କ୍ରିକେଟ୍ ପରେ ଏବେ ରାଜନୀତି ମୈଦାନରେ ଏଣ୍ଟ୍ରି ମାରିବେ ଧୋନୀ! ୨୦୧୯ରେ ଝାଡଖଣ୍ଡରୁ ଲଢିପାରନ୍ତି ନିର୍ବାଚନ, ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

65

ରାଜନୀତି ମୈଦାନରେ ଏଣ୍ଟ୍ରି ମାରି ପାରନ୍ତି କ୍ରିକେଟର ଧୋନୀ । ଏନେଇ ଜାତୀୟ ଗଣମାଧ୍ୟମରେ ଜୋର ଧରିଛି ଚର୍ଚ୍ଚା । ଖୁବଶୀଘ୍ର ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇ ପାରନ୍ତି ଭାରତୀୟ ଦଳର ଲୋକପ୍ରିୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ,  ଧୋନୀ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଟିକେଟରେ ଝାଡଖଣ୍ଡରୁ ନିର୍ବାଚନ ଲଢି ପାରନ୍ତି ।

ଧୋନୀଙ୍କ ସଂପର୍କୀୟଙ୍କ ସୂଚନା ମୁତାବକ, ଏବେ ଧୋନୀଙ୍କ ରାଜନୀତିକୁ ଆସିବା କଥା କହିବା ଉଚିତ ହେବନି । କାରଣ ଏବେ ମାହିଙ୍କର ପୂରା ଧ୍ୟାନ ବିଶ୍ୱକପ ଉପରେ ରହିଛି । ଏହା ପରେ ଯାଇ ସେ କୌଣସି ନିଷ୍ପତି ନେବେ । ଯାହାକି ବର୍ତମାନ କହିବା ଠିକ୍ ହେବନି । ଏପଟେ, ଉଭୟ ଧୋନୀ ଓ ବିଜେପି ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଖବର ଅନୁସାରେ, ଧୋନୀଙ୍କ ସହିତ ଗୌତମ ଗମ୍ଭୀର ମଧ୍ୟ ବିଜେପିରେ ମିଶିପାରନ୍ତି । ଗୌତମ ଗମ୍ଭୀର ଦିଲ୍ଲୀରୁ ଏବଂ ଧୋନୀ ଝାଡଖଣ୍ଡରୁ କୌଣସି ବି ସିଟରୁ ସଂସଦୀୟ ନିର୍ବାଚନ ଲଢିପାରନ୍ତି । ଏଥିସହିତ ହିଁ ବିଜେପି ଦୁଇ ଜଣ ଯାକ କ୍ରିକେଟରଙ୍କୁ ନିର୍ବାଚନରେ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିବାକୁ ନିଷ୍ପତି ନେଇଛି ।

କ୍ରିକେଟ ମୈଦାନରୁ ରାଜନୀତି ମୈଦାନକୁ ଅନେକ କ୍ରିକେଟର ଲମ୍ଫ ମାରିଛନ୍ତି । କିଛି କ୍ରିକେଟରଙ୍କୁ ଭାଗ୍ୟ ସାଥ୍ ଦେଇଥିବା ବେଳେ କିଛି କ୍ରିକେଟର ରାଜନୀତିର ମୈଦାନରେ କ୍ଲିନ ବୋଲ୍ଡ ହୋଇଛନ୍ତି । ନବଜୋତ ସିଂ ସିଦ୍ଧୁ, ମହମ୍ମଦ ଆଝାରୁଦ୍ଦିନ, କିର୍ତ୍ତୀ ଆଜାଦ, ମହମ୍ମଦ କୈଫ, ପ୍ରବୀଣ ଖାନଙ୍କ ଭଳି ଅନେକ କ୍ରିକେଟ ରାଜନୀତିରେ ସାମିଲ ହୋଇଛନ୍ତି ସତ କିନ୍ତୁ ଏମାନଙ୍କ ମଧ୍ୟରୁ ସିଦ୍ଧୁ, କୀର୍ତ୍ତି ଆଜାଦ ଓ ଆଝାରୁଦ୍ଦିନଙ୍କ ଭଳି କ୍ରିକେଟର ରାଜନୀତିରେ ସଫଳତା ଲାଭ କରିଛନ୍ତି । ଗତ ୨୦୧୪ ନିର୍ବାଚନରେ କଂଗ୍ରେସ ଟିକେଟରୁ ନିବାର୍ଚନ ଲଢିଥିଲେ କ୍ରିକେଟର ମହମ୍ମଦ କୈଫ୍ । କିନ୍ତୁ ରାଜନୀତିର ପଶାପାଲିରେ ମାତ୍ ଖାଇବା ପରେ ସମ୍ପୂର୍ଣ୍ଣ ଭାବେ ରାଜନୀତିକୁ ବାଏ ବାଏ କରିଥିଲେ କୈଫ ।