୋନଗୁଡ଼ିକ ଜରିଆରେ ଯେଭଳି ତଥ୍ୟ ଚୋରି କରାଯାଇପାରିବ ନାହିଁ, ସେଥିପାଇଁ ସରକାର ସାଇବର୍ ସୁରକ୍ଷାର ମାନ ନିର୍ଦ୍ଧାରଣ କରୁଛନ୍ତି ।

ନିକଟରେ କେନ୍ଦ୍ର ସରକାର ୩୦ଟି ସ୍ମାର୍ଟଫୋନ୍ କଂପାନିଙ୍କୁ ନୋଟିସ୍ ଜାରି କରିଥିଲେ । ଫୋନ୍ ବ୍ୟବହାର କରୁଥିବା ଲୋକମାନଙ୍କ ତଥ୍ୟ କିଭଳି ସୁରକ୍ଷିତ ତାହା ଜଣାଇବା ପାଇଁ କଂପାନିଗୁଡ଼ିକୁ କୁହାଯାଇଥିଲା । ଇତି ମଧ୍ୟରେ ୧୫-୨୦ଟି କଂପାନି ନୋଟିସର ଜବାବ ଦେଇଛନ୍ତି ବୋଲି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ସଚିବ ଅଜୟ କୁମାର କହିଛନ୍ତି । ଅନ୍ୟ କଂପାନିଗୁଡ଼ିକ ସରକାରଙ୍କ ନୋଟିସର ଉତ୍ତର ଦେବା ପାଇଁ ସମୟ ମାଗିଛନ୍ତି । ସରକାର ଯେଉଁ କଂପାନିଗୁଡ଼ିକୁ ନୋଟିସ୍ ଜାରି କରିଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଚୀନର ସ୍ମାର୍ଟଫୋନ୍ କଂପାନି ।

ନିକଟରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ, ଚୀନ୍ କଂପାନିଗୁଡ଼ିକ ଦ୍ୱାରା ନିର୍ମାଣ କରାଯାଉଥିବା ସ୍ମାର୍ଟଫୋନଗୁଡ଼ିକ ଲୋକମାନଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରି ଚୀନରେ ଥିବା ସର୍ଭରକୁ ପଠାଉଛନ୍ତି ।

ଆପ୍ କରୁଛି ଚୋରି

ତେବେ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଲୋକମାନେ ଜାଣିଛନ୍ତି ଯେ, ସେମାନେ ଯେତେବେଳେ ଏକ ନୂଆ ଆପକୁ ଇନଷ୍ଟଲ୍ କରନ୍ତି ସେହି ସମୟରେ ଫୋନରେ ଥିବା ଏସଏମଏସ୍ ଏବଂ କଣ୍ଟାକ୍ଟ ତଥ୍ୟ ହାସଲ କରିବାର ଅନୁମତି ମାଗିଥାଏ । ସେହି ଅନୁମତି ପ୍ରଦାନ କରାଗଲେ ହିଁ ଆପଟି ଫୋନରେ ଇନଷ୍ଟଲ୍ ହୋଇପାରିବ । ଆପ୍ ଠିକ୍ ଭାବେ କାମ କରିବା ପାଇଁ ବ୍ୟବହାରକାରୀଙ୍କ ଏହି ସବୁ ତଥ୍ୟ ହାସଲ କରିବା ଜରୁରୀ । କିନ୍ତୁ କେତେକ ଆପ୍ ଲୋକମାନଙ୍କ ସେହି ତଥ୍ୟକୁ ନେଇ ଅନ୍ୟ ସଂସ୍ଥାକୁ ପ୍ରଦାନ କରୁଛନ୍ତି । ଅଧିକାଂଶ ଆପ୍ ଗୁଗୁଲ୍ ଏବଂ ଫେସବୁକକୁ ତଥ୍ୟ ଦେଉଥିବା ସନ୍ଦେହ କରାଯାଉଛି । ତୃତୀୟ ପକ୍ଷ ସଂସ୍ଥା ଲୋକଙ୍କ ବ୍ୟକ୍ତିଗତ ତଥ୍ୟକୁ ବ୍ୟବହାର କରି ସେମାନଙ୍କ ଉପରେ ନଜର ରଖୁଛନ୍ତି । ଲୋକମାନଙ୍କ ନିର୍ଦ୍ଦିଷ୍ଟ ଉପସ୍ଥିତି ଏବଂ କେଉଁ ସମୟରେ କିଏ କଣ କରୁଛି ତାହା ମଧ୍ୟ ବିଭିନ୍ନ ସଂସ୍ଥା ଜାଣିପାରୁଛନ୍ତି ।